ୱାସିଂଟନ: ଇରାନ ଯୁଦ୍ଧ ବନ୍ଦ ପାଇଁ ଇସଲାମାବାଦରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଅନିଶ୍ଚିତତାରେ ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା କରିଛନ୍ତି ଯେ, ଇରାନ ପକ୍ଷରୁ ଏକ ପ୍ରସ୍ତାବ ନ ଆସିବା ପର୍ଯ୍ୟନ୍ତ ସେ ଏହି ବିରତିକୁ ବୃଦ୍ଧି କରୁଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଟ୍ରମ୍ପ ଇରାନକୁ ନିରନ୍ତର ଧମକ ଦେଇ ଆସୁଛନ୍ତି। ସେ କହିଥିଲେ ଯେ, ଯଦି କୌଣସି ସମାଧାନ ବିନା ଯୁଦ୍ଧବିରତି ଶେଷ ହୁଏ, ତେବେ ତାଙ୍କ ଆକ୍ରମଣ ପୂର୍ବାପେକ୍ଷା ଭୟଙ୍କର ହେବ। ଉଭୟ ଦେଶର ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ସୂଚାଇ ଦେଉଥିଲା ଯେ ଅସ୍ତ୍ରବିରତି ଆଗକୁ ବଢ଼ିବ ନାହିଁ ଏବଂ ମଧ୍ୟପ୍ରାଚ୍ୟ ଖୁବ୍ ଶୀଘ୍ର ବିନାଶ ଭିତରକୁ ଠେଲି ହୋଇଯିବ। ବର୍ତ୍ତମାନ ପ୍ରଶ୍ନ ଉଠୁଛି: ଟ୍ରମ୍ପଙ୍କୁ ତାଙ୍କ ମନ ପରିବର୍ତ୍ତନ କରିବାକୁ କିପରି ବାଧ୍ୟ କରାଯାଇଥିଲା? ଆମେରିକା ରାଷ୍ଟ୍ରପତି କ’ଣ ପାଇଁ ଅସ୍ତ୍ରବିରତି ବୃଦ୍ଧି କରିବାକୁ ଚାହିଲେ ତାହା ସ୍ପଷ୍ଟ କରି ନାହାନ୍ତି। ସେ ତାଙ୍କ ଟ୍ରୁଥ୍ ସୋସିଆଲ ପୋଷ୍ଟରେ ଦୁଇଟି କାରଣ ଉଲ୍ଲେଖ କରିଛନ୍ତି, ପ୍ରଥମ କାରଣ ଇରାନର ବିଭାଜନ। ଦ୍ବିତୀୟ କାରଣ ମୁନିର ଓ ସରିଫଙ୍କ ଅନୁରୋଧ। ଟ୍ରମ୍ପଙ୍କ ଘୋଷଣା ପରେ, ଶେହବାଜ ସରିଫ ପାକିସ୍ତାନର ଅନୁରୋଧକୁ ଗ୍ରହଣ କରିଥିବାରୁ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇ ଜାରି ରହିଥିବା କୂଟନୈତିକ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବା ଜରୁରୀ ବୋଲି କହିଛନ୍ତି।
ସରିଫ କହିଛନ୍ତି, ପାକିସ୍ତାନ ଉପରେ କରାଯାଇଥିବା ଭରସା ଓ ବିଶ୍ୱାସ ଯୋଗୁଁ ଆମେ ବିବାଦର ସମାଧାନ ପାଇଁ ଆନ୍ତରିକ ପ୍ରୟାସ ଜାରି ରଖିବୁ। ସେ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ, ପାକିସ୍ତାନରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସ୍ଥିର କରାଯାଇଛି। ତେବେ ଏନେଇ ସେ କୌଣସି ତାରିଖ ନିର୍ଦ୍ଦିଷ୍ଟ ଭାବେ କହିନାହାନ୍ତି। ତେଣେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧି ଘୋଷଣାକୁ ଖଣ୍ଡନ କରି କହିଛନ୍ତି ଯେ, ଏହା କେବଳ ଅତର୍କିତ ଆକ୍ରମଣ ଆରମ୍ଭ କରିବାର ଏକ ଚାଲ୍।
ସୌଜନ୍ୟ ସମ୍ବାଦ

