ଓଡିଶା
Electricity rate: ବିଦ୍ୟୁତ୍ ଦର ଅପରିବର୍ତ୍ତିତ: ସଂଯୋଗ ବିଚ୍ଛିନ୍ନ ହୋଇଥିଲେ ଫେରିପାଇବେ ସିକ୍ୟୁରିଟି ଜମା
୨୦୨୬-୨୭ ଆର୍ଥିକ ବର୍ଷରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢ଼ିବ ନାହିଁ। ଅର୍ଥାତ୍ ଦର ଅପରିବର୍ତ୍ତିତ ରହିବ। ସିଧା ସିଧା କହିଲେ, ସାଧାରଣ ଉପଭୋକ୍ତାଙ୍କ ପାଇଁ ମାସିକ ବିଲ୍ ୫୦ ୟୁନିଟ୍ ଯାଏଁ ୟୁନିଟ୍ ପିଛା ୨.୯୦ ଟଙ୍କା ଓ ୫୦ରୁ ୨୦୦ ୟୁନିଟ୍କୁ ୪.୭୦ ଟଙ୍କା....

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢ଼ିବ ନାହିଁ। ଅର୍ଥାତ୍ ଦର ଅପରିବର୍ତ୍ତିତ ରହିବ। ସିଧା ସିଧା କହିଲେ, ସାଧାରଣ ଉପଭୋକ୍ତାଙ୍କ ପାଇଁ ମାସିକ ବିଲ୍ ୫୦ ୟୁନିଟ୍ ଯାଏଁ ୟୁନିଟ୍ ପିଛା ୨.୯୦ ଟଙ୍କା ଓ ୫୦ରୁ ୨୦୦ ୟୁନିଟ୍କୁ ୪.୭୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍କୁ ୫.୭୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ପାଇଁ ୟୁନିଟ୍ ପିଛା ୬.୧୦ ଟଙ୍କା ବିଜୁଳି ବିଲ୍ ଆସନ୍ତା ବର୍ଷ ପାଇଁ ବି ବଳବତ୍ତର ରହିବ। ଲଗାତାର ୫ ବର୍ଷ ଅର୍ଥାତ୍ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇ ନାହିଁ। ବରଂ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ୧୦ ପଇସା ହ୍ରାସ କରାଯାଇଥିଲା।
ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦରବୃଦ୍ଧି କରାଯାଇ ନଥିବା ଓଇଆର୍ସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କେବଳ ସେତିକି ନୁହେଁ, ଡିସ୍କମ୍ ତଥା ବିଦ୍ୟୁତ୍ ବିତରକ କମ୍ପାନିଙ୍କ ଉପରେ ଆୟୋଗ କଡ଼ା ନଜର ରଖିଛନ୍ତି। ଏଣିକି ବଣ୍ଟନ କମ୍ପାନିଙ୍କର ପୂରା କାରବାରର ସିଏଜି ଅଡିଟ୍ କରାଯିବ। ଆୟୋଗ ରାଜ୍ୟ ସରକାରଙ୍କୁ ଏ ନେଇ ଅନୁରୋଧ କରିଛନ୍ତି। ଏଥିସହ ଯେଉଁ ଫିଡରଗୁଡ଼ିକ ୫୦%ରୁ ଅଧିକ କ୍ଷତିରେ ରହିଛନ୍ତି, ସେଗୁଡ଼ିକରେ ସ୍ମାର୍ଟ ମିଟରିଂ କରିବା ଲାଗି ରାୟରେ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା କେଉଁଠି କ୍ଷତି ହେଉଛି ତାହା ଜଣାପଡ଼ିବ। ରାଜ୍ୟରେ ଅନେକ ଉପଭୋକ୍ତା ରହିଛନ୍ତି, ଯେଉଁମାନଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ପରେ ମଧ୍ୟ ସିକ୍ୟୁରିଟି ଡିପୋଜିଟ୍ ଅର୍ଥ ନେଇନାହାନ୍ତି। ଡିସ୍କମ୍ମାନେ ବିଜ୍ଞାପନ ପ୍ରକାଶ କରି ଅର୍ଥ ଫେରସ୍ତ ଦିଗରେ ପଦକ୍ଷେପ ନେବେ। ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କୃଷି ଫିଡର୍ ଲୋଡ୍ ୬୦%ରୁ ଅଧିକ ରହୁଛି। ତେଣୁ ରାଜ୍ୟ ସରକାର ସେହି ଅଞ୍ଚଳରେ ସୌରଶକ୍ତି ବ୍ୟବସ୍ଥା କରିବାକୁ ଆୟୋଗ କହିଛନ୍ତି। ଯେଉଁ ଅଞ୍ଚଳରେ ଏଟିଏସ୍ କ୍ଷତି ଅଧିକ ରହୁଛି ସେଠାରେ କେବଳ ଉପଭୋକ୍ତାଙ୍କର ସ୍ମାର୍ଟ ମିଟର ସହ ଫିଡର ଓ ଟ୍ରାନ୍ସଫର୍ମରର ସ୍ମାର୍ଟ ମିଟରିଂ କରିବାକୁ କୁହାଯାଇଛି। ସ୍ମାର୍ଟ ମିଟରଗୁଡ଼ିକର ତୃତୀୟ ପକ୍ଷ ଦ୍ବାରା ସଫ୍ଟୱେର ଅଡିଟ୍ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଲୋକଙ୍କର ଯେଉଁ ଧାରଣା ରହିଛି ଯେ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଛି ତାହା ସାମନାକୁ ଆସିବ। ଡିସ୍କମ୍ଙ୍କର କର୍ମଚାରୀ ନିଯୁକ୍ତି ସମ୍ପର୍କିତ ଖର୍ଚ୍ଚ ଓ ପ୍ରଶାସନିକ ଖର୍ଚ୍ଚ ସର୍ବଭାରତୀୟ ସ୍ତରଠାରୁ ଅଧିକ ରହିଛି। ତେଣୁ ତୁରନ୍ତ କମାଇବାକୁ ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି, ଶିଳ୍ପ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁଳି ଟାରିଫ୍ରେ ବ୍ୟବସ୍ଥା ହୋଇଛି। ଯେଉଁ ସଂସ୍ଥାମାନେ ବ୍ୟବହାର କରୁଥିବା ବିଜୁଳିର ୮୦% ଅତିରିକ୍ତ ବ୍ୟବହାର କରିବେ ସେମାନଙ୍କୁ ବିଜୁଳି ବିଲ୍ରେ ୟୁନିଟ୍ ପିଛା ୨୦ ପଇସା ରିହାତି ଦିଆଯାଉଥିଲା। ଏବେ ତାହାକୁ ୩୦ ପଇସା କରାଯାଇଛି। ମେଗା ଲିଫ୍ଟ ଉପଭୋକ୍ତାଙ୍କ ପାଇଁ ମଧ୍ୟ ସୁବିଧା ରଖାଯାଇଛି। ସୋଲାର ଆୱାର(ସକାଳ ୮ଟାରୁ ଅପରାହ୍ଣ ୪ଟା) ମଧ୍ୟରେ ତାଙ୍କୁ ୟୁନିଟ୍ ପିଛା ୨ ପଇସା ରିହାତି ଦିଆଯିବ। ବିନା ସୋଲାର ଆୱାରରେ ୟୁନିଟ୍ ପିଛା ୧ ପଇସା ଲେଖାଏଁ ରିହାତି ମିଳିବ। ଯେଉଁ ଏଲ୍ଟି ଡୋମେଷ୍ଟିକ୍ ଓ ସିଙ୍ଗଲ୍ ଫେଜ୍ ବର୍ଗର ଉପଭୋକ୍ତା ଡିଜିଟାଲ୍ ମୋଡ୍ରେ ପେମେଣ୍ଟ କରିବେ ତାଙ୍କୁ ୪% ରିହାତି ଦିଆଯାଉଛି। ପ୍ରି-ପେଡ୍ ଗ୍ରାହକଙ୍କ ପାଇଁ ମଧ୍ୟ ଅନୁରୂପ ଭାବେ ୪% ରିହାତି ବ୍ୟବସ୍ଥା ଉପଲବ୍ଧ ହୋଇଛି। ଇ-ବିଲ୍ ଗ୍ରାହକଙ୍କ ବିଲ୍ ପିଛା ୧୦ ଟଙ୍କା ରିହାତି ମିଳିବ। ରେଲୱେ ଟ୍ରାକ୍ସନ୍ କାଟାଗୋରିଙ୍କ ପାଇଁ ୟୁନିଟ୍ ପିଛା ୨୫ ପଇସା ରିହାତି ଦିଆଯିବ। ଯେଉଁମାନେ ସୋଲାର ଆୱାରରେ ବିଦ୍ୟୁତ୍ ବ୍ୟବହାର କରିବେ ସେମାନଙ୍କ ପାଇଁ ୧୦% ରିବେଟ୍ ପାଇବେ।
କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର କରିବାକୁ ପରାମର୍ଶ
ସିଏଜି ଅଡିଟ୍ର ସାମନା କରିପାରନ୍ତି ବିତରକ କମ୍ପାନି
କର୍ମଚାରୀ ଓ ପ୍ରଶାସନିକ ଖର୍ଚ୍ଚ କମ୍ କରିବାକୁ ନିର୍ଦ୍ଦେଶ
ଆଗରୁ ଏହା ୨୦ ପଇସା ରହିଥିଲା। ତେବେ ପିକ୍ ଆୱାର(ସନ୍ଧ୍ୟା ୬ଟାରୁ ରାତି ୧୨ଟା) ମଧ୍ୟରେ ବିଦ୍ୟୁତ୍ ବ୍ୟବହାର କଲେ ଉପଭୋକ୍ତାଙ୍କୁ ୧୦% ଅଧିକ ଦେବାକୁ ପଡ଼ିବ। ଗ୍ରିଡ୍କୋଠାରୁ ବିତରକ କଂପାନିମାନେ କ୍ରୟ କରୁଥିବା ବିଦ୍ୟୁତ୍ ଟାରିଫ୍ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଓପିଟିସିଏଲ୍ ଟ୍ରାନ୍ସମିସନ୍ ଚାର୍ଜ ୟୁନିଟ୍ ପିଛା ୨୫.୫ ପଇସାରୁ ୨୪ ପଇସାକୁ ହ୍ରାସ ପାଇଛି। ଗ୍ରିଡ୍କୋ ୪୯,୮୯୩.୩୯ ନିୟୁତ ୟୁନିଟ୍(ଏମ୍ୟୁ) ବିଦ୍ୟୁତ୍ କିଣିବେ ଏବଂ ୪୧,୧୦୯.୨୮ ନିୟୁତ ୟୁନିଟ୍ ବିକ୍ରୟ କରିବେ। ୨୦୧୫ ପରେ ଗ୍ରିଡ୍କୋର ଯେଉଁ କ୍ଷତି ରହିଥିଲା ତାହାକୁ ଭରଣା କରିବା ଉପରେ ଆୟୋଗ ଗୁରୁତ୍ବ ଦେଇଛନ୍ତି। ଯେଉଁ ୮ ହଜାର ଏମ୍ୟୁ ବଳକା ରହିବ ତାହାକୁ ବିକ୍ରୟ କରି ଗ୍ରିଡ୍କୋ କ୍ଷତି ଭରଣା କରିବ। ଗ୍ରିଡକୋର ହାରାହାରି ବିଦ୍ୟୁତ୍ କ୍ରୟ ୬.୮୩ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଯାହା ୟୁନିଟ୍ ପିଛା ୩୨୬.୬୧ ପଇସା ରହିଥିଲା ଏବେ ତାହା ୩୩୩.୭୪ ପଇସା ହେବ। ଅନୁରୂପ ଭାବେ ଓଏଚ୍ପିସି ଟାରିଫ୍ ସାମାନ୍ୟ ହ୍ରାସ ପାଇଛି। ପୂର୍ବରୁ ୟୁନିଟ୍ ପିଛା ୧୦୦.୨୩ ପଇସା ରହିଥିଲା, ଯାହାକି ଏବେ ୯୮.୨୨ ପଇସା ହୋଇଛି। ଓପିଜିସି ବିଦ୍ୟୁତ୍ ଦର ମଧ୍ୟ ୧୬.୦୯ ପଇସା ହ୍ରାସ କରାଯାଇଛି। ଓଡ଼ିଶାରେ ବିଦ୍ୟୁତ୍ ବିକ୍ରୟ ବଢ଼ୁ ନ ଥିବାରୁ ତ୍ରିପାକ୍ଷିକ ଚୁକ୍ତି ପାଇଁ ରାଜିନାମା କରିବାକୁ ଆୟୋଗ ସୁପାରିସ କରିଛନ୍ତି। ଗ୍ରିଡ୍କେ-ଡିସ୍କମ୍-ଉପଭୋକ୍ତାଙ୍କ ମଧ୍ୟରେ ଏହି ରାଜିନାମା କରାଯିବ।
ଶକ୍ତି ଉତ୍ପାଦନ ସଂସ୍ଥା ବେଦାନ୍ତଠାରୁ ୫,୦୪୩ ମିଲିୟନ୍ ୟୁନିଟ୍(ଏମ୍ୟୁ) ବିଦ୍ୟୁତ୍ ପ୍ରତିବର୍ଷ ରାଜ୍ୟ ସରକାର ଆଣିବା କଥା। ମାତ୍ର ବିଭିନ୍ନ କାରଣ ଯୋଗୁଁ ତାହା ଆସିପାରେ ନାହିଁ। ତେଣୁ ଆୟୋଗ ଏଥର ଗ୍ରିଡ୍କୋକୁ ବେଦାନ୍ତ ପାଖରୁ ବଳକା ପ୍ରାୟ ୨ହଜାର ଏମ୍ୟୁ ୟୁନିଟ୍ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଗ୍ରିଡ୍କୋ ୮ହଜାର ଏମ୍ୟୁ ଅଧିକ ହେବ। ସେଥିମଧ୍ୟରୁ ଗ୍ରିଡ୍କୋ ୬ହଜାର ଏମ୍ୟୁ ଟ୍ରେଡିଂ କରିବ ଏବଂ କ୍ଷତି ଭରଣା କରିବେ। ବେଦାନ୍ତଠାରୁ ଯେଉଁ ୨ହଜାର ଏମ୍ୟୁ ପାଉଛନ୍ତି ତାହାକୁ ବିକ୍ରି କରି ପୂର୍ବରୁ ଥିବା ୨୬୦୦ କୋଟି ଟଙ୍କା ଭରଣା କରିବେ ବୋଲି ଆୟୋଗ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଓଇଆର୍ସିଙ୍କ ସଚିବ ପ୍ରିୟବ୍ରତ ପଟ୍ଟନାୟକ, ଡିଡିପିଏ ମାନସ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




