ୱାସିଂଟନ: ପାକିସ୍ତାନରେ ଇରାନ ଓ ଆମେରିକା ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଆମେରିକା ପକ୍ଷରୁ ଏହି ଆଲୋଚନା ପାଇଁ ସକାରାତ୍ମକ ମନ୍ତବ୍ୟ ରହିଥିବାବେଳେ ଇରାନ କିଛି ସ୍ପଷ୍ଟ କରିନାହିଁ। ଆମେରିକା ପ୍ରତିନିଧି ଦଳ ଆସନ୍ତାକାଲି ଇସଲାମାବାଦରେ ପହଞ୍ଚି ପାରନ୍ତି ବୋଲି କୁହାଯାଉଥିବାବେଳେ ଏଥର ଆମେରିକା ପ୍ରତିନିଧି ଦଳରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ରହିବେ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଅତିକମ୍ରେ ଦୁଇଟି ସାକ୍ଷାତକାରରେ ଭାନ୍ସ ଇସଲାମାବାଦ ଆସୁନଥିବା କହିଛନ୍ତି।
ସୁରକ୍ଷା କାରଣରୁ ଭାନ୍ସଙ୍କୁ ଏହି ଗସ୍ତରେ ସାମିଲ କରାଯାଇନାହିଁ ବୋଲି କହିଥିଲେ। ତେବେ ହ୍ବାଇଟ ହାଉସ୍ ପକ୍ଷରୁ ଏକ ନ୍ୟୁଜ ଚାନେଲକୁ କୁହାଯାଇଛି ଯେ, ଭାନ୍ସ ଓ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟ୍କଫ୍ ଓ ଜାରେଡ କୁଶନର ସୋମବାର ପାକିସ୍ତାନ ଯିବେ। ଅନ୍ୟପକ୍ଷରେ ଟ୍ରମ୍ପ ନିଜେ ଇରାନ ସହିତ ଆଲୋଚନାରେ ସାମିଲ ହେବାକୁ ଚାହୁଥିଲେ। କିନ୍ତୁ ଆମେରିକା ସିକ୍ରେଟ ସର୍ଭିସ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଏକା ସାଙ୍ଗରେ ପାକିସ୍ତାନ ଗସ୍ତ କରିବାକୁ ସମର୍ଥନ କରିନାହାନ୍ତି। ଯଦି ଇରାନ ସହିତ ଚୁକ୍ତି ହୁଏ ତେବେ ଟ୍ରମ୍ପ ଇସଲାମାବାଦ ଆସିବେ, କିନ୍ତୁ ତା’ପୂର୍ବରୁ ଭାନ୍ସଙ୍କୁ ଆମେରିକା ଫେରିବାକୁ ପଡ଼ିବ ବୋଲି କୁହାଯାଇଛି।
ଅନ୍ୟ ପକ୍ଷରେ ଏହି କଥାବାର୍ତ୍ତାକୁ ନେଇ ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷ କରି ଇସଲାମାବାଦ ଓ ରାୱଲପିଣ୍ଡିରେ ଜନସାଧାରଣ ଓ ମାଲ ପରିବହନ ଉପରେ କଟକଣା ଲଗାଯାଇଛି। ତେବେ ଗତ ସପ୍ତାହରେ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା କୌଣସି ଫଳାଫଳ ବିନା ଶେଷ ହୋଇଥିଲା।
ସୌଜନ୍ୟ ସମ୍ବାଦ

