E-Ride: ୧୦ ରୁଟ୍ରେ ସୀମିତ ଇ-ରାଇଡ୍
ରାଜଧାନୀରେ ପରିବେଶ ଅନୁକୂଳ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଗତ ଜୁଲାଇ ୨୦୨୨ରେ କ୍ରୁଟର ଇ-ରାଇଡ୍ ବା ଇ-ଅଟୋ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମୋ’ ବସ୍.....

ଭୁବନେଶ୍ୱର: ରାଜଧାନୀରେ ପରିବେଶ ଅନୁକୂଳ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଗତ ଜୁଲାଇ ୨୦୨୨ରେ କ୍ରୁଟର ଇ-ରାଇଡ୍ ବା ଇ-ଅଟୋ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମୋ’ ବସ୍ ଯାତାୟାତ କରୁନଥିବା ଗଳିକନ୍ଦିରେ ଯାତ୍ରୀଙ୍କୁ ଆଣି ଆମ ବସ୍ ଷ୍ଟାଣ୍ଡ୍ରେ ଛାଡ଼ିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା। ମାତ୍ର ଏବେ ବି ବହୁ ଗଳିକନ୍ଦିରେ ଏହି ସେବା ପହଞ୍ଚିପାରିନାହିଁ। ଲୋକଙ୍କ ଚାହିଦା ବଢ଼ୁଥିଲେ ବି ପ୍ରଶାସନ ସାଢ଼େ ତିନି ବର୍ଷ ମଧ୍ୟରେ ରୁଟ୍ ସଂଖ୍ୟା ବଢ଼ାଇ ପାରୁନାହିଁ। ଫଳରେ ‘ଆମ ବସ୍’ ଷ୍ଟପ୍ଠାରୁ ଦୂରରେ ଥିବା ବହୁ ଅଞ୍ଚଳ ଯେପରିକି ଆଇଆର୍ସି ଭିଲେଜ୍, ନୂଆପଲ୍ଲୀ, ଜଗନ୍ନାଥନଗର, ଜିଜିପି କଲୋନି, ପାଣ୍ଡରା ପରି ବହୁ ଅଞ୍ଚଳର ଯାତ୍ରୀମାନଙ୍କୁ ବସ୍ ଷ୍ଟପ୍ ନିକଟରେ ପହଞ୍ଚିବା ପାଇଁ ଘରୋଇ ଅଟୋ ଅଥବା ଅନ୍ଲାଇନ ବୁକିଂ ଉପରେ ନିର୍ଭର କରିବାକୁ ପଡ଼ୁଛି।
ସେହିପରି ଆରମ୍ଭରେ ୧୩ଟି ରୁଟ୍ରେ ଇ-ଅଟୋ ଚଳାଚଳ ପାଇଁ ଯୋଜନା ହୋଇଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୧୦ଟି ରୁଟ୍ ଯଥା କିଟ୍ କ୍ୟାମ୍ପସ-ପ୍ରଶାନ୍ତିବିହାର, ଇନ୍ଫୋସିଟି ଗେଟ୍ ମଧ୍ୟରେ, ପଟିଆ ଥାନା-କିଟ୍ ଛକ, ଆଇଟିଇଆର-ଆଇଗିଣିଆ, ଭି୨-ଉଦୟଗିରିବିହାର, ଏମ୍ସ୍-ଆଲୁଗଦି, କେ୯-ଏମ୍ସ, ଡିଏନ୍ ସ୍କୋୟାର-ଏମ୍ସ୍ ଛକ, ହନୁମାନ ମନ୍ଦିର-କଳିଙ୍ଗନଗର ବିକ୍ୟୁଏସ୍ ପର୍ଯ୍ୟନ୍ତ ୩୫ଟି ଅଟୋ ଚାଲୁଛି। ହେଲେ ଯେହେତୁ ଏହି ରୁଟ୍ରେ ସକାଳ ୯ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅଟୋ ଚାଲୁଛି ଫଳସ୍ୱରୁପ ଅଞ୍ଚଳବାସୀ ସନ୍ଧ୍ୟା ପରେ ଘରୋଇ ଅଟୋ କିମ୍ୱା ଟ୍ୟାକ୍ସିରେ ଅଧିକ ପଇସା ଖର୍ଚ୍ଚ କରି ମୁଖ୍ୟରାସ୍ତାକୁ ଆସୁଛନ୍ତି। ଇ-ଅଟୋରେ ଯେଉଁଠି ୧୦ ଟଙ୍କା ପଡ଼ୁଛି, ସେଠି ଘରୋଇ ଅଟୋ ୩୦ ଟଙ୍କା ଦାବି କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ରାଜରାସ୍ତାରେ ୫୦ଟି ବ୍ୟାଟେରି ଅଟୋ ଚାଲିଥିଲା। ଏହି ଅଟୋ କେବଳ ମହିଳା ଓ କିନ୍ନରମାନେ ଚଳାଇବେ ବୋଲି ନିଷ୍ପତ୍ତି କରାଯାଇଥିଲା। ପ୍ରଥମ ୫୦ ଅଟୋ ଚଳାଇବା ପାଇଁ ପ୍ରାୟ ୧୨ ଜଣ କିନ୍ନର ଆଗ୍ରହ କରିଥିଲେ। କିନ୍ତୁ ବର୍ଷଟିଏ ନ ହେଉଣୁ ସମସ୍ତ କିନ୍ନର ସାରଥି ଏହି ଅଟୋ ସେବା ଛାଡ଼ି ଦେଇଥିଲେ। ବର୍ତ୍ତମାନ ମାତ୍ର ଜଣେ କିନ୍ନର ଅଟୋ ଚଳାଉଛନ୍ତି। ସେହିପରି ୩୫ଜଣ ମହିଳା କାର୍ଯ୍ୟ କରୁଛନ୍ତି।
ଏନେଇ କ୍ରୁଟ୍ର ପ୍ରବନ୍ଧକ(ଅପରେସନ) ଜୟନ୍ତ କୁମାର କହିଛନ୍ତି ଯେ ସେକ୍ରେଟାରିଏଟ୍, ଇନ୍ଫୋସିଟି ଓ ଆଇଆର୍ସି ଭିଲେଜ୍ରେ ତିନିଟି ଲୁପ୍ ଆମେ ଚିହ୍ନଟ କରୁଛି। ଏହି ଅଞ୍ଚଳକୁ ସଂଯୋଗ କରିବା ପାଇଁ କେଉଁ ରୁଟ୍ ହେବ ସେଥିପାଇଁ ସର୍ଭେ ଚାଲିଛି। ଖୁବ ଶୀଘ୍ର ଚାଲିବ ବୋଲି ଆମେ ଆଶା କରିଛୁ। ସେହିପରି ବର୍ତ୍ତମାନ ଲାଇସେନ୍ସ ପ୍ରାପ୍ତ ୯ଜଣ ମହିଳା ପ୍ରଶିକ୍ଷଣ ନେଉଛନ୍ତି। ଆହୁରି ୩୦ଜଣଙ୍କୁ ଖୁବ ଶୀଘ୍ର ପ୍ରଶିକ୍ଷଣ ଦିଆଯିବ।
ସୌଜନ୍ୟ ସମ୍ବାଦ




