ଖେଳଜାତୀୟ

Viktor Axelsen: ବ୍ୟାଡମିଣ୍ଟନ୍‌ କିଂବଦନ୍ତି ଆକ୍ସେଲସେନ୍‌ଙ୍କ ଅବସର

‌କୋପେନହେଗେନ: ଡେନମାର୍କର କିଂବଦନ୍ତି ବ୍ୟାଡମିଣ୍ଟନ୍‌ ତାରକା ଭିକ୍ଟର ଆକ୍ସେଲସେନ୍‌ ତାଙ୍କ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନରେ ଯବନିକା ଟାଣିଛନ୍ତି। ବିଗତ କିଛି ବର୍ଷ ହେବ ପିଠି ଯନ୍ତ୍ରଣାରେ ଜର୍ଜରିତ ହେବା ପରେ ବାଧ୍ୟହୋଇ ସେ ବୁଧବାର ବ୍ୟାଡମିଣ୍ଟନ୍‌ରୁ ଅବସର ଘୋଷଣା କରିଛନ୍ତି। ଦୁଇ ଥର ଲେଖାଏଁ ଅଲିମ୍ପିକ୍ସ ଓ ବିଶ୍ବ ଚାମ୍ପିଅନ୍‌ସିପ୍‌ ବିଜେତା ଏବଂ ଚାରିଥରର ୟୁରୋପୀୟ ବିଜେତା ଆକ୍ସେଲସେନ୍‌ ନିଜ ନିଷ୍ପତ୍ତିକୁ ସର୍ବସାଧାରଣ କରିବା ପରେ ବ୍ୟାଡ୍‌ମିଣ୍ଟନ୍‌ ପ୍ରତି ସେ ଦେଇଥିବା ଅବଦାନକୁ ସମ୍ମାନ ଜଣାଇ ଲକ୍ଷଲକ୍ଷ କ୍ରୀଡ଼ାପ୍ରେମୀ ତାଙ୍କ ଅଗାମୀ ଭବିଷ୍ୟତ ଲାଗି ଶୁଭକାମନା ଜଣାଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ଲକ୍ଷ୍ୟ ସେନ୍‌, ପିଭି ସିନ୍ଧୁ ଓ ବିମଲ କୁମାର ପ୍ରମୁଖ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ୩୨ ବର୍ଷୀୟ ଆକ୍ସେଲସେନ୍‌ ଟୋକିଓ ଓ ପ୍ୟାରିସ୍‌ ଅଲିମ୍ପିକ୍ସରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ବି ୨୦୧୭ ଓ ୨୦୨୨ ବିଶ୍ବ ଚାମ୍ପିଅନ୍‌ସିପ୍‌ ଜିତିଥିଲେ। ୟୁରୋପୀୟ ଚାମ୍ପିଅନ୍‌ସିପ୍‌ରେ ୬ଟି ସ୍ବର୍ଣ୍ଣ ପଦକ ଜିତିଥିବା ଡେନମାର୍କ ଦଳର ଅନ୍ୟତମ ସଦସ୍ୟ ଥିଲେ ସେ। ଆକ୍ସେଲସେନ୍‌ ୧୮୩ ସପ୍ତାହ ଧରି ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ରହିଥିଲେ। ନିଜ ଅବସର ବାର୍ତ୍ତାରେ ସେ କହିଛନ୍ତି,

ଅଧିକାଂଶ ଲୋକ ଜାଣନ୍ତି ଯେ, ମୁଁ ବହୁତ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଘର୍ଷ କରିଆସୁଛି। ଗତବର୍ଷ ଏପ୍ରିଲ୍‌ରେ ମୋର ଅସ୍ତ୍ରୋପଚାର ହେବା ପରେ ଏବଂ ଏକ ଲମ୍ବା ପୁନର୍ବାସ ପ୍ରକ୍ରିୟା ଦେଇ ଯିବା ପରେ, ଦୁର୍ଭାଗ୍ୟବଶତଃ ଅକ୍ଟୋବରରେ ମୋ ସହ ଆଉ ଏକ ଦୁର୍ଘଟଣା ଘଟିଥିଲା। ସେବେଠାରୁ ମୁଁ ଅଧିକ ପ୍ରତିଯୋଗିତା ଖେଳିପାରିନାହିଁ କିମ୍ବା ଅଭ୍ୟାସ ନେଇପାରିନାହିଁ। ଫଳରେ ଅବସର ନେବାର ଦୁର୍ଭାଗ୍ୟଜନକ ତଥା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button