Water: କ୍ଷେତକୁ ପାଣି, ଚିକ୍‌ଚିକ୍‌ ହେବ ବସ୍‌ଷ୍ଟାଣ୍ଡ: ପାରମ୍ପରିକ ଚାଷ ବଦଳରେ ଅର୍ଥକରୀ ଫସଲ ପାଇଁ ପ୍ରୋତ୍ସାହନ

ରାଜ୍ୟରେ ଜଳସେଚନ ସୁବିଧା ପାଇଁ ସରକାର ୧୫ଟି ଉଠାଜଳସେଚନ ପ୍ରକଳ୍ପ ପାଇଁ ୬୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ଚାଷୀ ପାରମ୍ପରିକ ଶସ୍ୟ ଉତ୍ପାଦନ ବଦଳରେ ଅର୍ଥକରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ।

 

ଭୁବନେଶ୍ବର: ରାଜ୍ୟରେ ଜଳସେଚନ ସୁବିଧା ପାଇଁ ସରକାର ୧୫ଟି ଉଠାଜଳସେଚନ ପ୍ରକଳ୍ପ ପାଇଁ ୬୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ବାରା ଚାଷୀ ପାରମ୍ପରିକ ଶସ୍ୟ ଉତ୍ପାଦନ ବଦଳରେ ଅର୍ଥକରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ। ଆଜି ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକ‌ସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ୫ ବିଭାଗର ୧୧ଟି ପ୍ରସ୍ତାବରେ ମୋହର ଲାଗିଥିଲା।  ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଥିଲେ, ‘ପାର୍ବତୀ ଗିରି ବୃହତ୍‌ ଉଠାଜଳସେଚନ’ ଯୋଜନା ଅଧୀନରେ ପ୍ରସ୍ତାବିତ କ୍ଲଷ୍ଟର୍‌-୩୦ ମାଧ୍ୟମରେ ୪ଟି ଉଠାଜଳସେଚନ ପ୍ରକଳ୍ପ ତେଲ ନଦୀ, ମହାନଦୀ (କପଶିରା ଆଇଏସଏସ ପାଖ) ଓ ତେଲ ନଦୀ (ତେଲ ଓ ସୁକତେଲ ନଦୀ ସଙ୍ଗମସ୍ଥଳ) ଜଳଭଣ୍ଡାରରୁ ଉତ୍ତୋଳନ କରାଯିବ। ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ୬ ହଜାର ୨୫ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇବା ସହ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୭୦ କୋଟି ୨୨ ଲକ୍ଷ ୪ ହଜାର ୩୧ ଟଙ୍କା ଓ ୧୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦକୁ ୧୩ କୋଟି ୬୧ ଲକ୍ଷ ୭୬ ହଜାର ୩୨୩ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି। ପ୍ରକଳ୍ପଟି ୩୬ ମାସ ଭିତରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାଦ୍ବାରା ସୁବର୍ଣ୍ଣପୁରର ୪୭ଟି ଗାଁର ଚାଷୀ ଉପକୃତ ହେବେ। ସେହିପରି ପ୍ରସ୍ତାବିତ କ୍ଲଷ୍ଟର୍‌-୨୭ ମାଧ୍ୟମରେ ୪ଟି ଉଠାଜଳସେଚନ ପ୍ରକଳ୍ପ ଜରିଆରେ ସମ୍ବଲପୁରର ଚାଷଜମିକୁ ପାଣି ମିଳିବ।

 

ଜିଲ୍ଲାର ୬ ହଜାର ୨୧୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ସହ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ। ଏହି ପ୍ରକଳ୍ପ ପାଇଁ ୨୦୪ କୋଟି ୨୧ ଲକ୍ଷ ୮୮ ହଜାର ୯୩୩ ଓ ରକ୍ଷଣାବେକ୍ଷଣ ପାଇଁ ୧୬ କୋଟି ୩୩ ଲକ୍ଷ ୭୫ ହଜାର ୧୧୫ ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି। ପ୍ରକଳ୍ପଟି ୩୬ ମାସ ଭିତରେ ଶେଷ ହେବ ଓ ସମ୍ବଲପୁର ଜିଲ୍ଲାର ୫୪ଟି ଗାଁର ଚାଷୀ ଉପକୃତ ହେବେ। ପ୍ରସ୍ତାବିତ କ୍ଲଷ୍ଟର୍‌-୩୮ ମାଧ୍ୟମରେ ୩ଟି ଉଠାଜଳସେଚନ ପ୍ରକଳ୍ପ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣ ହେବ। କାନପୁର ମୁଖ୍ୟ କେନାଲ, ଆରାଦେଇ ନଦୀ ଓ ମୟୂରଭଞ୍ଜ ଜିଲ୍ଲାର ବାଲିସୁଦ୍ର ନଦୀରୁ ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଦୁଇ ଜିଲ୍ଲାର ୪ ହଜାର ୨୮୦ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ପ୍ରକଳ୍ପ ପାଇଁ ୯୨ କୋଟି ୯୮ ଲକ୍ଷ ୪୨ ହଜାର ୭୯୫ ଟଙ୍କା ସହ ରକ୍ଷଣାବେକ୍ଷଣ ବାବଦକୁ ୭ କୋଟି ୪୮ ଲକ୍ଷ ୫୨ ହଜାର ୩୪୫ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରି ମିଳିଛି। ପ୍ରକଳ୍ପ ଶେଷ ହେବା ପରେ କେନ୍ଦୁଝରର ୨୫ଟି ଓ ମୟୂରଭଞ୍ଜର ୮ଟି ଗାଁର ଚାଷୀ ଉପକୃତ ହେବେ। ପ୍ରସ୍ତାବିତ କ୍ଲଷ୍ଟର୍‌-୩୭ ମାଧ୍ୟମରେ ୪ଟି ଉଠାଜଳସେଚନ ପ୍ରକଳ୍ପ ଯାଜପୁର ଜିଲ୍ଲାରେ ନିର୍ମାଣ କରାଯିବ। ଖରସୁଆଁ ନଦୀ ଓ ବ୍ରାହ୍ମଣୀ ନଦୀରୁ ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ଜରିଆରେ ଯାଜପୁର ଜିଲ୍ଲାର ୫ ହଜାର ୯୫୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯିବ। ୩୬ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ସରିବ। ପ୍ରକଳ୍ପ ପାଇଁ ୧୫୮ କୋଟି ୮୬ ଲକ୍ଷ ୭୨ ହଜାର ୩୮୯ ଟଙ୍କା ସହ ୧୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ବାବଦକୁ ୧୨ କୋଟି ୭୦ ଲକ୍ଷ ୯୩ ହଜାର ୭୯୨ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ହେବା ପରେ ଯାଜପୁର ଜିଲ୍ଲାର ୭୩ଟି ଗାଁର ଲୋକେ ଉପକୃତ ହେବେ।

ଏହବାଦ୍‌ ରାଜ୍ୟ ସରକାର ହାଡ଼ୁଆ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରିଛନ୍ତି। କଟକଜିଲ୍ଲା ନରସିଂହପୁର, ବଡ଼ମ୍ବା ଓ ତିଗିରିଆ ବ୍ଲକ୍‌ର ସମନ୍ବିତ ବିକାଶ ପାଇଁ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ଚାଲୁ ରହିଛି। ଖାରୋଡ଼ ଗାଁ ନିକଟରେ ହାଡ଼ୁଆ ନଦୀ ଉପରେ ଏକ ଜଳଭଣ୍ଡାର ନିର୍ମାଣ କରାଯିବା ସହ ବିସ୍ତୃତ ବିତରଣ ପ୍ରଣାଳୀ ନିର୍ମାଣ କରାଯାଇ ଏହି ବ୍ଲକ୍‌ର ମରୁଡ଼ିପ୍ରବଣ ଅଞ୍ଚଳର ୩ ହଜାର ୬୪୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ହାଡ଼ୁଆ ଡ୍ୟାମ୍‌ରୁ ଭୂତଳ ପାଇପଲାଇନ୍‌ ଦ୍ବାରା ଚାଷୋପଯୋଗୀ ଜମିକୁ ଜଳସେଚିତ କରାଯାଇପାରିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ରେ ୧୩୫ କୋଟି ୭୫ ଲକ୍ଷ ୯୭ ହଜାର ୩୫ ଟଙ୍କା ସହ ୫ ବର୍ଷର ରକ୍ଷଣାବେକ୍ଷଣ ବାବଦ ୬ କୋଟି ୮୫ ଲକ୍ଷ ୫୮ ହଜାର ୬୫୦ ଟଙ୍କା ଅନୁମୋଦନ ମିଳିଛି। ୨୪ ମାସ ଭିତରେ ପ୍ରକଳ୍ପ ଶେଷ ହେବ। ଯାହାଫଳରେ ବଡ଼ମ୍ବା ବ୍ଲକ୍‌ର ୭୬ଟି ଗାଁ, ନରସିଂହପୁରର ୫ଟି ଗାଁ ଓ ତିଗିରିଆ ବ୍ଲକ୍‌ର ୫ଟି ଗାଁ ଜଳସେଚନ ସୁବିଧା ପାଇବ।

ଅଟଳ ବସ୍‌ଷ୍ଟାଣ୍ଡ ପାଇଁ ୩୪୦୦ କୋଟି

ଭୁବନେଶ୍ବର: ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡର ବିକାଶ, ନବୀକରଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ‘ଅଟଳ ବସଷ୍ଟାଣ୍ଡ’ ଯୋଜନା ଅଧୀନକୁ ସବୁ ବସଷ୍ଟାଣ୍ଡକୁ ଅଣାଯିବ। ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ମୁଖ୍ୟାଳୟ, ବ୍ଲକ୍ ମୁଖ୍ୟାଳୟ, ପୌରାଞ୍ଚଳ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ଥିବା ସାର୍ବଜନୀନ ବସ୍‌ଷ୍ଟାଣ୍ଡ ଏହି ତାଲିକାରେ ରହିବେ। ଏଥି ପାଇଁ ସରକାର ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କାର ବଜେଟ୍‌ ଅନୁମୋଦନ କରିଛନ୍ତି। ଆଜି ଏହି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ରହିବାକୁ ଥିବା ‘ଅଟଳ ବସ୍‌ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଦ୍ବାରା କାର୍ଯ୍ୟକାରୀ କରାଯିବ। ବସ୍‌ଷ୍ଟାଣ୍ଡଗୁଡ଼ିକୁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀ ଏମିତି ତିନି ବର୍ଗରେ ରଖାଯିବ। ସେଠାରେ ଆବଶ୍ୟକତା ଅନୁଯାୟୀ ପରିଚାଳନା କରାଯିବ। ବସ୍‌ଷ୍ଟାଣ୍ଡରେ ଉପଲବ୍ଧ ହେବାକୁ ଥିବା ସମନ୍ବିତ ସାର୍ବଜନୀନ ସେବା ଓ ସୁବିଧାକୁ ଉଭୟ ସରକାରୀ ଏବଂ ବେସରକାରୀ ବସ୍ ଅପରେଟରମାନେ ବ୍ୟବହାର କରିବେ।

ସୌଜନ୍ୟ Prameya News7