ମୁମ୍ବାଇ: ଚଳିତ ଆଇପିଏଲ୍ରେ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଶା ଜନକ ଆରମ୍ଭ କରିପାରିନାହିଁ। ପ୍ରଥମ ମ୍ୟାଚ୍କୁ ଜିତିବା ପରେ ଲଗାତାର ତିନିଟି ମ୍ୟାଚ୍ ହାରି ସଂପ୍ରତି ପଏଣ୍ଟ୍ ତାଲିକାର ନବମ ସ୍ଥାନରେ ସଂଘର୍ଷ କରୁଛି ଏହି ଦଳ। ସେଥିପାଇଁ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ଯେତେବେଳେ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିଲେ ସେତେବେଳେ ସେମାନଙ୍କ ମନୋବଳ ବଢ଼ାଇବାକୁ ପହଞ୍ଚି ଯାଇଥିଲେ ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ।
ତାଙ୍କ ଉପସ୍ଥିତି ଦଳର ଅଭ୍ୟାସ ଅଧିବେଶନକୁ ଅଧିକ ରୋଚକ କରିବା ସହ ଖେଳାଳିମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ। ଛେତ୍ରୀଙ୍କ ଉପସ୍ଥିତି ପାଇଁ ଏକ ନିୟମିତ ଅଭ୍ୟାସ ଫୁଟ୍ବଲ୍ ଓ କ୍ରିକେଟ୍ର ମହାମିଳନ ମଞ୍ଚରେ ପରିଣତ ହୋଇଥିଲା। ଭାରତର ମହାନତମ ଫୁଟ୍ବଲ୍ ତାରକାଙ୍କ ମଧ୍ୟରୁ ଅନ୍ୟତମ ଛେତ୍ରୀ ଏହି ଅବସରରେ ମୁମ୍ବାଇ ଖେଳାଳି ଓ ସହକାରୀ ଅଧିକାରୀଙ୍କ ସହ ଢେର ସମୟ ବାର୍ତ୍ତାଳାପ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କୁ ଏକ ଦଳୀୟ ଜର୍ସି ଉପହାର ଦେଇଥିଲେ। ଯାହା ତାଙ୍କ ଆଗମନକୁ ଆହୁରି ସ୍ମରଣୀୟ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ତା’ର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ଏହି ଅଭୁଲା ମୁହୂର୍ତ୍ତରେ ଏକାଧିକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଥିଲା।
ସୌଜନ୍ୟ ସମ୍ବାଦ

