ଓଡିଶା

School: ମହୁଲ ପାଇଁ ସ୍କୁଲ ଖାଲି: ଶିକ୍ଷକ ଅଛନ୍ତି, ପିଲା ନାହାନ୍ତି

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଗାଁମାନଙ୍କରେ ଥିବା ସ୍କୁଲଗୁଡ଼ିକ ଖାଲି ପଡ଼ିଛି। ସ୍କୁଲକୁ ଶିକ୍ଷକ ଆସୁଥିଲେ ହେଁ ଛାତ୍ରଛାତ୍ରୀଙ୍କର ଦେଖା ମିଳୁନାହିଁ।

କିଶୋର କୁମାର ସାହୁ

ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଗାଁମାନଙ୍କରେ ଥିବା ସ୍କୁଲଗୁଡ଼ିକ ଖାଲି ପଡ଼ିଛି। ସ୍କୁଲକୁ ଶିକ୍ଷକ ଆସୁଥିଲେ ହେଁ ଛାତ୍ରଛାତ୍ରୀଙ୍କର ଦେଖା ମିଳୁନାହିଁ। ମାଟ୍ରିକ୍‌ ପରୀକ୍ଷା ସରିବା ପରେ ପ୍ରଥମରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହୋଇଥିଲା। ଏଥିରେ ବି ଶହ ଶହ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଦେଖାଯାଇଛି। ଏ ନେଇ ‘ସମ୍ବାଦ’ ଟିମ୍ ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ସ୍ଥିତି ପରଖିଥିଲା। କେଉଁଠି ଶିକ୍ଷକ ଥିଲେ ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି କମ୍ ଛାତ୍ରଛାତ୍ରୀରେ ଅଧିକ ଶିକ୍ଷକ ଥିବା ଦେଖିବାକୁ ମିଳିଛି।

ଦେଓଗାଁ ବ୍ଲକ୍‌ର ବଣଜଙ୍ଗଲଘେରା ରାମଚନ୍ଦ୍ରପୁର ପଲ୍ଲିଶ୍ରୀ ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଦଶମ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ଆଉ ସ୍କୁଲକୁ ଆସୁ ନଥିବା ବେଳେ ନବମ ଶ୍ରେଣୀରେ ରହିଛନ୍ତି ମାତ୍ର ୪୭ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ଦାଦନ ଯାଇଥିବାରୁ ୮ ଜଣ ୪ ମାସ ହେଲା ଲଗାତାର ଅନୁପସ୍ଥିତ ରହୁଛନ୍ତି। ବାର୍ଷିକ ପରୀକ୍ଷା ଦେଇଥିବା ୩୯ ଜଣ ପିଲା ମଧ୍ୟ ବର୍ତ୍ତମାନ ପାଠ ପଢ଼ିବାକୁ ଆସୁ ନ ଥିବାରୁ ସ୍କୁଲରେ କେବଳ ଶିକ୍ଷକ ରହିଛନ୍ତି। ଏ ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଗ୍ରୀଷ୍ମ ମାସ ଆରମ୍ଭ ହେଲେ ଆମ ସ୍କୁଲରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ଶିକ୍ଷକମାନେ ନିୟମିତ ଆସୁଥିବାବେଳେ ଛାତ୍ରଛାତ୍ରୀ ମହୁଲ ଟୋଲ ଗୋଟାଇବାକୁ ପଳାଉଛନ୍ତି। ଏପରିକି ଅଭିଭାବକମାନଙ୍କୁ ଡାକି ଯେତେ ବୁଝାଇଲେ ମଧ୍ୟ କିଛି ଫରକ ପଡୁନି, ବରଂ ସେମାନେ ପୁଅଝିଅକୁ ଧରି ମହୁଲ ସଂଗ୍ରହ ପାଇଁ ଚାଲି ଯାଉଛନ୍ତି। ଯାହାଫଳରେ ଗତ ମଙ୍ଗଳବାର ଦିନ ଜଣେ ମଧ୍ୟ ପିଲା ନ ଆସିବାରୁ ରୋଷେଇ କରିବାକୁ ଆସିଥିବା ପାଚିକା ଫେରି ଯାଇଥିଲେ।

ଏ ସମ୍ପର୍କରେ ଅବସରପ୍ରାପ୍ତ ବିଇଓ ସଂକୀର୍ତ୍ତନ ବାଗ କହିଛନ୍ତି ଯେ ଆମର ୮ଟି ପଞ୍ଚାୟତର ଲୋକେ ଠିକ୍ ଭାବେ କାମ ପାଉ ନ ଥିବାରୁ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି। ଗାଁର ବହୁ ଘରେ ତାଲା ଝୁଲୁଛି। ପିଲାମାନେ ବି ପରିବାର ସହ ଯାଇଛନ୍ତି। କିନ୍ତୁ ଏବେ ଅଷ୍ଟମ ଓ ନବମ ଶ୍ରେଣୀର ପିଲା ମହୁଲ ସଂଗ୍ରହ ପାଇଁ ଚାଲିଯାଉଛନ୍ତି। ଯାହା ଫଳରେ ବିଦ୍ୟାଳୟର ଅବସ୍ଥା ଏମିତି। ଏ ନେଇ ଜିଲ୍ଲାଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ସମ୍ପର୍କରେ ସେ କିଛି କହିବାକୁ ମନା କରିଥିଲେ। ତେବେ ଖାଲି ଦେଓଗାଁର ରାମଚନ୍ଦ୍ରପୁର ନୁହେଁ, ଗୁଡ଼ଭେଲା ବ୍ଲକ୍‌ର ଜାମୁଟ, ଘୂନା, ଗଭାରସା, ସିକେଲପଦର, ଗମ୍ଭାରୀଗୁଡ଼ାରେ ଥିବା ସ୍କୁଲକୁ ମଧ୍ୟ କମ୍ ପିଲା ଆସୁଥିବା ଦେଖିବାକୁ ମିଳିଛି।

 

 

 

 

ସୌଜନ୍ୟ ସମ୍ବାଦ

 

 

Show More

Leave a Reply

Your email address will not be published. Required fields are marked *

Back to top button