ଜାତୀୟଦେଶ ବିଦେଶ

MSME: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ଏମ୍‌ଏସ୍‌ଏମ୍‌ଇ ପାଇଁ ରିଲିଫ୍‌ ପ୍ୟାକେଜ୍‌ ଶୀଘ୍ର

ପଶ୍ଚିମ ଏସିଆ ସଙ୍କଟ ବଢ଼ିଲେ ମୁଦ୍ରାସ୍ଫୀତି ବେଲଗାମ ହେବା ଆଶଙ୍କା ରହିଛି। ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଅଣୁଏ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସମେତ ଅର୍ଥନୀତିର ଦୁର୍ବଳ ବର୍ଗ ପାଇଁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ବଢ଼ିଲେ ମୁଦ୍ରାସ୍ଫୀତି ବେଲଗାମ ହେବା ଆଶଙ୍କା ରହିଛି। ତାହାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଅଣୁଏ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସମେତ ଅର୍ଥନୀତିର ଦୁର୍ବଳ ବର୍ଗ ପାଇଁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଯୁଦ୍ଧ ପ୍ରଭାବର ମୁକାବିଲା କରିବାକୁ ସରାକର ମାସକ ଭିତରେ ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ଲଗାଇବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅର୍ଥନୀତିର ଦୁର୍ବଳ କ୍ଷେତ୍ରଗୁଡ଼ିକୁ ସହଯୋଗ କରିବା ପାଇଁ ଆହୁରି ପଦକ୍ଷେପ ଘୋଷଣା ହେବା ଆଶା କରାଯାଉଛି।

ରପ୍ତାନିକାରୀମାନେ ଭୋଗୁଥିବା ସମସ୍ୟାର ସମାଧାନ କରିବା ପାଇଁ ସରକାର ସେମାନଙ୍କୁ କିଛି ରିହାତି ପ୍ରଦାନ କରିଛନ୍ତି। ମାଲ ପରିବହନ ବୃଦ୍ଧି, ବୀମା ପ୍ରିମିୟମ ବୃଦ୍ଧି ଓ ଯୁଦ୍ଧ ସମ୍ବନ୍ଧୀୟ ରପ୍ତାନି ବିପଦକୁ ରପ୍ତାନିକାରୀମାନେ ସାମ୍ନା କରୁଛନ୍ତି। ସେମାନଙ୍କ ପାଇଁ ସରକାର ୪୭୯ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦେଶର ଯୋଗାଣ ଶୃଙ୍ଖଳକୁ ସ୍ତିର ରଖିବା ସହ ଏମ୍ଏସ୍‌ଏମ୍ଇ ରପ୍ତାନିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ସେମାନେ ଦେଇଥିବା ବରାଦ ବାତିଲକୁ ରୋକିବ ଏବଂ କର୍ମଚାରୀଙ୍କ ନିଯୁକ୍ତି ସୁରକ୍ଷିତ କରିବ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱବ୍ୟାପୀ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧିର ପ୍ରଭାବରୁ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କକୁ ଲିଟର ପିଛା ୩ ଟଙ୍କାକୁ ହ୍ରାସ କରିଛନ୍ତି ଓ ଡିଜେଲକୁ ଶୁଳ୍କରୁ ମୁକ୍ତ କରିଛନ୍ତି। ଗତ ଫେବ୍ରୁଆରି ୨୮ ତାରିଖରେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ସାମରିକ ଆକ୍ରମଣ ଆରମ୍ଭ କରିବା ପରଠାରୁ ବିଶ୍ୱବ୍ୟାପୀ ଅଶୋଧିତ ତେଲର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ତେଲର ବ୍ୟାରେଲ୍‌ ପିଛା ଦର ୧୧୯ ଡଲାରରେ ପହଞ୍ଚିଛି। କିଛି ଦିନ ତଳେ ତାହା ୧୦୦ ଡଲାରକୁ ହ୍ରାସ ପାଇଥିଲା। ଭାରତ ଏହାର ୮୮ ପ୍ରତିଶତ ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଛି

ଇରାନ ସହିତ ଯୁକ୍ତରାଷ୍ଟ୍ର-ଇସ୍ରାଏଲ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ପାଖରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ଯୋଗୁଁ ଜାହାଜଗୁଡ଼ିକର ଦିଗ ପରିବର୍ତ୍ତନ, ଲମ୍ବା ପରିବହନ ମାର୍ଗ, ସମୁଦ୍ର ପଥରେ ଭିଡ଼ ଏବଂ ଜରୁରୀକାଳୀନ ସଂଘର୍ଷ-ସଂଯୁକ୍ତ ସରଚାର୍ଜ ଭଳି ବିପଦ ସୃଷ୍ଟି ହାଇଛି। ଏହା କେବଳ ଅଧିକ ଲଜିଷ୍ଟିକ୍ସ ଖର୍ଚ୍ଚ ସୃଷ୍ଟି କରିନାହିଁ ବରଂ ଏହି ଅଞ୍ଚଳକୁ କିମ୍ବା ଏହି ଅଞ୍ଚଳ ଦେଇ ଯାଉଥିବା ମାଲ ପ୍ରତି ଅନିଶ୍ଚିତତା ମଧ୍ୟ ସୃଷ୍ଟି କରିଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ କହିଛନ୍ତି ଯେ ଭାରତକୁ ସବୁଠାରୁ ପ୍ରଭାବିତ ଓ ଦୁର୍ବଳ ବ୍ୟବସାୟ କ୍ଷେତ୍ରକୁ ତୁରନ୍ତ ରିଲିଫ୍ ଯୋଗାଇବାକୁ ପଡିବ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button