Ratna bhandara: ଆଜିଠୁ ରତ୍ନଭଣ୍ଡାର ଗଣତିମଣତି: ଗଣତି ବେଳେ କେବଳ ବାହାର କାଠରୁ ଦର୍ଶନ
ଆସନ୍ତାକାଲିଠାରୁ ରତ୍ନଭଣ୍ଡାରର ଗଣତିମଣତି। ଏଥି ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷ ପ୍ରବେଶ କରିବେ।

ପୁରୀ: ଆସନ୍ତାକାଲିଠାରୁ ରତ୍ନଭଣ୍ଡାରର ଗଣତିମଣତି। ଏଥି ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷ ପ୍ରବେଶ କରିବେ। ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ। ପ୍ରତ୍ୟେକ ସଦସ୍ୟ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଓର)ର ପ୍ରତିଟି ବିନ୍ଦୁକୁ ଗୁରୁତ୍ବପୂର୍ବକ ଏହି ପ୍ରକ୍ରିୟାରେ ସାମିଲ ହେବେ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହାକୁ ଓଜନ କରାଯିବ। ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ। ଏଥିପାଇଁ ୬ଟି ସିନ୍ଦୁକ ପ୍ରସ୍ତୁତ କରି ରଖାଯାଇଛି।
ସୁନା ଅଳଙ୍କାର ହଳଦିଆ ରଙ୍ଗର କପଡ଼ା ଉପରେ ରଖି ବାକ୍ସରେ କ୍ରମାନ୍ବୟରେ ରାଖିବା ପରେ ସିନ୍ଦୁକରେ ରଖାଯିବ। ରୁପା ଅଳଙ୍କାର ଧଳା ରଙ୍ଗର କନା ଉପରେ ଗଣତି ମଣତି କରାଯିବ। ଅନ୍ୟ ଅଳଙ୍କାର ନାଲି ରଙ୍ଗର କନା ଉପରେ ଗଣତିମଣତି କରାଯିବ। ଶ୍ରମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ, ଆରବିଆଇ ଅଧିକାରୀମାନେ ଗଣନାରେ ସାମିଲ ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏହି ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି। ରତ୍ନଭଣ୍ଡାର ଗଣତି ମଣତି ବେଳେ ଶ୍ରୀବିଗ୍ରହଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ପାଇଁ ପ୍ରବେଶ କରିପାରିବେ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଭିତରକାଠରୁ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଭକ୍ତମାନେ କେବଳ ବାହାର କାଠ ନିକଟରୁ ଦର୍ଶନ ସୁବିଧା ମିଳିବ। ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସୌଜନ୍ୟ ସମ୍ବାଦ




