Breaking News

ଦିଗ୍‌ବଳୟର ଏ ପାଖରେ: ବିନ୍ଦୁ ବିନ୍ଦୁ ଆତ୍ମୀୟତା

ବର୍ତ୍ତମାନରେ ବଞ୍ଚିବା ବିଷୟ ଉପରେ ପୃଥିବୀରେ ବିଭିନ୍ନ ଭାଷାରେ ବହୁତ ପୁସ୍ତକ ରଚିତ ହୋଇଛି। ବୌଦ୍ଧ ଦର୍ଶନରେ ଏହା ଜୀବନର ଏକ ପ୍ରମୁଖ ମାର୍ଗ ଅଟେ। ଏହି ତତ୍ତ୍ବକୁ ଆଧାର କରି ବଞ୍ଚିଲା ବେଳେ ପ୍ରତ୍ୟେକ ମଣିଷ ପ୍ରଥମେ ଭାବିବ ଯେ ଅତୀତ....

 ଦିଗ୍‌ବଳୟର ଏ ପାଖରେ: ବିନ୍ଦୁ ବିନ୍ଦୁ ଆତ୍ମୀୟତା

ବର୍ତ୍ତମାନରେ ବଞ୍ଚିବା ବିଷୟ ଉପରେ ପୃଥିବୀରେ ବିଭିନ୍ନ ଭାଷାରେ ବହୁତ ପୁସ୍ତକ ରଚିତ ହୋଇଛି। ବୌଦ୍ଧ ଦର୍ଶନରେ ଏହା ଜୀବନର ଏକ ପ୍ରମୁଖ ମାର୍ଗ ଅଟେ। ଏହି ତତ୍ତ୍ବକୁ ଆଧାର କରି ବଞ୍ଚିଲା ବେଳେ ପ୍ରତ୍ୟେକ ମଣିଷ ପ୍ରଥମେ ଭାବିବ ଯେ ଅତୀତ, ଭବିଷ୍ୟତର କେଉଁ ଚିନ୍ତା ତାକୁ କବଳିତ କରି ରଖିଛି ଏବଂ ତା’ ପାଇଁ ବର୍ତ୍ତମାନରେ କ’ଣ କ’ଣ ସବୁ ସମ୍ଭାବନା ଅଛି। ତା’ ପରେ ସେ ତା’ର ଜୀବନଶୈଳୀ, ତା’ର କର୍ମ ସ୍ଥିର କରିବ। ଆମେ କ’ଣ କ’ଣ କର୍ମ କରୁଛୁ, ତା’ର ଫଳ କ’ଣ ହେବ, ପ୍ରାରବ୍‌ଧ ହୋଇ ରହିବ ନା ନାହିଁ, ସେ ଏକ ଭିନ୍ନ କଥା; ମାତ୍ର ସେ କର୍ମର ପ୍ରଭାବ ଆମ ଜୀବନ ଉପରେ କ’ଣ ପଡୁଛି, ଆମେ ସାଙ୍ଗେ ସାଙ୍ଗେ ତାହା ଅନୁଭବ କରିପାରିବୁ। ଆଜି ଦିନ ସାରା ମୁଁ କାହା ସାଙ୍ଗେ ମନଖୋଲା କଥା ହେଲି ନା ଓଠ ଚିପି ମାପଚୁପ କଥା ହେଲି ନା ବିଲ୍‌କୁଲ କଥା ହେଲିନି, କାହାକୁ କେଉଁ କଥାରେ ଟିକିଏ ସାହାଯ୍ୟ କଲି ନା ମୋର କ’ଣ ଯାଉଛି ବୋଲି ଭାବି ଆଡ଼ କରି ପଳେଇ ଆସିଲି, କେଉଁଠି ଟିକିଏ ଅଟକି ଯାଇ କ’ଣ ଦେଖିବା ପାଇଁ ବା ଶୁଣିବା ପାଇଁ ଇଚ୍ଛା କରି ସେଠି ରହିଗଲି ନା ମୋର ସମ ଶ୍ରେଣୀର ଲୋକମାନେ ସେଠି ନାହାନ୍ତି ବୋଲି ପଳେଇ ଆସିଲି- ଏହିପରି ଅନେକ ଛୋଟ ଛୋଟ କଥା ଉପରେ ବି ମୋର ସେହି ଦିନର ଖୁସି ବା ଖାଲି ଖାଲି ଭାବ ନିର୍ଭର କରେ। ବେଳେବେଳେ ମାସ ମାସ, ଏପରିକି ବର୍ଷ ବର୍ଷ ଧରି କେତେ ଜଣ ଉଦାସ ରହିଥାନ୍ତି; କିଛି କାମ କରିବାକୁ ଉତ୍ସାହ ନ ଥାଏ; କୁଆଡ଼େ ବୁଲିଯିବାକୁ କାହାକୁ ଭେଟିବାକୁ ଇଚ୍ଛା ହୁଏନା। ଏହାର କାରଣ ଯେ ଅତୀତର କୌଣସି କଥା ବା ଦୂରରେ ରହୁଥିବା କେଉଁ ପ୍ରିୟଜନଙ୍କର ଅଭାବ ସେମାନଙ୍କୁ ଯେମିତି ଫାଶ ପକେଇ ବାନ୍ଧି ରଖିଛି ଏବଂ‌ ବର୍ତ୍ତମାନରେ ଥିବା ସମ୍ଭାବନାଗୁଡ଼ିକୁ ଚିହ୍ନିବା ପାଇଁ ସେଥିରୁ ସେମାନେ ମୁକୁଳି ଆସିପାରୁ ନାହାନ୍ତି। ଯାହା ଘରେ କେହି କେବେ ମୃତ୍ୟୁ ମୁଖରେ ପଡ଼ିନାହିଁ, ତା’ରି ଘରୁ ଶସ୍ୟ ଦାନା ଆଣିବା ପାଇଁ ବୁଦ୍ଧ କିଶା ଗୋତମୀଙ୍କୁ କହିଲା ପରି, ଏ ସଂସାରରେ କିଏ ଅଛି ଯାହାର ଜୀବନରେ ଦୁଃଖ କେବେ ଆସିନାହିଁ! ବେଳେବେଳେ ଜଣ ଜଣକ ଜୀବନରେ ଏତେ ଦାରୁଣ ଦୁଃଖ ଆସିଥାଏ ଯେ ତାହା ମନକୁ ସବୁବେଳେ ଆଚ୍ଛନ୍ନ କରି ରଖିଥାଏ; ବର୍ତ୍ତମାନରେ କୌଣସି ଆଗ୍ରହ ରହେ ନାହିଁ ଏବଂ ଚାରିଆଡ଼ ଖାଲି ଅନ୍ଧାର ଦେଖାଯାଏ।
କିନ୍ତୁ ସବୁଠୁ ଅନ୍ଧାର ରାତିରେ ବି ତାରାମାନେ ଥାଆନ୍ତି। ଆପଣାର ମୋହଗୁଡ଼ିକୁ ଆମେ ଏପରି ଜାବୁଡ଼ି ଧରିଥାଉ ଯେ ବର୍ତ୍ତମାନରେ ଭେଟୁଥିବା ନୂଆ ନୂଆ ମୁହଁମାନେ ବିଲ୍‌କୁଲ ନିଜର ବୋଲି ଲାଗନ୍ତି ନାହିଁ। ଏମିତି ପ୍ରତିଦିନ କେତେ ହସହସ ମୁହଁ, କେତେ ଢଳଢଳ ଆଖି, ‌େକତେ ନୂଆନୂଆ ଆତ୍ମୀୟତା ଆମେ ହରେଇ ବସୁ। ଆମମାନଙ୍କ ଭିତରୁ ଅନେକ ଅଛନ୍ତି, ଯେଉଁମାନେ ଖୁସିରେ ଥାଆନ୍ତି; କାରଣ ସେମାନଙ୍କର ସଂସାର ସୁରୁଖୁରୁରେ ଚାଲିଥାଏ। ଅତୀତର ଅନ୍ତରଙ୍ଗ ସ୍ମୃତି ଓ ଭବିଷ୍ୟତର ମଧୁର ସ୍ବପ୍ନରେ ସବୁ ପ୍ରୀତିପ୍ରଦ ଲାଗେ। ମାତ୍ର ପାହାଡ଼ ପର୍ବତରେ ସୁନ୍ଦର, ରୋମାଞ୍ଚକର ଯାତ୍ରା ବେଳେ ବେଳେବେଳେ ଭୟଙ୍କର ଭୂସ୍ଖଳନ ହେଲା ପରି ପ୍ରତ୍ୟେକ ଜୀବନରେ କେତେବେଳେ ନା କେତେବେଳେ ଦୁଃଖ ଆସିଯାଏ ଏବଂ ବାକି ଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ଯଦି ଆମେ ସେହି ବ୍ୟକ୍ତିଗତ ଦୁଃଖକୁ ଝୁରି ହେଉଥିବା ଏବଂ ବାକି ସାରା ପୃଥିବୀ ପ୍ରତି ଉଦାସୀନ ରହିବା, ତେବେ ଆମ ଜୀବନ ତ ଅତି କଷ୍ଟକର ହୋଇଯିବ! ଆନନ୍ଦ ଯେ ଖାଲି ନିଜ ସ୍ବାର୍ଥରେ, ନିଜ ସଂସାରରେ ମିଳେ; ଆଉ କେଉଁଠି ମିଳେ ନାହିଁ- ଏହି ଧାରଣା ଆମ ଭିତରେ ବଦ୍ଧମୂଳ ହୋଇ ରହିଛି। ବରଂ, ଓଲଟାଟି ହିଁ ସତ୍ୟ। ଆମେ ପ୍ରକୃତରେ ଅନାବିଳ ଆନନ୍ଦଟି କେଉଁ କାର୍ଯ୍ୟ କଲା ବେଳେ ପାଉ?- ଯେଉଁ କାର୍ଯ୍ୟରେ ଆମର ବ୍ୟକ୍ତିଗତ ସ୍ବାର୍ଥ ସଂଶ୍ଳିଷ୍ଟ ଅଛି ବା ଯେଉଁ କାର୍ଯ୍ୟ କରି ଆମେ ଆମ ନିଜ ପାଇଁ ବା ନିଜ ସଂସାର ପାଇଁ କିଛି ଫଳ ଆଶା କରୁଥାଉ ନା ଯେଉଁ କାର୍ଯ୍ୟରୁ ନିଜ ପାଇଁ କୌଣସି ଫଳ ଆଶା କରୁ ନ ଥିଲେ ବି ଆମେ ସେଥିରେ ସଂପୂର୍ଣ୍ଣ ଆତ୍ମବିସ୍ମୃତ ଥାଉ ବା ବୁଡ଼ି ଯାଇଥାଉ ବା ସେହି ମୁହୂର୍ତ୍ତରେ ସେହି କାର୍ଯ୍ୟଟି କରିବା ପାଇଁ ଆମର ସମଗ୍ର ସତ୍ତା ସମର୍ପିତ ହୋଇ ଯାଇଥାଏ? ଏହାର ଉତ୍ତର ସ୍ପଷ୍ଟ। ଦ୍ବିତୀୟ ପ୍ରକାର କାର୍ଯ୍ୟରୁ ହିଁ ଆମେ ଆମ ଜୀବନର ନିବିଡ଼, ମହାର୍ଘ ଅନୁଭବମାନ ପାଇଥାଉ।
ସୈନିକଟିଏ ପାଇଁ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତ ହୋଇଥାଏ, ଯେତେବେଳେ ଯୁଦ୍ଧକ୍ଷେତ୍ରରେ ଉଦ୍ୟତ ଶତ୍ରୁକୁ ଦେଖି ସେ ନିଜର ଅତୀତ, ଭବିଷ୍ୟତ ବିଷୟରେ କିଛି ନ ଭାବି ବର୍ତ୍ତମାନ ମୁହୂର୍ତ୍ତକୁ ଲମ୍ଫ ପ୍ରଦାନ କରିଥାଏ। ରାସ୍ତାରେ ତୁମେ ଚାଲି ଚାଲି ଯାଉଛ; ତୁମ ଆଗରେ ଗୋଟିଏ ସାନ ଝିଅ ଚାଲି ଚାଲି ଯାଉଛି। ସାମନାରୁ ଗୋଟିଏ ମଟର ସାଇକେଲ ଦ୍ରୁତ ଗତିରେ ଝିଅଟି ଆଡ଼େ ମାଡ଼ି ଆସୁଥିବା ଦେଖି ତୁମେ ନିଜର କ’ଣ କ୍ଷତି ହେବ ସେ ବିଷୟରେ ମୁହୂର୍ତ୍ତେ ପାଇଁ ନ ଭାବି, ନିଜର ପଦପଦବି, ପ୍ରତିଷ୍ଠା ସଂପର୍କରେ କିଛି ନ ଭାବି, ଦଉଡ଼ି ଯାଇ ସେ ଝିଅଟିକୁ ଉଠେଇ ନେଇ ରାସ୍ତା କଡ଼ରେ ପଡ଼ିଗଲ- ଏହି ଗଭୀର, ଅମୃତମୟ ଅନୁଭବ କେବଳ ବର୍ତ୍ତମାନକୁ ନିଃସର୍ତ୍ତ ବଞ୍ଚିବାରେ ହିଁ ସମ୍ଭବ ହୋଇପାରେ। ଏବଂ ଏହି ଅନୁଭବ ଆମେ ଆମ ନିଜ ପାଇଁ କିଛି ଗୋଟିଏ ପାଇବାର ଅନୁଭବ ଠାରୁ ସଂପୂର୍ଣ୍ଣ ଭିନ୍ନ, ଆହୁରି ଗଭୀର। ହେନରି ଭାନ ଡାଇକ୍‌ଙ୍କ ଗପ ‘ଅନ୍ୟ ଜ୍ଞାନୀ ଲୋକଟି’ (ଦ ଅଦର ୱାଇଜ ମ୍ୟାନ)ରେ ‘ଅନ୍ୟ’ ତିନି ଜଣ ଜ୍ଞାନୀ ଲୋକଙ୍କ ପରି ଆର୍ତବାନ ନାମରେ ଜଣେ ଲୋକ ପାରସ୍ୟ ଦେଶରୁ ବାହାରିଛି ଶିଶୁ ଯୀଶୁଖ୍ରୀଷ୍ଟଙ୍କୁ ଭେଟିବା ପାଇଁ। ଯୀଶୁଙ୍କୁ ଉପହାର ଦେବା ପାଇଁ ସେ ନିଜର ସମସ୍ତ ସଂପତ୍ତି ବିକ୍ରୟ କରି ତିନିଟି ମୂଲ୍ୟବାନ ରତ୍ନ କିଣୁଛି। ମାତ୍ର ତା’ର ଯାତ୍ରା ପଥରେ ଯନ୍ତ୍ରଣାରେ ପଡ଼ିଥିବା ଗୋଟିଏ ରୋଗୀର ସେବା ପାଇଁ, ଗୋଟିଏ ଛୋଟ ଶିଶୁକୁ ରାଜା ହେରଡ୍‌ଙ୍କର ସୈନ୍ୟମାନଙ୍କ ଦ୍ବାରା ବଧ ହେବାରୁ ରକ୍ଷା କରିବା ପାଇଁ ଏବଂ ଶେଷରେ ଗୋଟିଏ ସ୍ତ୍ରୀ ଲୋକକୁ ଦାସତ୍ବରୁ ମୁକ୍ତ କରିବା ପାଇଁ ସେ ପ୍ରଭୁଙ୍କୁ ଉପହାର ଦେବା ପାଇଁ ରଖିଥିବା ତିନିଟିଯାକ ରତ୍ନ ଦେଇ ଦେଉଛି। ବର୍ତ୍ତମାନରେ ଆସିଥିବା ଆହ୍ବାନଗୁଡ଼ିକୁ ସ୍ବୀକାର କରି ନେଇ ‌େସ ଭଗବାନଙ୍କ ସହିତ ସାକ୍ଷାତର କାର୍ଯ୍ୟକ୍ରମକୁ ମଧ୍ୟ ତ୍ୟାଗ କରି ଦେଉଛି। ଶେଷରେ ଅବଶ୍ୟ ସେ ଭଗବାନଙ୍କ ଆଶୀର୍ବାଦ ଲାଭ କରିଛି। ଏହିପରି ଜୀବନ ଆମ ଭିତରୁ କେତେକ ମଧ୍ୟ ବଞ୍ଚିଥାନ୍ତି। କୌତୂହଳର ବିଷୟ, ସାଧାରଣ ଶ୍ରେଣୀର ଲୋକମାନେ ଏହିପରି ନିବିଡ଼ ଜୀବନ ବଞ୍ଚୁଥାନ୍ତି। ସଂଭ୍ରାନ୍ତ, ଧନୀ, ଉଚ୍ଚଶିକ୍ଷିତ ଲୋକମାନେ ଏପରି ଜୀବନ ବଞ୍ଚିବାରେ ସମର୍ଥ ହୋଇପାରନ୍ତି ନାହିଁ, କାରଣ ସେମାନଙ୍କ ଉପରେ ଅତୀତ ଆଉ ଭବିଷ୍ୟତର ବିଶାଳ ବୁଜୁଳାମାନ ଲଦା ହୋଇଥାଏ। ‌ସମାଜରେ ସାନ ସାନ ଲୋକମାନେ ବଡ଼ ବଡ଼ କାମ କରିଥାନ୍ତି।
ଯାହା ମୋ ସାଥିରେ ବର୍ତ୍ତମାନ ନାହିଁ, ତା’ ମୋହରୁ ବାହାରି ନ ପାରିବା ଏବଂ ବର୍ତ୍ତମାନ ମୋ ସହ ଯାହା ଅଛି, ତା’ ସହ ଯୋଡ଼ି ନ ହୋଇପାରିବା ସବୁଠାରୁ ବଡ଼ ଅାତ୍ମବିଧ୍ବଂସକାରୀ କଥା ଅଟେ। ସାନ ପିଲାମ‌ାନେ ଖେଳଣା ଧରି ପୂରା ନିମଗ୍ନ ହୋଇ ଖେଳୁଥିବେ। ତୁମେ ସେ ଖେଳଣାଟି ପିଲାଠାରୁ ଛଡ଼େଇ ଆଣ। କିଛି ସମୟ ପାଇଁ ପିଲାଟି ମନଦୁଃଖ କରିବ, କାନ୍ଦିବ। ମାତ୍ର ତା’ ପରେ, ତା’ ପାଖରେ ଯାହା ଅଛି, ତାହା ସହ ସେ ଖେଳିବାକୁ ଆରମ୍ଭ କରିବ। ନିଜକୁ ନୂଆ ରୂପରେ ଗଢ଼ି ନ ପାରିଲେ ଜୀବନ ତ ନିଜର କବର ହୋଇଯିବ। ନିଜକୁ ଭାଙ୍ଗି ପୁଣିଥରେ ନିଜକୁ ସଂରଚନା କରିବା ବଞ୍ଚିବାର ମୂଳମନ୍ତ୍ର ହେବା କଥା। କେତେଜଣ ଅଛନ୍ତି, ବ୍ୟକ୍ତିଗତ ଜୀବନରେ ଚରମ ଦୁଃଖ ଥିଲେ ମଧ୍ୟ ବର୍ତ୍ତମାନରେ ମିଳୁଥିବା ମଣିଷମାନଙ୍କ ସହ, ସେମାନଙ୍କର ସୁଖଦୁଃଖ ସହ ଯୋଡ଼ି ହୋଇ ସତେଜ ଜୀବନ ବଞ୍ଚି ପାରୁଛନ୍ତି। ସେଥିପାଇଁ ମାନସିକ ଅବସାଦର ଅବ୍ୟର୍ଥ ମହୌଷଧୀ (ଆଣ୍ଟି-ଡିପ୍ରେସାଣ୍ଟ) ହେଉଛି, ବର୍ତ୍ତମାନରେ ବଞ୍ଚିବା। ଯେତେବେଳେ ଜଣେ ବର୍ତ୍ତମାନର ମୁହୂର୍ତ୍ତଗୁଡ଼ିକରେ ବଞ୍ଚିବାକୁ ଆରମ୍ଭ କରେ, କ୍ରମେ କ୍ରମେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ବର୍ତ୍ତମାନର ମୁହୂର୍ତ୍ତରେ ମିଳୁଥିବା ମଣିଷମାନଙ୍କୁ, ପ୍ରକୃତିକୁ ନିଜର ଆତ୍ମାନୁଭବ ଭିତରକୁ ନେଇ ଆସିବା ଏକ ସ୍ବତଃସ୍ଫୂର୍ତ୍ତ ପ୍ରକ୍ରିୟା (ରିଫ୍ଲେକ୍‌ସ) ହୋଇଯାଏ। ଜୀବନରେ ଯାହା ମିଳୁ ପଛେ, ଉତ୍ସାହଭରା ଜୀବନ ବଞ୍ଚିବା ନିଜର ପ୍ରକୃତି ହୋଇଯାଏ।
ଆବେଗ, ଆନନ୍ଦ ବ୍ୟତୀତ ଏହା ମଧ୍ୟ ଏକ ଦାର୍ଶନିକ ଉପଲବ୍‌ଧି ଦେଇଥାଏ। ଅତୀତର ସଂପର୍କଗୁଡ଼ିକୁ ଜାବୁଡ଼ି ନ ଧରି ବର୍ତ୍ତମାନରେ ମିଳୁଥିବା ନୂଆ ନୂଆ ସଂପର୍କଗୁଡ଼ିକୁ ଆପଣାର କରିବା, ପୁଣି ଏହି ସଂପର୍କର ମୋହବନ୍ଧନକୁ ଛାଡ଼ି ଆଉ ବର୍ତ୍ତମାନର ନୂଆ ସଂପର୍କ ସହିତ ଯୋଡ଼ି ହୋଇଯିବା- ଏମିତି ସଂପର୍କ ଆସୁଥିବା ଏବଂ ଚାଲିଯାଉଥିବା ଭିତରେ ମଣିଷ ସାଂସାରିକ ଜୀବନର ଅଳୀକତା ବିଷୟରେ ସଚେତନ ହୋଇଯାଏ; ସଚେତନ ହୋଇଯାଏ ଜୀବନର ପ୍ରତ୍ୟେକ ମୋହ, ପ୍ରତ୍ୟେକ ବନ୍ଧନକୁ ସମୟ କ୍ରମେ ପରିତ୍ୟାଗ କରିଦେବା ପାଇଁ (‘ଲେଟିଙ୍ଗ ଗୋ’)। ଥରେ ଏହି ପରିତ୍ୟାଗ କରିବା ଦର୍ଶନଟି ଅନ୍ତଃସ୍ଥ ହୋଇଗଲେ, ସଂପର୍କର ଅବା ସଂସାରର ମୁହୁର୍ମୁହୁ କ୍ଷଣଭଙ୍ଗୁରତା ଭିତରେ ବି ମନ ଶାନ୍ତ ରହିଥାଏ। ପ୍ରଖ୍ୟାତ ସୁଫି କବି ରୁମି କହୁଥିଲେ, ‘‘ଅତୀତ ଏବଂ ଭବିଷ୍ୟତ ଭଗବାନଙ୍କୁ ଆମ ଦୃଷ୍ଟିର ଆଢୁଆଳରେ ରଖିଥାନ୍ତି। ସେ ଦୁଇଟିକୁ ଅଗ୍ନିରେ ଜଳେଇ ଭସ୍ମ କରିଦିଅ।’’ ତା’ ହେଲେ, ବର୍ତ୍ତମାନରେ ବଞ୍ଚିବା ଆମକୁ ଏକ ଆଧ୍ୟାତ୍ମିକ ଉପଲବ୍‌ଧି ମଧ୍ୟ ଦେଇଥାଏ। ଯେତେବେଳେ ପ୍ରତିଟି ମୁହୂର୍ତ୍ତରେ ମୁଁ ନୂଆ ନୂଆ ଅଚିହ୍ନା ମଣିଷମାନଙ୍କ ସହ ଆତ୍ମୀୟତାରେ ବାନ୍ଧି ହୋଇଯାଇ ପାରୁଛି, ଯେତେବେଳେ ପ୍ରକୃତିର ପ୍ରତ୍ୟେକ ପ୍ରକାଶ ଭିତରେ ମୁଁ ମୋର ସନ୍ଧାନ ପାଇପାରୁଛି, ସେତେବେଳେ ଏହା ତ ଏକ ମହା ଏକାତ୍ମକତାର ମୁହୂର୍ତ୍ତ ଅଟେ। ସୃଷ୍ଟି ସହ ପ୍ରତି ମୁହୂର୍ତ୍ତରେ ଏମିତି ଯୋଡ଼ି ହୋଇଯିବା ତ ଏକ ଅପୂର୍ବ ଅଦ୍ବେତ ଅନୁଭବ!
ପ୍ରତ୍ୟେକ ମୁହୂର୍ତ୍ତର ବିନ୍ଦୁ ବିନ୍ଦୁ ଆତ୍ମୀୟତା ହିଁ ଜୀବନ। ଏହା ବାହାରେ ଆଉସବୁ ମିଥ୍ୟା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୯୨୧୧୩

Comments are closed.