ଯାଜପୁର: ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। ଫେରାଇଦେଲେ ପାଇଥିବା ଟଙ୍କା। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇପୁର ଗ୍ରାମର ସନ୍ତୋଷ କୁମାର ନାୟକଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା। ସ୍ଥାନୀୟ ଅଞ୍ଚଳରେ ଜଣେ ସମାଜସେବୀ ଭାବରେ ସେ ଖୁବ ଜଣାଶୁଣା। କିଛି ଦିନ ତଳେ ସନ୍ତୋଷ ନିଜ ଘରେ ବସିଥିବା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ଲକ୍ଷ ୫୦ହଜାର ଟଙ୍କା ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା।
ଏତେ ଟଙ୍କା ଆସିଥିବା ଦେଖି ସନ୍ତୋଷ ତୁରନ୍ତ ବଡ଼ଚଣା ଥାନାରେ ଲିଖିତ ଆକାରରେ ଜଣାଇଥିଲେ। ଏଥିସହ ସନ୍ତୋଷ ତୁରନ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଵିହାର ନିବାସୀ ସୁନୀଲ କୁମାରଙ୍କ ଆକାଉଣ୍ଟରୁ ଏହି ଟଙ୍କା ଆସିଥିବା ବେଳେ ମୋବାଇଲ ନମ୍ବର ସଂଗ୍ରହ କରି ତାଙ୍କ ସହ ଯୋଗାଯୋଗ କରିଥିଲେ। ସୁନୀଲ ସିଲିଗୁଡ଼ି ଫୌଜରେ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଏତେ ଗୁଡିଏ ଟଙ୍କା ଭୁଲରେ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିବାରୁ ସେ ମଧ୍ୟ ଚିନ୍ତାରେ ଥିଲେ।
ଉଭୟଙ୍କ ମଧ୍ୟରେ ଟେଲିଫୋନରେ ଯୋଗାଯୋଗ ହେବା ପରେ ସୁନୀଲ କୁମାର ବଡ଼ଚଣାରେ ପହଂଚିଥିଲେ। ବଡ଼ଚଣା ଥାନାରେ ସନ୍ତୋଷ ଓ ସୁନୀଲଙ୍କ ମଧ୍ୟରେ ଦେଖା ସାକ୍ଷାତ ହେବା ସହ ପୋଲିସ ଉପସ୍ଥିତିରେ ଉକ୍ତ ଟଙ୍କାକୁ ଫେରସ୍ତ କରିଥିଲେ। ଏଥିପାଇଁ ସୁନୀଲ କୁମାର ସନ୍ତୋଷଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ।
ସୌଜନ୍ୟ Prameya News7

