ଦେଶ ବିଦେଶ

Iran Bridge Attack: ଆମେରିକା ଆକ୍ରମଣରେ ଇରାନର ସବୁଠୁ ଉଚ୍ଚ ସେତୁ ”ବି-ଵାନ୍” ଧ୍ୱଂସ, ପ୍ରତିଶୋଧ ପାଇଁ ମଧ୍ୟପ୍ରାଚ୍ୟର ୮ଟି ପ୍ରମୁଖ ବ୍ରିଜକୁ ତେହେରାନର ଧମକ

ଆମେରିକା ଓ ଇସ୍ରାଏଲର ମିଳିତ ରଣନୀତିକ ଆକ୍ରମଣରେ ଇରାନର ସବୁଠୁ ଉଚ୍ଚ ସେତୁ ''ବି-ଵାନ୍'' ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବା ପରେ ପଶ୍ଚିମ ଏସିଆରେ ଏକ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ତେହେରାନ/ୱାଶିଂଟନ: ଆମେରିକା ଓ ଇସ୍ରାଏଲର ମିଳିତ ରଣନୀତିକ ଆକ୍ରମଣରେ ଇରାନର ସବୁଠୁ ଉଚ୍ଚ ସେତୁ ”ବି-ଵାନ୍” ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବା ପରେ ପଶ୍ଚିମ ଏସିଆରେ ଏକ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ତେହେରାନକୁ ପଶ୍ଚିମ କରାଜ ସହ ସଂଯୋଗ କରୁଥିବା ଏହି ୧୩୬ ମିଟର ଉଚ୍ଚତାର ସେତୁ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୫ ଜଣ ଆହତ ହୋଇଛନ୍ତି। ଏହାର ପ୍ରତିଶୋଧ ସ୍ୱରୂପ ଇରାନର ସରକାରୀ ସମ୍ବାଦ ସଂସ୍ଥା ”ଫାର୍ସ” ପକ୍ଷରୁ ମଧ୍ୟପ୍ରାଚ୍ୟର କୁଏତ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଓ ଜର୍ଡାନ ଭଳି ଦେଶରେ ଥିବା ଆଠଟି ପ୍ରମୁଖ ଅର୍ଥନୈତିକ ଓ ପରିବହନ ସେତୁକୁ ଟାର୍ଗେଟ କରାଯିବ ବୋଲି ଧମକ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିନାଶର ଭିଡିଓ ସେୟାର କରି ଇରାନକୁ ବୁଝାମଣା କରିବାକୁ ଚେତାବନୀ ଦେଇଥିବା ବେଳେ ଇରାନ ବୈଦେଶିକ ମନ୍ତ୍ରୀ ଏହାକୁ ଶତ୍ରୁର ନୈତିକ ପରାଜୟ ବୋଲି ଅଭିହିତ କରିଛନ୍ତି।

ଗୁରୁବାର ଦିନ ଇରାନର ନିର୍ମାଣାଧୀନ ସବୁଠୁ ବଡ଼ ସେତୁ ”ବି-ଵାନ୍” ଉପରେ ହୋଇଥିବା ଆକ୍ରମଣରେ ସେତୁର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେତୁଟି ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇ ତଳେ ପଡ଼ୁଥିବାର ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଟ୍ରମ୍ପ ଏହି ଘଟଣାକୁ ନେଇ ଇରାନକୁ ଖୋଲାଖୋଲି ଭାବେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆଲୋଚନା ପାଇଁ ଆଗକୁ ନଆସେ, ତେବେ ଆଗକୁ ଆହୁରି ବଡ଼ ଧରଣର ବିନାଶ ଦେଖିବାକୁ ମିଳିବ। ଟ୍ରମ୍ପଙ୍କ ଅନୁଯାୟୀ, ଇରାନର ଏହି ବିରାଟ ସଂରଚନା ଏବେ ସବୁଦିନ ପାଇଁ ଅକାମୀ ହୋଇଯାଇଛି।
ଅନ୍ୟପକ୍ଷରେ, ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏହି ଆକ୍ରମଣର ପାଲଟା ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ଜାରି କରିଥିବା ତାଲିକାରେ କୁଏତର ଶେଖ ଜାବେର ସେତୁ, ସାଉଦି-ବାହାରିନର କିଙ୍ଗ ଫାହଦ୍ କଜୱେ ଓ ଆବୁଧାବିର ଶେଖ ଜାୟେଦ୍ ଭଳି ରଣନୀତିକ ସେତୁଗୁଡ଼ିକ ଅନ୍ତର୍ଭୁକ୍ତ ଅଛି। ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି କହିଛନ୍ତି ଯେ, ସାଧାରଣ ନାଗରିକ ଓ ଶିଳ୍ପ ଭିତ୍ତିଭୂମି ଉପରେ ଆକ୍ରମଣ କରି ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଏହି ଘଟଣା ଏବେ ସମଗ୍ର ମଧ୍ୟପ୍ରାଚ୍ୟରେ ଏକ ବଡ଼ ଧରଣର ସାମରିକ ସଂଘର୍ଷର ଆଶଙ୍କାକୁ ବଢ଼ାଇ ଦେଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button