Police clash: ବେଆଇନ ବ୍ଲାଷ୍ଟିଙ୍ଗକୁ ବିରୋଧ, ପୁଲିସ-ଗ୍ରାମବାସୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବୃଷବନ୍ଧ ପାହାଡ଼ ଖାତା ନମ୍ବର ୨୧୪ ସ୍ଲଟ ନମ୍ବର ୫୫୪କୁ ସତ୍ୟପ୍ରିୟ ଶ୍ରୀଚନ୍ଦନ ନାମକ ଜଣେ ବ୍ୟକ୍ତି ସରକାରୀ ଭାବେ ନିଲାମ ନେଇଛନ୍ତି। ତେବେ ସେ ଅନ୍ୟ ଜଣେ ବ୍ୟକ୍ତି ସମୀର ଭୂଜବଳ ଗୁମାସ୍ତା ସରକାରୀ...

ଟାଙ୍ଗୀ (ମନୋଜ ପଟ୍ଟନାୟକ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବୃଷବନ୍ଧ ପାହାଡ଼ ଖାତା ନମ୍ବର ୨୧୪ ସ୍ଲଟ ନମ୍ବର ୫୫୪କୁ ସତ୍ୟପ୍ରିୟ ଶ୍ରୀଚନ୍ଦନ ନାମକ ଜଣେ ବ୍ୟକ୍ତି ସରକାରୀ ଭାବେ ନିଲାମ ନେଇଛନ୍ତି। ତେବେ ସେ ଅନ୍ୟ ଜଣେ ବ୍ୟକ୍ତି ସମୀର ଭୂଜବଳ ଗୁମାସ୍ତା ସରକାରୀ ପାହାଡ଼କୁ ବେଆଇନ ବ୍ଲାଷ୍ଟିଙ୍ଗ କରି ଫଟାଇବା ଫଳରେ ଏହି ଥାନା ଅଧିନସ୍ଥ କୁଞ୍ଜୁରୀ ପଞ୍ଚାୟତ ଆଡିଆପଡା ଗ୍ରାମବାସୀ ପଥରଖଣ୍ଡ ଚାରିଆଡେ ପଡିବା ଫଳରେ ସେମାନେ କ୍ଷତିଗ୍ରସ୍ଥ ହେଉଥିବା ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ପ୍ରତିକାର ନହେବାରୁ ଗଣ୍ଡଗୋଳ ସୃଷ୍ଟି ହେଉଥିଲା। ଏହି ଘଟଣାକୁ ନେଇ ଠିକାଦାର ଏହି ଥାନା ଅଧୀନସ୍ଥ ଆଡ଼ିଆପଡ଼ାର ବସନ୍ତ ମହାରଥିଙ୍କ ବିରୁଦ୍ଧରେ ଥାନାରେ ବାରମ୍ବାର ଅଭିଯୋଗ ପରେ ତାଙ୍କ ବିରୁଦ୍ଧରେ ଚାରୋଟି ମୋକଦମା ଥିବାରୁ ତାଙ୍କୁ ଆଜି ଟାଙ୍ଗୀ ପୁଲିସ ଉଠାଇ ଆଣିଥିଲେ।
ଅପରାହ୍ନ ପ୍ରାୟ ୪ଟାରେ ବସନ୍ତଙ୍କୁ ପୁଲିସଛାଡ଼ିବା ପାଇଁ ଆଡିଆପଡ଼ାର ଶତାଧିକ ମହିଳା ଟାଙ୍ଗୀ ଥାନା ପ୍ରବେଶ ଦ୍ବାରରେ ଧାରଣା ଦେଇଥିଲେ। ଏହି ସମୟରେ ଉତ୍ୟକ୍ତ ମହିଳାମାନେ ଥାନା ଭିତରକୁ ବଳପୂର୍ବକ ପ୍ରବେଶ ପାଇଁ ଧସ୍ତାଧସ୍ତି କରିଥିଲେ। ଧସ୍ତାଧସ୍ତି ସମୟରେ ଆଡିଆପଡ଼ାର ସତ୍ୟ ଦାସ ଓ ଜ୍ବୋସ୍ନା ମହାରଥି ଦୁଇ ମହିଳା ଅଚେତ ହୋଇପଡିଥିଲେ। ଏହି ଦୁଇ ମହିଳାଙ୍କୁ ପାଣି ମାରି ଚେତା କରାଉଥିବା ସମୟରେ ଥାନା ଭିତରକୁ ନଯିବା ପାଇଁ ସୁରକ୍ଷା ଦାୟିତ୍ୱ ରେ ଥିବା କିଛି ପୁଲିସ କର୍ମଚାରୀଙ୍କୁ ଅନେକ ମହିଳା ଅତର୍କିତ ପାଣି ପାଉଚ ମାଡ କରିବା ଆରମ୍ଭ କରିଦେଇଥିଲେ।
ପାଣି ପାଉଚ ମାଡ଼କୁ ପ୍ରତିହତ କରିବା ପାଇଁ ଆଇଆଇସି ରବୀନ୍ଦ୍ର ଭୂଜବଳଙ୍କ ସମେତ ସମସ୍ତ ଅଫିସର ଓ କର୍ମଚାରୀ ଉତ୍ୟକ୍ତ ଦୁଇଶହରୁ ଊର୍ଦ୍ଧ୍ବ ଉଭୟ ମହିଳା ପୁରୁଷଙ୍କୁ ଥାନା ପରିସରରୁ ହଟିବା ପାଈ ଲାଠି ଧରି ଗୋଡ଼ାଇବା ବେଳେ ପୁଲିସ ଉପରକୁ ପଥରମାଡ଼ ଆରମ୍ଭ କରିଥିଲେ। ଫଳରେ ପୁଲିସ ଲାଠି ପ୍ରହାର ଆରମ୍ଭ କରିଥିଲା। ପୁଲିସର ଲାଠି ମାଡ଼ରେ ଆଡାଆପଡାର ବସନ୍ତ ଦାସଙ୍କ ପତ୍ନୀ ସତ୍ୟ, ମାଟିଆ ଦାସଙ୍କ ପତ୍ନୀ ସଂଜୁକ୍ତା, ଗଣେଶ ମହାରଥିଙ୍କ ପତ୍ନୀ କୈଶଲ୍ୟା, ବ୍ରଜବନ୍ଧୁ ସାମନ୍ତସିଙ୍ଗାର ପତ୍ନୀ ଝତଣା, ଛେତ ସାମସଲଙ୍କ ପତ୍ନୀ ପ୍ରେମୀ ଦେଇଙ୍କ ସମେତ ୧୦ରୁ ଅଧିକ ମହିଳା ଆହତ ହୋଇଥିଲେ। ଆହତ ମହିଳାମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଏହି ଲାଠି ମାଡରେ କିଛି ପୁରୁଷ ମଧ୍ୟ ଆହତ ହୋଇଥିବା ଜଣାପଡିଛିା ପୁଲିସ ମଧ୍ୟ ଉତ୍ୟକ୍ତ ଲୋକଙ୍କ ଅର୍ନଗଳ ପଥରମାଡ଼ରେ ଶିକାର ହୋଇଥିବା ବେଳେ ଖୋଦ ଆଇଆଇସି ଶ୍ରୀ ଭୂଜବଳଙ୍କ ଗୋଡରେ ଗୁରୁତର ଆହତ ଲାଗିଛି। ସବଇନସପେକ୍ଟର ଏସ କେ ମୁର୍ମୁ ଆହତ ହୋଇଥିବା ବେଳେ ସବଇନସପେକ୍ଟର ଆର କେ ମହାକୁଡ, ହୋମଗାର୍ଡ ରାଜେନ୍ଦ୍ର ବିଶ୍ବାଳ ଆହତ ହୋଇଥିବା ଜଣାପଡିଛିା ଅପରାହ୍ନ ସାଢେ ପାଞ୍ଚଟା ସାଢେ ୬ଟା ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଏପରିକି ମହିଳା ଓ ପୁରୁଷମାନେ ଥାନା ସମ୍ମୁଖରେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ସେମାନଙ୍କ ଗାଁକୁ ଫେରାନଥିବା, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଭିଡ଼ ଲାଗିରହିଛି। ବେଆଇନ ବ୍ଲାଷ୍ଟିଙ୍ଗକୁ ବିରୋଧ ଆଜିର ପରିସ୍ଥିତି ପାଇଁ ପ୍ରମୁଖ କାରଣ ବୋଲି ଜଣାପଡ଼ିଛିା ଏଭଳି ଅଭାବନିୟ ତଥା ଉତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛିା ଥାନା ପରିସରରେ କୁଆପଥର ଭଳି ଢେଲା ପଥରମାଡ଼ରେ ଛାଇଯିବା ସହ ଅଭାବନିୟ ସଂଗିନ ପରିସ୍ଥିତି ଦେଖିବାକୁ ମିଳିଛି।
ସୌଜନ୍ୟ ସମ୍ବାଦ




