ମହାନଗର

Bought: ମାଠିଆ କିଣି ଫିଙ୍ଗିଦେଲେ

ଜଳଛତ୍ର ପାଇଁ ମାଠିଆ କିଣାହେଲା। କିନ୍ତୁ ଏହା ଜଳଛତ୍ରକୁ ଯିବା ବଦଳରେ ଭୁବନେଶ୍ବର ମହାନଗର ନିଗମ ପାର୍କିଂରେ ପଡ଼ିଛି। ଦୁଇବର୍ଷ ହେଲାଣି ଏହି ମାଠିଆ ସେହିଭଳି ପଡ଼ି ରହିଥିବା

ଭୁବନେଶ୍ୱର: ଜଳଛତ୍ର ପାଇଁ ମାଠିଆ କିଣାହେଲା। କିନ୍ତୁ ଏହା ଜଳଛତ୍ରକୁ ଯିବା ବଦଳରେ ଭୁବନେଶ୍ବର ମହାନଗର ନିଗମ ପାର୍କିଂରେ ପଡ଼ିଛି। ଦୁଇବର୍ଷ ହେଲାଣି ଏହି ମାଠିଆ ସେହିଭଳି ପଡ଼ି ରହିଥିବା ବେଳେ ଏଥିରୁ କିଛି ପଡ଼ି ପଡ଼ି ଭାଙ୍ଗିଗଲାଣି। ଆଉ କିଛି କର୍ମଚାରୀମାନେ ନେଇଗଲେଣି। ଯେଉଁଠି ଜଳଛତ୍ରରେ ମାଠିଆ ନାହିଁ, ସେଠି ମାଠିଆ କିଣି ଭୁବନେଶ୍ବର ମହାନଗର ନିଗମ ନଷ୍ଟ କରିବା ଦୁର୍ଭାଗ୍ୟଜନକ।
ଖରାକୁ ଆଖି ଆଗରେ ରଖି ପ୍ରସ୍ତୁତି ବୈଠକ ହେଲା। ପିଇବା ପାଣି ପାଇଁ ସବୁ ୱାର୍ଡରେ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନେଲେ। ସପ୍ତାହେ ଭିତରେ ଅଚଳ ଟ୍ୟୁବୱେଲ୍‌କୁ ସଚଳ କରିବାକୁ ନିର୍ଦ୍ଦେଶ ଦିଆଗଲା। ପାନୀୟ ଜଳ କିଓସ୍କକୁ ବି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ମିଳିଲା। କିନ୍ତୁ ଏହି ନିଷ୍ପତ୍ତି ଓ ନିର୍ଦ୍ଦେଶ କେବଳ ବୈଠକରେ ସୀମିତ ରହିଛି। ମୁଣ୍ଡଫଟା ତାତିରେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ିଲାଣି। ତଥାପି ଭୁବନେଶ୍ବର ମହାନଗର ନିଗମର ନିଦ ଭାଙ୍ଗୁନି। ଆଜି ସୁଦ୍ଧା ସବୁ ୱାର୍ଡରେ ଜଳଛତ୍ର ଖୋଲି ପାରିନି। ଯେଉଁଠି ବି ଖୋଲିଛି, ସେଠି ମାଠିଆ ନାହିଁ କି ପାଣି ନାହିଁ। ଏଣୁ ଖରାରେ ଆଗନ୍ତୁକମାନେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି। ସେପଟେ ପ୍ରମୁଖ ଛକ, ବସ୍‌ ରହଣୀସ୍ଥଳରେ ଛାୟାପ୍ରଦ ସେଡ୍‌ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଛାଇ ତଳେ ମୁଣ୍ଡ ଗୁଞ୍ଜିବାକୁ ବାର ଦୁଆର ହେଉଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମପ୍ରବାହ ପ୍ରସ୍ତୁତି ନେଇ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ମାର୍ଗଦର୍ଶିକ ଜାରି କରାଯାଇଥିଲା। ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି ସବୁଠି ପାନୀୟ ଜଳ ବ୍ୟବସ୍ଥା କରିବାକୁ ସରକାର କହିଥିଲେ। ଅଚଳ ପାନୀୟ ଜଳ କିଓସ୍କ, ଟ୍ୟୁବୱେଲ୍‌ ଆଦିକୁ ସଚଳ କରିବା ସହ ତାତିରୁ ରକ୍ଷା ଉପରେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଥିଲା। ଛାୟାପ୍ରଦ ସେଡ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏହି ନିର୍ଦ୍ଦେଶ ଅଦ୍ୟାବଧି ଅନୁପାଳନ ହୋଇନି।

ଗତବର୍ଷ ଭୁବନେଶ୍ବର ମହାନଗର ନିଗମର ୬୭ଟି ୱାର୍ଡରେ ୧୧୮ଟି ଜଳଛତ୍ର ଖୋଲିଥିଲା। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩ ମାସ ପାଇଁ ମାସିକ ୨୫ହଜାର ଟଙ୍କା ଦେଇ ଜଳଛତ୍ର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଗତବର୍ଷ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଟଙ୍କା ନେଲେ ସିନା, କେହି ଠିକ୍‌ରେ ଜଳଛତ୍ର ପରିଚାଳନା କଲେନି। କେଉଁଠି ମାଠିଆ ନ ଥିଲା ତ କେଉଁଠି ମାଠିଆ ଥିଲେ ବି ପାଣି ନଥିଲା। ଚଳିତବର୍ଷ ବି ପୂର୍ବଭଳି ୧୧୮ଟି ସ୍ଥାନରେ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଦେଖି ସବୁ ୱାର୍ଡରେ ଜଳଛତ୍ର କରିବାକୁ କୁହାଯାଇଛି। କିନ୍ତୁ କାଁ ଭାଁ ସ୍ଥାନକୁ ଛାଡ଼ିଦେଲେ, କେଉଁଠି ବି ଜଳଛତ୍ର ଖୋଲିନି। ନିକଟରେ ଭୁବନେଶ୍ବର ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଏକ ଜଳଛତ୍ର ଭୁବନେଶ୍ବର ମହାନଗର ନିଗମ ଖୋଲିଛି। କିନ୍ତୁ ଏଠାରେ ମାଠିଆ ନାହିଁ କି ପାଣି ନାହିଁ। ଏହା କେବଳ ଉଦାହରଣ ମାତ୍ର।

ସେପଟେ ୱାଟ୍‌କୋକୁ ଅଚଳ ଟ୍ୟୁବୱେଲ୍‌, ପାନୀୟ ଜଳ କିଓସ୍କ ଆଦି ସଜାଡ଼ିବାକୁ କୁହାଯାଇଥିଲା। ତା ବି ହୋଇନଥିବାରୁ ଅନେକ କିଓସ୍କରୁ ପାଣି ଆସୁନି। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ବର ମହାନଗର ନିଗମର ଦାୟିତ୍ବନ୍ୟସ୍ତ ଅଧିକାରୀଙ୍କୁ କୁହାଯାଇଥିଲା। କିନ୍ତୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି କି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button