ଓଡିଶା

Odisha day: ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ‘ଆସନ୍ତା ୧୦ ବର୍ଷ ସଂକଳ୍ପର ଦଶକ’

୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ରାଜ୍ୟକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି।

ଭୁବନେଶ୍ବର: ୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ରାଜ୍ୟକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଅସ୍ମିତାବିହୀନ ବିକାଶ ଏକ ସଭ୍ୟତା ସୃଷ୍ଟି କରିପାରିବ ନାହିଁ, ଏହା କେବଳ ଏକ ଯନ୍ତ୍ରବତ୍ ସମାଜ ସୃଷ୍ଟି କରିବ। ଆଗାମୀ ୧୦ ବର୍ଷକୁ ସଂକଳ୍ପର ଦଶକ ଭାବେ ଚିହ୍ନଟ କରି ସମସ୍ତଙ୍କୁ ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି।

 

କୃଷି ଶିକ୍ଷା ସଦନରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୩୬ ମସିହାରେ ଗଠିତ ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଏକ ନୂଆ ଦିଗ ଦେଖାଇଥିଲା। ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ରାଜ୍ୟ ଗଠନ ପାଇଁ ପଥପ୍ରଦର୍ଶକ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ପାଇକ ବିଦ୍ରୋହ ଓ ଭାଷା ଆଧାରିତ ଆନ୍ଦୋଳନର ଗୌରବକୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଭାଷା ଓ ସଂସ୍କୃତି ହିଁ ରାଜ୍ୟ ଗଠନର ପ୍ରମୁଖ ଶକ୍ତି। ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାକୁ ବଜାୟ ରଖି ଆଗକୁ ବଢ଼ିବାକୁ ସେ ଆହ୍ବାନ ଦେଇଥିଲେ।

ଅସ୍ମିତାବିହୀନ ବିକାଶ ଏକ ସଭ୍ୟତା ସୃଷ୍ଟି କରିପାରିବ ନାହିଁ

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ, ମହିଳା, କୃଷକ, ଆଦିବାସୀ ଓ ଗରିବ ଲୋକଙ୍କ ସଶକ୍ତୀକରଣ ସରକାରଙ୍କ ପ୍ରାଥମିକତା। ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆର୍ଥିକ ସହାୟତା ପାଉଥିବାବେଳେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବ। କୃଷକମାନଙ୍କ ପାଇଁ ଧାନର ନ୍ୟାୟସଙ୍ଗତ ମୂଲ୍ୟ, ରିଭଲ୍‌ଭିଙ୍ଗ ପାଣ୍ଠି ଓ ଆଧୁନିକ ଗୋଦାମ ନିର୍ମାଣ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ସ୍ଥାପନ, ଡାକ୍ତର ନିଯୁକ୍ତି ଉଦ୍ୟମ ସହ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ରାଜ୍ୟବାସୀ ଉପକୃତ ହେଉଛନ୍ତି। ସେହିପରି ଶିଳ୍ପ ନିବେଶ ଓ ସରକାରୀ ନିଯୁକ୍ତି ମାଧ୍ୟମରେ ରୋଜଗାର ସୃଷ୍ଟିରେ ରାଜ୍ୟ ଆଗୁଆ ଅଛି।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ। ଏଥି ସହିତ ଓଡ଼ିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ଏପ୍ରିଲ ମାସର ସଂସ୍କରଣ ଏବଂ ପ୍ରଗତି ପ୍ରବାହର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଏକାମ୍ର-ଭୁବନେଶ୍ୱରର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button