FIFA World Cup: ବିଶ୍ବକପ୍‌ ବସ୍‌ ଟିକେଟ୍‌ ଦର ୧୦,୦୦୦ ଟଙ୍କା

ବୋଷ୍ଟନ: କାନାଡ଼ା, ଆମେରିକା ଓ ମେକ୍ସିକୋରେ ଚଳିତବର୍ଷ ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫିଫା ବିଶ୍ବକପ୍‌ ଦେଖିବା ପ୍ରଶଂସକଙ୍କ ପାଇଁ ଦିନକୁ ଦିନ ମହଙ୍ଗା ‌ହୋଇ ଚାଲିଛି। ଏହି ପ୍ରତୀକ୍ଷିତ ଫୁଟ୍‌ବଲ୍‌ ମହାକୁମ୍ଭର ମ୍ୟାଚ୍‌ ଟିକେଟ୍‌ ଦର ପୂର୍ବର ସବୁ ସଂସ୍କରଣଠାରୁ ଅଧିକ ରହିଛି। ଏବେ ପ୍ରଶଂସକଙ୍କ ପାଇଁ ଷ୍ଟାଡିୟମ୍‌କୁ ଯିବା ଲାଗି ଆରମ୍ଭ ହେବାକୁ ଥିବା ଉତ୍ସର୍ଗୀକୃତ ବସ୍‌ର ଟିକେଟ୍‌ କିଣିବା ମଧ୍ୟ କାଠିକର ପାଠ ହେବାକୁ ଯାଉଛି।

ବିଶେଷ କରି ଆମେରିକାର ବୋଷ୍ଟନ୍‌ ସହରରେ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ‌ଷ୍ଟାଡିୟମ୍‌କୁ ଯିବାକୁ ହେଲେ ଫୁଟ୍‌ବଲ୍‌ପ୍ରେମୀଙ୍କୁ ଗୋଟିଏ ଗୋଟିଏ ମ୍ୟାଚ୍‌ ଲାଗି ୧୦,୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ବୋଷ୍ଟନ ବିଶ୍ବକପ୍‌ ଆୟୋଜନ ସମିତି ଏହି ସେବା ଲାଗି ୟାଙ୍କି ଲାଇନ୍‌ ନାମକ ଏକ କଂପାନି ସହ ଚୁକ୍ତି କରିଛି। ଯାହାର ନାଁ ବୋଷ୍ଟନ୍‌ ଷ୍ଟାଡିୟମ୍‌ ଏକ୍ସପ୍ରେସ୍‌ ରଖାଯାଇଛି। ତେବେ ଏହି ବସ୍‌ ସେବାର ଟିକେଟ୍‌ ଦର ଯିବା ଆସିବା ଲାଗି ଭାରତୀୟ ମୁଦ୍ରାରେ ୧୦,୦୦୦ ଟଙ୍କାରୁ ଅଧିକ ରହିବା

ପ୍ରଶଂସକଙ୍କୁ ବିସ୍ମିତ କରିଛି। ପୁଣି ବସ୍‌ ଟିକେଟ୍‌ଗୁଡ଼ିକ ଆଗୁଆ କିଣିବାକୁ ପଡ଼ିବ ବୋଲି ସ୍ପଷ୍ଟ କରି ଦିଆଯାଇଛି। ଏହି ବସ୍ ସେବା ସହ ପ୍ରଶଂସକଙ୍କ ରହିବା ପାଇଁ ଆୟୋଜନ ସମିତି ୧୦୦ ଟି ହୋଟେଲ ସହ ବି ଚୁକ୍ତି କରିଛି। ଏହି ହୋଟେଲର ରୁମ୍‌ ଭଡ଼ା ମଧ୍ୟ ବେଶ୍‌ ମହଙ୍ଗା ରହିଛି। ତେବେ ଏହି ସେବା ଦ୍ବାରା ପ୍ରତ୍ୟେକ ଦିନ ୧୦,୦୦୦ରୁ ଅଧିକ ଦର୍ଶକଙ୍କୁ ଷ୍ଟାଡିୟମ୍‌କୁ ନେବା ଆଣିବା କରିବା ଲାଗି ୟାଙ୍କି ଲାଇନ୍‌ ଲକ୍ଷ୍ୟ ରଖିଛି।

 

 

 

ସୌଜନ୍ୟ ସମ୍ବାଦ