ଜିଲ୍ଲା

REELS: ରିଲ୍ସ ପାଇଁ ମାରପିଟ୍: ଏକାଧିକ ଆହତ, ଥାନାରେ ଏତଲା, ପୁଲିସର ତଦନ୍ତ

ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟର ବହୁଚର୍ଚ୍ଚିତ ସହର ଉପକଣ୍ଠ ତରଡ଼ାପଡ଼ାର ପରିବାରର ୭ ଜଣଙ୍କୁ ହତ୍ୟା ଘଟଣା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ୨୭ ବର୍ଷ ପରେ କିଛି ସୋସିଆଲ ମିଡିଆ ବ୍ଲଗର ସେହି କୋଠାର ଭିଡିଓ ତିଆରି କରି ଭାଇରାଲ୍ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟର ବହୁଚର୍ଚ୍ଚିତ ସହର ଉପକଣ୍ଠ ତରଡ଼ାପଡ଼ାର ପରିବାରର ୭ ଜଣଙ୍କୁ ହତ୍ୟା ଘଟଣା ଆଜି ମଧ୍ୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ୨୭ ବର୍ଷ ପରେ କିଛି ସୋସିଆଲ ମିଡିଆ ବ୍ଲଗର ସେହି କୋଠାର ଭିଡିଓ ତିଆରି କରି ଭାଇରାଲ୍ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଦୁଇଜଣ ବ୍ଲଗର ଯୁବକ ଘର ଭିତରେ ଭିଡିଓ କରୁଥିବା ବେଳେ ସ୍ଥାନୀୟ ଲୋକ କାବୁ କରିବା ସମୟରେ ମାରପିଟ୍ ହୋଇଥିଲା। ସେଠାରେ ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। କିନ୍ତୁ ଜିଲ୍ଲା ଓ ଜିଲ୍ଲା ବାହାରର ଏକାଧିକ ବ୍ଲଗର ସେହି କୋଠାର ଭିଡିଓ ତିଆରି କରି ଭୂତ ରହୁଥିବା ଓ ଭୂତକୋଠି ଆଖ୍ୟା ଦେବା ପରେ ବିବାଦ ସୃଷ୍ଟି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୭, ୧୯୯୯। ଗୋଟିଏ ପରିବାରର ଏକାଥରକେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଗୃହକର୍ତ୍ତାଙ୍କର ଝୁଲନ୍ତା ମୃତଦେହ ସାରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା। ୨୬ ବର୍ଷ ତଳେ ଜଗତସିଂହପୁର ତରଡ଼ାପଡ଼ାରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଘରର ମୁଖ୍ୟ ଦୁର୍ଯ୍ୟୋଧନ ମହାରଣା ତନ୍ତ୍ର ସାଧନା କରି ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା। କିନ୍ତୁ ପୂରା ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ସେତେବେଳେ ନୂଆ ନିର୍ମାଣ ହୋଇଥିବା ସେହି ଘର ମୂକ ସାକ୍ଷୀ ହୋଇ ଛିଡ଼ା ହୋଇ ରହିଛି। ସେତେବେଳେ ଘଟଣା ସମ୍ପର୍କରେ ଅବଗତ ଥିବା ଲୋକ ସେହି ଘରକୁ ଅନାଇ ଲୋମଟାଙ୍କୁରା କାଣ୍ଡକୁ ମନେ ପକାଇ ଦେଉଛନ୍ତି। ଅନେକ ରହସ୍ୟ ପଦାକୁ ଆସିପାରିଲା ନାହିଁ ବୋଲି ଲୋକଙ୍କ ଭିତରେ ଏବେ ବି ଉଙ୍କି ମାରୁଛି।
ପରିବାରରେ କାମ ଧନ୍ଦା କରୁଥିବା ସ୍ଥାନୀୟ ଵାର୍ଡ ମେମ୍ବର ବୀର ଦାସ ୧୯୯୯ ଅଗଷ୍ଟ ୧୮ ତାରିଖରେ ଦୁର୍ଯ୍ୟୋଧନଙ୍କ ଘର ବାରଣ୍ଡାରେ ରକ୍ତ ଛିଟା ଦେଖିଥିଲେ। କବାଟ ଝରକା ବନ୍ଦ ଥିବା ଦେଖିବାକୁ ପାଇଲେ। ଘର ପଛପଟ ଛାତରେ ବାଳକର ଶବ ଛାତରୁ ତଳକୁ ଝୁଲିଥିଲା। ପରିବାର ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘରର ପଛ ପଟ କବାଟ ଖୋଲାଥିବା ବେଳେ ଏହି ନାରକୀୟ କାଣ୍ଡ ଦେଖିବାକୁ ପାଇଥିଲା। ଦୁର୍ଯ୍ୟୋଧନଙ୍କ ପତ୍ନୀ ନଳିନୀ(୩୪), ପାଖ ଘରେ ଶାଶୁ ପ୍ରମଦା(୬୦), ଦୁଇ ଝିଅ ରୋଜି(୧୨) ଓ ଜିନିଆ(୮), ଅନ୍ୟ ଏକ ଘରେ ଶ୍ବଶୁର ବଙ୍ଗାଳି ମହାରଣା(୭୦)ଙ୍କ ମୃତଦେହ ମିଳିଥିଲା। ପୁଅ ପପୁ(୧୪)ର ତଣ୍ଟି ଚିପି ହତ୍ୟା ପରେ ଘରର ପଛପଟ ଛାତର ଏକ ରଡରୁ ତଳକୁ ଝୁଲନ୍ତା ଅବସ୍ଥାରେ ରହିଥିଲା। ବାହାରେ ଥିବା ପରିତ୍ୟକ୍ତ ଘରେ ଦୁର୍ଯ୍ୟୋଧନଙ୍କ ଶବ ବିଦ୍ୟୁତ ତାରରେ ଝୁଲିଥିଲା। ଏବେ ବି ଏହା ରହସ୍ୟାବୃତ୍ତ ହୋଇ ରହିଛି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button