Greatness of farmers: ଚାଷୀଙ୍କ ମହାନତା: ବିଦ୍ୟାଳୟକୁ ଦାନ କଲେ କୋଟିଏ ଟଙ୍କାର ଜମି

ସାଂପ୍ରତିକ ସ୍ଥିତିରେ ଭଲ ମଣିଷ ରହିଛନ୍ତି। ଯାହାଙ୍କ ବଦାନ୍ୟତା ଯୁଗ ଯୁଗ ପାଇଁ ମନେ ରହିବ। ଏମିତି ଏକ ଭଲ କାମ କରି ଦେଖାଇଛନ୍ତି ଜଣେ ୯୦ ବର୍ଷୀୟ ଚାଷୀ। ତିଳେ ମଧ୍ୟ କୁଣ୍ଠାବୋଧ ନକରି କୋଟିଏ ଟଙ୍କାର ମୂଲ୍ୟବାନ ଜମିକୁ ଗାଁ ବିଦ୍ୟାଳୟକୁ ଦାନ କରି ଦେଇଛନ୍ତି।

କେନ୍ଦୁଝର: ସାଂପ୍ରତିକ ସ୍ଥିତିରେ ଭଲ ମଣିଷ ରହିଛନ୍ତି। ଯାହାଙ୍କ ବଦାନ୍ୟତା ଯୁଗ ଯୁଗ ପାଇଁ ମନେ ରହିବ। ଏମିତି ଏକ ଭଲ କାମ କରି ଦେଖାଇଛନ୍ତି ଜଣେ ୯୦ ବର୍ଷୀୟ ଚାଷୀ। ତିଳେ ମଧ୍ୟ କୁଣ୍ଠାବୋଧ ନକରି କୋଟିଏ ଟଙ୍କାର ମୂଲ୍ୟବାନ ଜମିକୁ ଗାଁ ବିଦ୍ୟାଳୟକୁ ଦାନ କରି ଦେଇଛନ୍ତି। କେନ୍ଦୁଝର ଜିଲ୍ଲାର ରାଇକଳା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୈତୃକ ଗାଁ। ଏହି ଗାଁରେ ଥିବା ପିଏମ୍‌ଶ୍ରୀ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନିଜସ୍ବ ଜମି ନାହିଁ। ଦୀର୍ଘବର୍ଷ ଧରି ବିଦ୍ୟାଳୟଟି ନିକଟସ୍ଥ କନ୍ଦରକଳା ଗାଁର ପରମାନନ୍ଦ ମହାନ୍ତଙ୍କ ଜମିରେ ଚାଲୁଥିଲା। ଯଦିଓ ପରମାନନ୍ଦ ଏହି ବିଦ୍ୟାଳୟରେ ପାଠ ପଢ଼ିନାହାନ୍ତି, କିନ୍ତୁ ଶିକ୍ଷାନୁଷ୍ଠାନ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ସେ ଏହି ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ବିଦ୍ୟାଳୟକୁ ନେଇ ମୁଖ୍ୟମନ୍ତ୍ରୀ ଯେବେ ଯୋଜନା ପ୍ରସ୍ତୁତ କଲେ, ସେତେବେଳେ ବିଦ୍ୟାଳୟର ନିଜସ୍ବ ଜମି ନଥିବାରୁ ଭିତ୍ତିଭୂମି ବିକାଶରେ ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ସମସ୍ୟା ହେଲା।

ffsffhhf

ଏହା ଜାଣିବା ପରେ ମହାନତା ଦେଖାଇଲେ ପରମାନନ୍ଦ। ନିଜ ଜମିକୁ ବିଦ୍ୟାଳୟ ନାମରେ ପଞ୍ଜୀକରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ରାଇକଳା ଗାଁର ବିଦ୍ୟାଳୟ ନିକଟ ରାସ୍ତାକଡ଼ ଜମି ଅପେକ୍ଷାକୃତ ମୂଲ୍ୟବାନ। ଏଠାରେ ଜମି ଡିସିମିଲ ପିଛା ୧ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପରମାନନ୍ଦଙ୍କ ଏଠାରେ ଥିବା ୧ ଏକର ୪ ଡିସିମିଲ ଜମିର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହେବ। ସେ ନିଜ ତରଫରୁ ବିଦ୍ୟାଳୟକୁ ଜମିଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଆଜି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପରମାନନ୍ଦ ପହଞ୍ଚି ଜିଲ୍ଲାଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନାମରେ ଦାନପତ୍ରରେ ସ୍ବାକ୍ଷର କରି ଜମି ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ବେଳେ କେନ୍ଦୁଝର ସଦର ବ୍ଲକ୍‌ ଶିକ୍ଷା ଅଧିକାରୀ ଓମ୍‌କାର ଅନ୍ବେଷ, ଅତିରିକ୍ତ ତହସିଲଦାର ଦୁର୍ଗେଶ କଲ୍ୟାଣ ପ୍ରଧାନ, ସବ୍‌ରେଜିଷ୍ଟ୍ରାର ଗଜାନନ ପ୍ରଧାନ, ପ୍ରଧାନଶିକ୍ଷକ ଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ କହିଛନ୍ତି, ପରମାନନ୍ଦ ମହାନ୍ତ ତାଙ୍କ ଜମିକୁ ବିଦ୍ୟାଳୟ ନାମରେ କରିବା ପାଇଁ ତାଙ୍କୁ ଏକାଧିକ ଥର କହିଥିଲେ। ତାଙ୍କ ଆଗ୍ରହ କ୍ରମେ ଆଜି ଜମି ପଞ୍ଜୀକରଣ ହୋଇଛି।

ସୌଜନ୍ୟ Prameya News7