କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ-୨୦୨୩ରେ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ବୈଠକରେ ୮ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ବୈଠକରେ କଟକ ଭୁବନେଶ୍ବର ମଧ୍ୟରେ ଗମନାଗମନକୁ ସୁଗମ କରିବା ଲାଗି କାଠଯୋଡ଼ିରେ ଆଉ ଏକ ସେତୁକୁ ମଞ୍ଜୁରୀ ଦିଆଯାଇଛି। ତ୍ରିଶୁଳିଆ ଛକରେ ଥିବା ବର୍ତ୍ତମାନର ସେତୁ ସହ ସମାନ୍ତର ଭାବେ ନିର୍ମାଣ ହେବ ଏହି ସେତୁ । ଯେଉଁଥିପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ବଲାଙ୍ଗିରରେ ଅମ୍ବିକା କଟସ୍ପିନର ସ୍ପିନିଂ ୟୁନିଟ୍ ସ୍ଥାପନକୁ ମଞ୍ଜୁରୀ କଟସ୍ପିନର ସ୍ପିନିଂ ୟୁନିଟ୍ ପାଇଁ ନିବେଶ ହେବ ୧୨୪ କୋଟି ଟଙ୍କା। ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସହରାଞ୍ଚଳରେ PNG,CNG ଭିତ୍ତିଭୂମିର ସଂପ୍ରସାରଣକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକରେ ଓଡ଼ିଶା ରାଜ୍ୟ ତଥ୍ୟ ନୀତି-୨କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।​​​​​​​

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ-୨୦୨୩ର ପରିବର୍ତ୍ତନ

ଓଡ଼ିଶା ଆପର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ-୨୦୨୩ର ପରିବର୍ତ୍ତନ କରାଯାଇଛି । ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ ପଞ୍ଜିକରଣରେ ଟିକସ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି AoAକୁ ଦଲିଲ ହସ୍ତାନ୍ତରରେ ସ୍ଲାବ୍ ଟିକସ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏଣିକି AoAକୁ ଦଲିଲ ହସ୍ତାନ୍ତରରେ ଦେବାକୁ ହେବ କେବଳ ୫୦ ହଜାର ଟଙ୍କା । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଅଂଶ ବିକ୍ରିରେ ୫% ଷ୍ଟାମ୍ପ ଡ୍ୟୁଟି ଲାଗିବ । ଏହା ଆପାର୍ଟମେଣ୍ଟ ୟୁନିଟ୍ ସହ କମନ୍ ଏରିଆ ଅଂଶ ପାଇଁ ଲାଗୁ ହେବ।

 

 

 

ସୌଜନ୍ୟ Prameya News7