Indigo ସଂକଟ ପରେ ସରକାର ସତର୍କ, ଗ୍ରୀଷ୍ମ କାଳୀନ ଉଡାଣ ମଞ୍ଜୁରୀରେ ଅଧିକାରୀ ଆପଣେଇଲେ କଡ଼ା ଆଭିମୁଖ୍ୟ
ଏଥର ଗ୍ରୀଷ୍ମ ଋତୁରେ ଏୟାରଲାଇନ୍ସ କମ୍ ଉଡାଣ ସଞ୍ଚାଳନ କରିବେ। ଏକ ବରିଷ୍ଠ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବେସାମରିକ ବିମାନ ଚଳାଚଳମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଚାହାନ୍ତିନି ଦେଶରେ ଆଉଥରେ ଡିସେମ୍ବରର ଇଣ୍ଡିଗୋ ଭଳି ପରିସ୍ଥିତି ସୃଷ୍ଟି ହେଉ।

ନୂଆଦିଲ୍ଲୀ : ଗତବର୍ଷ ଡିସେମ୍ବର ମାସରେ ଇଣ୍ଡିଗୋରେ ଉପୁଜିଥିବା ପରିଚାଳନା ବ୍ୟବଧାନ ଯୋଗୁ ସରକାର ସତର୍କ ହୋଇ ଯାଇଛନ୍ତି। ବେସାମରିକ ବିମାନ ଚଳାଚଳ ବିଭାଗ ଅଧିକାରୀ ଉଡାଣ ସଂଖ୍ୟା ମଞ୍ଜୁରୀ ନିମନ୍ତେ ସତର୍କ ଆଭିମୁଖ୍ୟ ଆପଣେଇଛନ୍ତି। ଏଣୁ ଏଥର ଗ୍ରୀଷ୍ମ ଋତୁରେ ଏୟାରଲାଇନ୍ସ କମ୍ ଉଡାଣ ସଞ୍ଚାଳନ କରିବେ। ଏକ ବରିଷ୍ଠ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବେସାମରିକ ବିମାନ ଚଳାଚଳମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଚାହାନ୍ତିନି ଦେଶରେ ଆଉଥରେ ଡିସେମ୍ବରର ଇଣ୍ଡିଗୋ ଭଳି ପରିସ୍ଥିତି ସୃଷ୍ଟି ହେଉ।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏୟାର ଲାଇନ କମ୍ପାନୀଙ୍କ ଗ୍ରୀଷ୍ମ କାଳୀନ କାର୍ଯ୍ୟକ୍ରମରେ ବିମାନ, ପାଇଲଟ ଓ ଅନ୍ୟ ଜରୁରି ସଂସାଧନର ଉପଲବ୍ଧତାକୁ ଧ୍ୟାନରେ ରଖି ଉଡାଣ ମଞ୍ଜୁରି ଦିଆଯାଇଛି । ଏଣୁ ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମରେ ଏୟାରଲାଇନ୍ସ ଘରୋଇ ଗନ୍ତବ୍ୟରେ ଗତବର୍ଷର ଏହି ଅବଧି ତୁଳନାରେ ଅନୁନ୍ୟ ୧୦% କମ ଉଡାଣ ସଞ୍ଚାଳନ କରିବେ। ସେହି ଅନୁସାରେ ଡିଜିସିଏ ୨୯ ମାର୍ଚ୍ଚରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ୯ଟି ସିଡ୍ୟୁଲଡ ଏୟାରଲାଇନ କମ୍ପାନୀଙ୍କ ଲାଗି ଘରୋଇ ଗ୍ରୀଷ୍ମକାଳୀନ ଉଡାଣ କାର୍ଯ୍ୟକ୍ରମ ଜାରି କରିଛନ୍ତି।
ଗତବର୍ଷ ଅର୍ଥାତ ୨୦୨୫ ମସିହା ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମରେ ପ୍ରତି ସପ୍ତାହ ୨୫,୬୧୦ଟି ଉଡାଣ ଥିଲା। ହେଲେ ଏ ବର୍ଷ ୧୦% ହ୍ରାସ କାରଣରୁ ପାଖାପାଖି ୨,୫୬୧ ଉଡାଣ ହ୍ରାସ ହେବ ଓ ମୋଟ ସାପ୍ତାହିକ ଉଡାଣ ସଂଖ୍ୟା ପାଖାପାଖି ୨୩,୦୪୯ଟି ରହିବ। ସୂତ୍ର ଅନୁସାରେ ଅଧିକାରୀ ଏଥର ଘରୋଇ ଗ୍ରୀଷ୍ମକାଳୀନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେବାରେ ସାମାନ୍ୟ ସାବଧାନତା ଅବଲମ୍ବନ କରିଛନ୍ତି। ସେ କହିଛନ୍ତି ଯେ ଯେବେ ଏୟାରଲାଇନସଙ୍କ ପର୍ଯ୍ୟାପ୍ତ ପାଇଲଟ ଓ ବିମାନ ଉପଲବ୍ଧ ଥିବ ସେବେ ଉଡାଣ ସଂଖ୍ୟା ବଢାଇବାକୁ ମଞ୍ଜୁରୀ ଦିଆଯାଇ ପାରିବ।
ଡିସେମ୍ବର ୨୦୨୫ରେ ଇଣ୍ଡିଗୋରେ ବଡ଼ ଧରଣର ପରିଚାଳନା ସଂକଟ ଉପୁଜିଥିଲା। ଏଣୁ ଶହଶହ ଉଡାଣ ବାତିଲ କରିବାକୁ ପଡିଥିଲା। ଏହା ପରେ ଡିଜିସିଏ ଏୟାରଲାଇନ୍ସଙ୍କ ଶୀତକାଳୀନ କାର୍ଯ୍ୟକ୍ରମରେ ୧୦% ଉଡାଣ ହ୍ରାସ କରିଥିଲେ। ଏବେ ଗ୍ରୀଷ୍ମ କାଳୀନ କାର୍ଯ୍ୟକ୍ରମରେ ଇଣ୍ଡିଗୋ ଦୈନିକ ପାଖାପାଖି ୨୦୦୦ ଉଡାଣ ସହିତ ଏପ୍ରିଲ ଆରମ୍ଭ କରିବା ପାଇଁ ଯୋଜନା କରୁଛି।
ସୌଜନ୍ୟ Prameya News7




