Police bust : କାର୍ ଲୁଟେରା ଗ୍ୟାଙ୍ଗକୁ ମାଡ଼ିବସିଲା ପୁଲିସ
ଓଏଲ୍ଏକ୍ସ ଭଳି ସୋସିଆଲ୍ ମିଡିଆ ସାଇଟ୍ରେ ବିଜ୍ଞାପନ ଦେଖି କାର୍ ବିକ୍ରେତାଙ୍କ ସହ ଯୋଗାଯୋଗ କରୁଥିଲେ। ଗାଡ଼ି କିଣିବା ପାଇଁ ଡିଲ୍ ସରିବା ପରେ ବିକ୍ରେତାଙ୍କ ପାଖକୁ ଯାଇ.....

ଭୁବନେଶ୍ବର: ଓଏଲ୍ଏକ୍ସ ଭଳି ସୋସିଆଲ୍ ମିଡିଆ ସାଇଟ୍ରେ ବିଜ୍ଞାପନ ଦେଖି କାର୍ ବିକ୍ରେତାଙ୍କ ସହ ଯୋଗାଯୋଗ କରୁଥିଲେ। ଗାଡ଼ି କିଣିବା ପାଇଁ ଡିଲ୍ ସରିବା ପରେ ବିକ୍ରେତାଙ୍କ ପାଖକୁ ଯାଇ ଆଲୋଚନା କରୁଥିଲେ। ଚତୁରତାର ସହ ଟେଷ୍ଟ ଡ୍ରାଇଭ୍ କରିବା ଆଳରେ କାର୍ ଧରି ଚମ୍ପଟ ମାରୁଥିଲେ। ପୁଲିସକୁ ଚକ୍ମା ଦେବା ପାଇଁ ରାସ୍ତାରେ ଗାଡ଼ି ନମ୍ବର ବଦଳାଇ ଦେଉଥିଲେ। ଓଡ଼ିଶାରୁ ବିହାର, ଝାଡ଼ଖଣ୍ଡ ଯାଏ ଚେର ଲମ୍ବିଥିବା ଏଭଳି ଏକ କାର୍ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି। ଗ୍ୟାଙ୍ଗର ୨ ଲୁଟେରାଙ୍କୁ ଯାଜପୁରଜିଲ୍ଲାପାଣିକୋଇଲି ଅଞ୍ଚଳରୁ ଗିରଫ ପରେ ଘଟଣା ପଦାକୁ ଆସିଛି। ସେମାନେ ହେଲେ ବିହାରର ଅର୍ସଜିତ୍ କୁମାର(୨୫) ଓ ଝାଡ଼ଖଣ୍ଡ ଜାମସେଦ୍ପୁରର ହର୍ଷ(୨୬)। ପୁଲିସ ସେମାନଙ୍କ ନିକଟରୁ ଦୁଇଟି କାର୍ ଜବତ କରିଛି।
ସୂଚନା ମୁତାବକ, ବହୁଦିନ ହେବ ଏହି ଗ୍ୟାଙ୍ଗ ବିହାରରୁ ସେମାନଙ୍କ କାରବାର ଚଳାଇଥିଲେ। ସେମାନେ ଓଏଲ୍ଏକ୍ସ ଭଳି ସୋସିଆଲ୍ ମିଡିଆରେ ସେକେଣ୍ଡ ହ୍ୟାଣ୍ଡ କାର୍ ବିକ୍ରି ବିଜ୍ଞାପନ ଦେଖି କାର୍ ମାଲିକଙ୍କୁ ଟାର୍ଗେଟ୍ କରୁଥିଲେ। ତେବେ କିଛିଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳର କୁଲ୍ଦୀପ ଦାସ ନାମକ ଜଣେ ଯୁବକ ନିଜର କାର୍ ବିକ୍ରି ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଜ୍୍ୟାପନ ଦେଖି ଦୁଇ ଠକ କୁଲ୍ଦୀପଙ୍କ ସହ ଯୋଗାଯୋଗ କରିଥିଲେ। ଆଉ କାର୍ କିଣିବା ପାଇଁ ଆଗ୍ରହ ଦେଖାଇଥିଲେ। ଯୋଜନା ମୁତାବକ ଶନିବାର ସକାଳେ ଦୁଇ ଠକ ଟ୍ରାଇଡେଣ୍ଟ କଲେଜ୍ ନିକଟରେ ପହଞ୍ଚି କୁଲ୍ଦୀପଙ୍କୁ ଫୋନ୍କରି କାର୍ ଆଣିବାକୁ କହିଥିଲେ। କୁଲ୍ଦୀପ ପହଞ୍ଚିବା ପରେ ସେମାନେ ଟେଷ୍ଟ ଡ୍ରାଇଭ୍ ପାଇଁ କହିଥିଲେ। ଟେଷ୍ଟ ଡ୍ରାଇଭ୍ରେ ଯାଇ ଆଉ ଫେରି ନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ନଫେରିବାରୁ କୁଲ୍ଦୀପ ତୁରନ୍ତ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ।
ପୁଲିସ ଉଭୟଙ୍କ ନମ୍ବର ଟ୍ରାକିଂ ଓ ସିସିଟିଭି ଯାଞ୍ଚ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ସେମାନେ ଜାତୀୟ ରାଜପଥରେ ବାଲେଶ୍ବର ଆଡ଼କୁ ଯାଉଥିବା ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ ପିଛା କରିବା ସହ ପାଣିକୋଇଲି ପୁଲିସକୁ ଜଣାଇଥିଲା। ପରେ ପୁଲିସ ଉଭୟଙ୍କୁ ସେଠାରେ କାବୁ କରିଥିଲା। ସେଠାରୁ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ପରେ ଉଭୟଙ୍କୁ କୋର୍ଟଚାଲାଣ କରିଛି। ଜେରା ବେଳେ ଜଣାପଡ଼ିଥିଲା ଯେ ଏମାନେ ଧରା ନପଡ଼ିବା ପାଇଁ ରାସ୍ତାରେ ଗାଡ଼ି ନମ୍ବର ବଦଳାଇ ଦେଉଥିଲେ। ଜବତ ଦୁଇଟି କାର୍ରୁ ଗୋଟିଏ ପଶ୍ଚିମବଙ୍ଗରୁ ମଧ୍ୟ ଆଣିଥିବା ଜଣାପଡ଼ିଛି। ଓଡ଼ିଶାକୁ ଆସିଥିବାରୁ ସେଥିରେ ଓଡ଼ିଶା ନମ୍ବର ଲଗାଇଥିଲେ। ତେବେ ଏମାନଙ୍କ ନାଁରେ ଆହୁରି ଅଧିକ ମାମଲା ଥିବା ପୁଲିସ ଆଶଙ୍କା କରିଛି। ସେହିପରି ଗ୍ୟାଙ୍ଗରେ ମଧ୍ୟ ଏକାଧିକ ସଦସ୍ୟ ସାମିଲ ଥିବା ପୁଲିସ ଅନୁମାନ କରୁଛି। ତେଣୁ ସେମାନଙ୍କ ଆପରାଧିକ ଇତିହାସ ଜାଣିବା ପାଇଁ ସ୍ଥାନୀୟ ପୁଲିସ ସହ ଯୋଗାଯୋଗ କରିଛି। ଦରକାର ପଡ଼ିଲେ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




