Iran threatens America: ଗ୍ୟାରେଣ୍ଟି ଦିଅ ନଚେତ୍ ମୁଣ୍ଡ ବଦଳରେ ମୁଣ୍ଡ ଗଡ଼ିବ; ଆମେରିକାକୁ ଧମକାଇଲା ଦେଲା ଇରାନ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଆମେରିକାକୁ ଧମକ ଦେଇଛି। ଇରାନ କହିଛି ଆମର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଏକ ଚୁକ୍ତି ଚାହୁଁଛି।

ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଆମେରିକାକୁ ଧମକ ଦେଇଛି। ଇରାନ କହିଛି ଆମର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଏକ ଚୁକ୍ତି ଚାହୁଁଛି। ଏହା ପରେ ଇରାନ ପକ୍ଷରୁ ଏପରି କଡ଼ା ବୟାନ ଦିଆଯାଇଛି। ଇରାନର ସାମରିକ ପରାମର୍ଶଦାତା ମୋହସେନ୍ ରେଜାଇ ସ୍ପଷ୍ଟ ଭାବରେ କହିଛନ୍ତି , ଆମର ସମସ୍ତ ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ସେ କହିଛନ୍ତି, ଇରାନ ପଛକୁ ହଟିବ ନାହିଁ। ଇରାନକୁ କ୍ଷତି ପାଇଁ ପୂର୍ଣ୍ଣ କ୍ଷତିପୂରଣ, ସମସ୍ତ ଆର୍ଥିକ କଟକଣା ଉଠାଇବା ଏବଂ ଆମେରିକା ଆମର ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ବୋଲି ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଆବଶ୍ୟକ।
ମୁଣ୍ଡ ପାଇଁ ମୁଣ୍ଡ ଗଡ଼ିବ
ସେ ଆହୁରି କହିଛନ୍ତି ଯେ, ଏଥର ପ୍ରତିକ୍ରିୟା ପୂର୍ବ ପରି ହେବ ନାହିଁ। ଏଥର ଆଖି ପାଇଁ ଆଖି ନୁହେଁ, ବରଂ ମୁଣ୍ଡ ପାଇଁ ମୁଣ୍ଡ ଗଡ଼ିବ। ବିରୋଧୀମାନଙ୍କୁ ଉପସାଗରୀୟ ଅଞ୍ଚଳ ଛାଡିବାକୁ ବାଧ୍ୟ କରାଯିବ। ଇରାନ ସେନା ପୂର୍ଣ୍ଣ ବଳ ସହିତ କାର୍ଯ୍ୟ କରୁଛି ଏବଂ ଯୁଦ୍ଧ ସମୟରେ ଚାପ ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛି।
ଯୁଦ୍ଧରେ ବିଜୟ ପାଇଁ ଆଉ କୌଣସି ବାଟ ନାହିଁ
ରେଜାଇ ଦାବି କରିଛନ୍ତି, ଆମେରିକା ରାଜି ଥିବାରୁ ଏହି ଯୁଦ୍ଧ ଗୋଟିଏ ସପ୍ତାହ ପୂର୍ବରୁ ଶେଷ ହୋଇପାରିଥାନ୍ତା, କିନ୍ତୁ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଜାରି ରଖିବାକୁ ଚାପ ପକାଇଥିଲେ। ଆମେରିକା ଏବେ ଅନୁଭବ କରିଛି, ଯୁଦ୍ଧରେ ବିଜୟ ପାଇଁ ଆଉ କୌଣସି ବାଟ ନାହିଁ। ଅନ୍ୟ ପକ୍ଷରେ, ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଜଣେ ବରିଷ୍ଠ ଇରାନୀ ନେତାଙ୍କ ସହ ଆଲୋଚନା କରୁଛି। ଇରାନ ଏକ ଆପୋଷ ସମାଧାନ କରିବାକୁ ଚାହୁଁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ପ୍ରତିନିଧି ଷ୍ଟିଭ୍ ୱିଟକଫ ଏବଂ ଜାରେଡ୍ କୁଶନର ମଧ୍ୟ ଜଣେ ଇରାନୀ ନେତାଙ୍କ ସହ କଥା ହୋଇଛନ୍ତି। ତେବେ ଟ୍ରମ୍ପ ସେହି ନେତାଙ୍କ ନାମ ନେଇ ନାହାନ୍ତି।
ସୌଜନ୍ୟ ସମ୍ବାଦ




