Editorial: ଦେହର ବନ୍ଦୀ!
କହିବା ଅନାବଶ୍ୟକ ଯେ ଲିଙ୍ଗ ଚିହ୍ନଟ ସକାଶେ ଡାକ୍ତରୀ ପରୀକ୍ଷା ହେଉଛି ଏକ ଅତ୍ୟନ୍ତ ଅସ୍ବସ୍ତିକର ଓ ଲଜ୍ଜାପ୍ରଦ ପ୍ରକରଣ, ଯାହା ମନୁଷ୍ୟର ସର୍ବନିମ୍ନ ମର୍ଯ୍ୟାଦାବୋଧକୁ ମଧ୍ୟ କ୍ଷୁଣ୍ଣ କରିଥାଏ। କିନ୍ତୁ ଅବସୋସର ବିଷୟ....

କହିବା ଅନାବଶ୍ୟକ ଯେ ଲିଙ୍ଗ ଚିହ୍ନଟ ସକାଶେ ଡାକ୍ତରୀ ପରୀକ୍ଷା ହେଉଛି ଏକ ଅତ୍ୟନ୍ତ ଅସ୍ବସ୍ତିକର ଓ ଲଜ୍ଜାପ୍ରଦ ପ୍ରକରଣ, ଯାହା ମନୁଷ୍ୟର ସର୍ବନିମ୍ନ ମର୍ଯ୍ୟାଦାବୋଧକୁ ମଧ୍ୟ କ୍ଷୁଣ୍ଣ କରିଥାଏ। କିନ୍ତୁ ଅବସୋସର ବିଷୟ, ନୂଆ ଆଇନ ହେଲେ ଦେଶର ନାଗରିକଙ୍କ ମଧ୍ୟରୁ ଗୋଟିଏ ଦୁର୍ବଳ, ଅସଂପନ୍ନ ଓ ବଞ୍ଚିତ ବର୍ଗ ଏଭଳି ତୀବ୍ର ଅପମାନଜନକ ଅନୁଭୂତି ଦେଇ ଯିବାକୁ ବାଧ୍ୟ ହେବ।
ଗଲା ମଙ୍ଗଳବାର ଦିନ ‘ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରଟେକ୍ସନ ଅଫ ରାଇଟ୍ସ) ଆମେଣ୍ଡମେଣ୍ଟ ବିଲ୍’ ଲୋକସଭାରେ ପାରିତ ହୋଇଯିବା ସହିତ ଏକ ତୀବ୍ର ଓ ଅରୁଚିକର ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ, ଯଦିଓ, କୁହାଯାଉଛି ଯେ ୨୦୧୯ ମସିହାରେ କାର୍ଯ୍ୟକାରୀ ହୋଇଥିବା ‘ଟ୍ରାନ୍ସଜେଣ୍ଡର ଆଇନ’ଟି ଅନେକ ଦୃଷ୍ଟିରୁ ଅସ୍ପଷ୍ଟ ହୋଇଥିବାରୁ, ତହିଁରେ ସ୍ପଷ୍ଟତା ଆଣି ‘ଟ୍ରାନ୍ସଜେଣ୍ଡର’ ବର୍ଗର ହିତ ସାଧନ କରିବା ଏହାର ଲକ୍ଷ୍ୟ, କିନ୍ତୁ ପ୍ରତିବାଦକାରୀମାନେ କହିଥାଆନ୍ତି ଯେ ଟ୍ରାନ୍ସଜେଣ୍ଡରଙ୍କୁ ଚିହ୍ନଟ କରିବାର ମାର୍ଗ ଏବଂ ସେମାନଙ୍କ ଶୋଷଣ ସକାଶେ ପ୍ରସ୍ତାବିତ ଦଣ୍ଡ ବ୍ୟବସ୍ଥା ସଂପୂର୍ଣ୍ଣ ଅଯୌକ୍ତିକ ଏବଂ ଏହା ଦ୍ବାରା ୨୦୧୯ ଆଇନ ଅନୁସାରେ ସେମାନଙ୍କୁ ମିଳିଥିବା ପରିଚୟ ଓ ଅଧିକାରର ସମୂଳ ଅନ୍ତ ଘଟିବ। କହିବା ବାହୁଲ୍ୟ, ଆମ ଦେଶରେ ‘ଟ୍ରାନ୍ସଜେଣ୍ଡର’ମାନେ ପୂର୍ବାଗ୍ରହ ଓ ଭ୍ରାନ୍ତ ଧାରଣା ପ୍ରସୂତ ତୀବ୍ର କଦର୍ଥନାର ଶିକାର ହେଉଥିବା ବେଳେ ସେମାନଙ୍କ ମରମ ଦହନ ପ୍ରାୟତଃ ଚକ୍ଷୁରେ ପଡ଼ି ନ ଥାଏ। ତେଣୁ ଏଭଳି ଏକ ସ୍ପର୍ଶକାତର ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ହୋଇଥାଏ।
ଏହି ବିଷୟରେ ପ୍ରଥମ ସମସ୍ୟାଟି ନିହିତ ଥାଏ ‘ଟ୍ରାନ୍ସଜେଣ୍ଡର’ ଭଳି ଶବ୍ଦର ଲୌକିକ ଅର୍ଥର ସୀମିତତାରେ; ଯାହା ସ୍ଥୂଳ ଭାବେ ‘କିନ୍ନର’ମାନଙ୍କୁ ବୁଝାଏ। ଏକ ଧାରଣା ରହି ଆସିଛି ଯେ ଏମାନେ ପ୍ରାୟତଃ ପୁରୁଷ ଶରୀରଧାରୀ ଅଥଚ ନାରୀ ସୁଲଭ ଆଚରଣ ପ୍ରଦର୍ଶନ କରନ୍ତି। ଏକ ଧାରଣା ରହିଛି ଯେ ଏହି ଅସାମଞ୍ଜସ୍ୟ ମୁଖ୍ୟତଃ ଶରୀର-କୈନ୍ଦ୍ରିକ, ଯାହା ଜନନେନ୍ଦ୍ରିୟର ଗଢ଼ଣ ବା ସୁନିର୍ଦ୍ଦିଷ୍ଟ ହରମୋନ କ୍ଷରଣ ଆଦିର ବିଭ୍ରାଟରେ ପ୍ରକାଶିତ। କିନ୍ତୁ ‘ଟ୍ରାନ୍ସଜେଣ୍ଡର’ମାନଙ୍କ ମତରେ ‘ଟ୍ରାନ୍ସଜେଣ୍ଡର’ର ପରିଭାଷା ଏଭଳି ସ୍ଥୂଳ ନୁହେଁ; ଇଂରେଜୀ ଅଭିବ୍ୟକ୍ତି ‘ସେକ୍ସ’ ଓ ‘ଜେଣ୍ଡର’ ମଧ୍ୟରେ ସୂକ୍ଷ୍ମ ଅର୍ଥଗତ ତାରତମ୍ୟ ରହିଛି (ଯଦିଓ ଆମ ଭାଷାରେ ଉଭୟ ସକାଶେ ଉପଲବ୍ଧ ଗୋଟିଏ ମାତ୍ର ଶବ୍ଦ ହେଉଛି ଲିଙ୍ଗ), ଯେଉଁଠି ‘ସେକ୍ସ’ ଏକ ନିର୍ଦ୍ଦିଷ୍ଟ ଅଙ୍ଗକୁ ବୁଝାଉଥିବା ବେଳେ ‘ଜେଣ୍ଡର’ର ଅର୍ଥ ହୋଇପାରେ କୌଣସି ବ୍ୟକ୍ତି ଧାରଣ କରିଥିବା (ତାଙ୍କ) ‘ଲିଙ୍ଗ-ନିର୍ଦ୍ଦିଷ୍ଟ’ ଚେତନା ବା ବୋଧ ବା ଆବେଗ ଇତ୍ୟାଦି। ତେଣୁ ଯଦି କେହି ତୀବ୍ର ଭାବେ ଅନୁଭବ କରନ୍ତି ଯେ ତାଙ୍କ ଶରୀରରେ କୌଣସି ଆଙ୍ଗିକ ଅସାମଞ୍ଜସ୍ୟ ନ ଥିଲେ ମଧ୍ୟ ତାଙ୍କ ମନୋଭାବ ବିପରୀତ ଲିଙ୍ଗୀୟ, ତେବେ ସେ ଜଣେ ‘ଟ୍ରାନ୍ସଜେଣ୍ଡର’। ଏବଂ ଉଲ୍ଲେଖଯୋଗ୍ୟ ଯେ ଏଭଳି ଅନୁଭବ ଉଭୟ ପୁରୁଷ ଓ ନାରୀ ଶରୀର ଧାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିପାରେ। ସୁତରାଂ, ଏହି ପରିପ୍ରେକ୍ଷୀରେ ‘ଟ୍ରାନ୍ସଜେଣ୍ଡର’ ରୂପେ ଚିହ୍ନିତ ହେବା ଲାଗି ୨୦୧୪ ମସିହାରେ, ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ (ସୁପ୍ରସିଦ୍ଧ ‘ନାଲସା ବନାମ ଭାରତ ସରକାର’ ମାମଲାରେ) ଯେଉଁ ମାର୍ଗ ନିର୍ଦ୍ଦେଶିକା ପ୍ରଦାନ କରାଯାଇଥିଲା, ତାହା ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ଏହା ସାବ୍ୟସ୍ତ କରିବା ଲାଗି କୌଣସି ଡାକ୍ତରୀ ପରୀକ୍ଷା ବା ସାର୍ଟିଫିକେଟର ଆବଶ୍ୟକତା ନାହିଁ, କେବଳ ସଂପୃକ୍ତ ବ୍ୟକ୍ତିଙ୍କ ବୟାନ ହିଁ ଯଥେଷ୍ଟ ଓ ସଂପୂର୍ଣ୍ଣ ରୂପେ ସାଂବିଧାନିକ। କହିବା ବାହୁଲ୍ୟ, ଏହା ସହିତ ‘ଟ୍ରାନ୍ସଜେଣ୍ଡର’ମାନେ ସେମାନଙ୍କ ବ୍ୟକ୍ତିତ୍ବକୁ ବ୍ୟକ୍ତ କରିବାର ଦୁର୍ଲଭ ସ୍ବାଧୀନତା ଲାଭ କରିଥିଲେ। ତା’ ସହିତ ଏହି ରାୟ ଉପରେ ଆଧାରିତ ୨୦୧୯ ମସିହାର ଆଇନ ଅନୁସାରେ ପ୍ରଥମ ଥର ଲାଗି ସ୍ବତନ୍ତ୍ର ଭାବେ ‘ତୃତୀୟ ଲିଙ୍ଗ’ର ମାନ୍ୟତା ପାଇ ଶିକ୍ଷା, ବୃତ୍ତି, ଚିକିତ୍ସା ଇତ୍ୟାଦି କ୍ଷେତ୍ରରେ ସ୍ବାଭାବିକ ଅଧିକାର ପ୍ରାପ୍ତ ହୋଇଥିଲେ। ସେହି ଦୃଷ୍ଟିରୁ ଏହି ନୂତନ ସଂଶୋଧନ ବିଲ୍ଟି ଉତ୍ପୀଡ଼କ ଭଳି ମନେ ହୋଇଥାଏ; କାରଣ ଏହା ଅନୁସାରେ ‘ଟ୍ରାନ୍ସଜେଣ୍ଡର’ଙ୍କ ଚିହ୍ନଟ କାର୍ଯ୍ୟଟି କେବଳ ଡାକ୍ତରୀ ପରୀକ୍ଷା ଦ୍ବାରା ହିଁ ସଂପାଦିତ ହେବ। କହିବା ଅନାବଶ୍ୟକ ଯେ ଏହା ଦ୍ବାରା ‘ଟ୍ରାନ୍ସଜେଣ୍ଡର’ମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ସେମାନଙ୍କ ସ୍ବତନ୍ତ୍ର ମାନ୍ୟତା ହରାଇବେ, ଯେହେତୁ କୌଣସି ଡାକ୍ତରୀ ପରୀକ୍ଷା ଦ୍ବାରା ‘ବୋଧ’ ବା ‘ଭାବ’ ବା ‘ଆବେଗ’ ନିରୂପଣ କରାଯିବା ଅସମ୍ଭବ। ତା’ ସହିତ, ୨୦୧୯ ପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭ ବର୍ଷର ଅବଧି ମଧ୍ୟରେ ‘ତୃତୀୟ ଲିଙ୍ଗ’ ଆଧାରରେ ତିଆରି ପରିଚୟ ପତ୍ର, ଅନ୍ୟାନ୍ୟ ସରକାରୀ କାଗଜପତ୍ର ଓ ଦଲିଲ ଏକାବେଳକେ ଅଚଳ ହୋଇଯିବ; ଏହି ସଂଶୋଧନ ପିଛିଲା ଭାବେ ଲାଗୁ କରାଯିବାର ବ୍ୟବସ୍ଥା ଥିବାରୁ ଅନେକ ବ୍ୟକ୍ତି ସେମାନଙ୍କ ବୃତ୍ତି ମଧ୍ୟ ହରାଇବେ; ଏବଂ ଯାହା ସର୍ବାଧିକ ଦୁଃଖଦ ହେବ, ତାହା ହେଲା ସେମାନଙ୍କ ସ୍ବାଭାବିକ ପରିଚୟର ସାଂବିଧାନିକ ସ୍ବୀକୃତି ନିଶ୍ଚିହ୍ନ ହୋଇଯିବ।
Editorial Column: ଗଦ୍ୟ ଏବଂ ଗଣତନ୍ତ୍ର: ଦାଶ ବେନହୁରଙ୍କ ସନାତନର ସ୍ବଗତୋକ୍ତି ସମ୍ପାଦକୀୟରେ…
ପ୍ରଶ୍ନ ଉଠିଥାଏ ଯେ ସରକାର ଏଭଳି ଏକ ସଂଶୋଧନ ଆଣିବାକୁ ହଠାତ୍ ଉଦ୍ଗ୍ରୀବ ହୋଇ ଉଠିଛନ୍ତି କାହିଁକି, ପୁଣି ପଶ୍ଚିମ ଏସିଆରେ ତୀବ୍ର ଯୁଦ୍ଧର ଘନଘଟା କାଳରେ? ଏହା ଦୁର୍ବୋଧ୍ୟ! ତେବେ, ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହାର ଉଦ୍ଦେଶ୍ୟ ‘ଟ୍ରାନ୍ସଜେଣ୍ଡର’ଙ୍କ ଚିହ୍ନଟରେ ସ୍ପଷ୍ଟତା ଆଣି ସେହି ବର୍ଗରୁ ଅଯୋଗ୍ୟମାନଙ୍କୁ ବହିଷ୍କାର କରିବା, ଯଦ୍ଦ୍ବାରା ପ୍ରକୃତ ହିତାଧିକାରୀଙ୍କ ନ୍ୟାୟୋଚିତ ଅଧିକାର ଅପହୃତ ହେବନାହିଁ। ଏହି ପରିପ୍ରେକ୍ଷୀରେ ପ୍ରତିବାଦୀ ପକ୍ଷଙ୍କ ତର୍କ କହିଥାଏ ଯେ ଦେଶରେ ‘ଟ୍ରାନ୍ସଜେଣ୍ଡର’ଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ (୨୦୧୦-୧୧ ଜନଗଣନା ଅନୁସାରେ) ଏବଂ ‘ତୃତୀୟ ଲିଙ୍ଗ’ ଭାବେ ସ୍ବୀକୃତିପତ୍ରଧାରୀଙ୍କ ସଂଖ୍ୟା ମାତ୍ର ୩୦ ହଜାର ହୋଇଥିବା ବେଳେ ଜନସଂଖ୍ୟାର ଏଭଳି କ୍ଷୁଦ୍ରାତିକ୍ଷୁଦ୍ର ଅଂଶରେ ଆହୁରି ଛେଦନ ଘଟାଇବା ଆଦୌ ପରିପକ୍ବ ବୁଦ୍ଧିମତ୍ତାର ପରିଚୟ ନୁହେଁ। ୨୦୧୯ ମସିହାରୁ ‘ଟ୍ରାନ୍ସଜେଣ୍ଡର’ ଭାବେ ଚିହ୍ନିତ ଜଣେ ବିଦ୍ୟାର୍ଥୀ, ଏହି ନୂତନ ବ୍ୟବସ୍ଥାରେ, ତା’ର ବାର୍ଷିକ ମାତ୍ର ୧୩ ହଜାର ଟଙ୍କାର ବୃତ୍ତି ହରାଇବ ସିନା, ଏଣେ ଚିରସ୍ରୋତା ‘ଫ୍ରିବି’ର ପ୍ରବାହ ଦେଶ ଓ ରାଜ୍ୟର ରାଜକୋଷକୁ ନିଃଶେଷ କରି ଚାଲିଥିଲେ ହେଁ ବିଭିନ୍ନ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ହଟାଇବାର ବିଶେଷ କୌଣସି ପ୍ରୟାସ ଦିଶୁ ନ ଥିବ! ଏହା ଏକ ବିଡ଼ମ୍ବନା ନୁହେଁ କି! କେବଳ ସେତିକି ନୁହେଁ, ନୂତନ ବିଲ୍ରେ ପ୍ରାବଧାନ ଅଛି ଯେ ବଳପୂର୍ବକ ହେଉ ଅଥବା ଫୁସୁଲାଫୁସୁଲି ମାଧ୍ୟମରେ ହେଉ; କୌଣସି ମନୁଷ୍ୟକୁ ‘ଟ୍ରାନ୍ସଜେଣ୍ଡର’ରେ ପରିଣତ କରିବାର ଉଦ୍ୟମ କଠୋର ଦଣ୍ଡର ଅଧୀନସ୍ଥ ହେବ, ଅର୍ଥାତ୍ ୧୦ ବର୍ଷରୁ ନେଇ ଆଜୀବନ କାରାବାସ ପର୍ଯ୍ୟନ୍ତ! ଏହି ଦଣ୍ଡ ବ୍ୟବସ୍ଥା ଆପାତତଃ ଯୁକ୍ତିଯୁକ୍ତ ମନେ ହେଉଥିଲେ ହେଁ ସମସ୍ୟାଟି ହେଲା ଭାରତରେ ପ୍ରାୟ ୯୦%ରୁ ଅଧିକ ‘ଟ୍ରାନ୍ସଜେଣ୍ଡର’, ସେମାନଙ୍କ ପରିବାର ଦ୍ବାରା ଅନାଦୃତ, ଅସ୍ବୀକୃତ ଓ ବିତାଡ଼ିତ ହୋଇଥାଆନ୍ତି! ଏଭଳି ସ୍ଥଳେ ‘ଟ୍ରାନ୍ସଜେଣ୍ଡର’ମାନଙ୍କ ହିତାର୍ଥେ କାର୍ଯ୍ୟରତ ଅନୁଷ୍ଠାନ ବା ସେମାନଙ୍କ ପ୍ରତି ସହାନୁଭୂତିଶୀଳ ବ୍ୟକ୍ତିବିଶେଷ ସ୍ବାଭାବିକ ଭାବେ ସେହି ପରିବାରଗୁଡ଼ିକ ଦ୍ବାରା ଘୃଣା ଓ ସନ୍ଦେହର ପାତ୍ର ହୁଅନ୍ତି। ତେଣୁ ନୂଆ ଆଇନର ଦୁରୁପଯୋଗ କରି ‘ଟ୍ରାନ୍ସଜେଣ୍ଡର’ଙ୍କ ପ୍ରୋତ୍ସାହନକାରୀ ଅଭିଯୋଗରେ ହିତାକାଂକ୍ଷୀମାନଙ୍କୁ ଦଣ୍ଡିତ ମଧ୍ୟ କରାଯାଇପାରେ। କହିବା ଅନାବଶ୍ୟକ ଯେ ଲିଙ୍ଗ ଚିହ୍ନଟ ସକାଶେ ଡାକ୍ତରୀ ପରୀକ୍ଷା ହେଉଛି ଏକ ଅତ୍ୟନ୍ତ ଅସ୍ବସ୍ତିକର ଓ ଲଜ୍ଜାପ୍ରଦ ପ୍ରକରଣ, ଯାହା ମନୁଷ୍ୟର ସର୍ବନିମ୍ନ ମର୍ଯ୍ୟାଦାବୋଧକୁ ମଧ୍ୟ କ୍ଷୁଣ୍ଣ କରିଥାଏ। କିନ୍ତୁ ଅବସୋସର ବିଷୟ, ନୂଆ ଆଇନ ହେଲେ ଦେଶର ନାଗରିକଙ୍କ ମଧ୍ୟରୁ ଗୋଟିଏ ଦୁର୍ବଳ, ଅସଂପନ୍ନ ଓ ବଞ୍ଚିତ ବର୍ଗ ଏଭଳି ତୀବ୍ର ଅପମାନଜନକ ଅନୁଭୂତି ଦେଇ ଯିବାକୁ ବାଧ୍ୟ ହେବ।
ପ୍ରଶ୍ନ ଉଠିଥାଏ ଯେ ‘ଟ୍ରାନ୍ସଜେଣ୍ଡର’ ଚିହ୍ନଟ ଲାଗି ସେମାନଙ୍କ ଦ୍ବାରା ପ୍ରଦତ୍ତ ସମ୍ମତି ହିଁ ଯଥେଷ୍ଟ ବୋଲି ୨୦୧୯ ମସିହାର ଆଇନ ସ୍ବୀକୃତି ଦେଇଥିଲେ ହେଁ ସରକାରଙ୍କ ଆପତ୍ତି କାହିଁକି? କେଉଁ କାରଣରୁ ମିଥ୍ୟା ବୟାନର ସନ୍ଦେହ? ଯେତେବେଳେ ‘ମନ’ ବା ‘ଭାବ’ ବା ‘ଆବେଗ’ ବା ‘ଚେତନା’ ସକାଶେ ଦେହ ଏକ ଆଶ୍ବାସନାମୟ ସ୍ବାଭାବିକ ଆଶ୍ରୟସ୍ଥଳ ନ ହୋଇ ଯନ୍ତ୍ରଣାମୟ କାରାଗାରରେ ପରିଣତ ହୋଇଯାଏ, ସେତେବେଳେ ସୃଷ୍ଟ ତୀବ୍ର ମର୍ମଦାହକୁ ଚାପି ରଖିବା ଯେ କିଭଳି ଦୁଷ୍କର ବ୍ୟାପାର ହୋଇପଡ଼େ, ତା’ର ସାକ୍ଷ୍ୟ କେବଳ ଅନୁଭବୀମାନେ ଦିଅନ୍ତି। ତଥାପି, ଅସଂଖ୍ୟ ଲୋକ ସେହି ଜ୍ବାଳାକୁ ଦମନ କରିବାକୁ ବାଧ୍ୟ ହୁଅନ୍ତି, କାରଣ ତାହା ପ୍ରକାଶ କରି ପାରିବାରିକ ଓ ସାମାଜିକ ଲାଂଛନା ବରଣ କରିବାର ସାହସ ସେମାନଙ୍କ ଠାରେ ନ ଥାଏ। କିନ୍ତୁ, ସରକାର ଭାବନ୍ତି ଯେ ସାମାନ୍ୟ କିଛି ସରକାରୀ ହାତଟେକା ପାଇବା ଲାଗି ସେମାନେ କାଳେ ନିଜକୁ ନିଜ ଦେହର ବନ୍ଦୀ ବୋଲି ଦର୍ଶାଉଥିବେ ଅବା! ଏହା କିଛି କମ୍ ବିଚାର ବିଭ୍ରାଟର ଉଦାହରଣ ନୁହେଁ!
ସୌଜନ୍ୟ ସମ୍ବାଦ




