Natural beauty: ମୁଁ ପ୍ରାକୃତିକ ସୁନ୍ଦରୀ!

ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ବଲିଉଡ୍‌ କଳାକାରମାନେ ଆପଣାଉଥିବା କୃତ୍ରିମ ଉପାୟ ଅବଲମ୍ବନ ନକରି ନିଜକୁ ପ୍ରାକୃତିକ ସୁନ୍ଦରୀ ବୋଲି କହିଛନ୍ତି ଅଭିନେତ୍ରୀ ଅବନୀତ କୌର। ତାଙ୍କୁ ନେଇ ଚାଲିଥିବା ପ୍ଲାଷ୍ଟିକ ସର୍ଜରି ଓ ବୋଟୋକ୍ସ ଥେରାପି ସମ୍ପର୍କିତ ଚର୍ଚ୍ଚାକୁ ନେଇ ଶେଷରେ ସେ ମୁହଁ ଖୋଲିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ପ୍ରାକୃତିକ। ସେ କେବେ ହେଲେ କୌଣସି ପ୍ଲାଷ୍ଟିକ ସର୍ଜରି କିମ୍ବା ବୋଟୋକ୍ସ କରାଇନାହାନ୍ତି।
ଅବନୀତଙ୍କ ଗ୍ଲାମରସ୍ ରୂପକୁ ନେଇ ବହୁଦିନ ଧରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଚାଲିଛି। ଅବନୀତ ବୋଟୋକ୍ସ କିମ୍ବା ନୋଜ୍ ଜବ୍ କରାଇଥିବେ ବୋଲି ଅନେକେ ଅନୁମାନ କରୁଥିବା ବେଳେ ଏଭଳି ଗୁଜବକୁ ସେ ଖଣ୍ଡନ କରିଛନ୍ତି।

ପିଲାଦିନର ଚେହେରା ସହ ତାଙ୍କର ବର୍ତ୍ତମାନର ଚେହେରାକୁ ତୁଳନା କରିବା ଭୁଲ୍‌। ବୟସ ବୃଦ୍ଧି ସହ ମଣିଷର ଚେହେରାରେ ପରିବର୍ତ୍ତନ ଆସିବା ସ୍ୱାଭାବିକ। ଏହାକୁ ନେଇ ଏତେ ଆଚମ୍ବିତ ହେବାର କୌଣସି କାରଣ ନାହିଁ ବୋଲି ଅବନୀତ ପ୍ରକାଶ କରିଛନ୍ତି। ତେବେ ଏ ଚର୍ଚ୍ଚାକୁ ନେଇ ସେ ଅାହୁରି ବି କହିଛନ୍ତି, ‘‘ସୋସିଆଲ୍ ମିଡିଆର ସମସ୍ତ ଚର୍ଚ୍ଚାକୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ। ଏମିତି ଗୁଜବ ମୋର କାମ କିମ୍ବା ଆତ୍ମବିଶ୍ୱାସକୁ ଆଦୌ ପ୍ରଭାବିତ କରେନି। ମୁଁ ମୋ ନିଜ କ୍ୟାରିଅର୍‌ରେ ଧ୍ୟାନ ଦେଇ ଆଗକୁ ବଢ଼ିବାକୁ ପସନ୍ଦ କରେ।’’ ଅବନୀତ କୌର ଶିଶୁ କଳାକାର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ଟିଭି, ଫିଲ୍ମ ଓ ଡିଜିଟାଲ୍ ପ୍ଲାଟଫର୍ମରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେ ଜଣେ ଗ୍ଲୋବାଲ୍ ଇନ୍‌ଫ୍ଲୁଏନ୍ସର୍ ଭାବେ ବେଶ୍‌ ପରିଚିତ।

 

 

ସୌଜନ୍ୟ ସମ୍ବାଦ