ଭୁବନେଶ୍ୱର, ୨୪।୦୪ : ଭୁବନେଶ୍ୱରରେ ଏବେ ଖାଦ୍ୟ ସଂସ୍କୃତିରେ ଯୋଡି ହୋଇଛି ନୂଆ ଟ୍ରେଣ୍ଡ । ଯୁବପିଢିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୋରିଆନ୍ ଫୁଡ୍ । ଏହି ନୂତନ ଖାଦ୍ୟ ସଂସ୍କୃତି ଏବେ ସୋସିଆଲ ମିଡିଆ ଓ ଫୁଡ୍ ଷ୍ଟଲମାନଙ୍କରେ ବହୁତ ଲୋକପ୍ରିୟ ହେଉଛି । ସହରର କିଛି ଫୁଡ୍ ପାର୍କ ଓ ଷ୍ଟ୍ରିଟ୍ ଫୁଡ ଅଞ୍ଚଳରେ ‘କୋରିଆନ୍ ନୁଡଲ୍ସ, କିମ୍ଚି, କୋରିଆନ୍ ଫ୍ରାଏଡ୍ ରାଇସ ପରି ବିଭିନ୍ନ ଖାଦ୍ୟ ମିଳୁଛି । ଖାସ୍ କରି ଯୁବପିଢି କେ-ପପ୍ ଓ କୋରିଆନ୍ ଡ୍ରାମାର ପ୍ରଭାବରେ ଏହି ଖାଦ୍ୟକୁ ଆଗ୍ରହର ସହ ଚାଖୁଛନ୍ତି । କିଛି ଖାଦ୍ୟ ଷ୍ଟଲ ମାଲିକମାନେ କହୁଛନ୍ତି, ଗତ କିଛି ମାସରେ କୋରିଆନ୍ ଫୁଡ ପ୍ରତି ଚାହିଦା ହଠାତ୍ ବଢିଯାଇଛି ।
ଅନଲାଇନ ପ୍ଲାର୍ଟଫର୍ମରେ ମିଳୁଥିବା ଖାଦ୍ୟ ସଂସ୍ଥା ତଥ୍ୟାନୁସାରେ କୋରିଆନ୍ ଖାଦ୍ୟ ପାଇଁ ଅର୍ଡର ୫୦% ବୃଦ୍ଧି ପାଇଛି। ଜେନ୍-ଜି ଏହି ଧାରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ସମସ୍ତ କୋରିଆନ୍ ଖାଦ୍ୟ ଅର୍ଡରର ୨୭% ଅଟେ । ତଥ୍ୟ ଅନୁସାରେ କୋରିଆନ୍ ବନ୍, ରାମେନ୍ ଏବଂ ଚିକେନ୍ ଭଳି ଖାଦ୍ୟର ଚାହିଦା ସର୍ବାଧିକ । ଲୋକପ୍ରିୟ ଅର୍ଡର ଗୁଡିକ ମଧ୍ୟରେ କୋରିଆନ୍ କର୍ଣ୍ଣ, କୋରିଆନ୍ ମ୍ୟାକାଲୁ ଟିକ୍କି ବର୍ଗର, ଜଲାନେନୋ ଗାର୍ଲିକ ବ୍ରେଡ ଏବଂ କୋରିଆନ୍ ଟାଙ୍ଗି ଚିକେନ୍ ରୋଲ ଅର୍ନ୍ତଭୁକ୍ତ । ୟୁଜୁ-ପପ୍ ସ୍ପ୍ରାଇଟ ପରି କୋରିଆନ୍ ପ୍ରେରିତ ପାନୀୟ ମଧ୍ୟ ସାଧାରଣ ପସନ୍ଦ ହେବାରେ ଲାଗିଛି । ଏହି ବିକାଶ ଧାରା ଭାରତୀୟ ଖାଦ୍ୟ ସଂସ୍କୃତିରେ ଏକ ବ୍ୟାପକ ପରିବର୍ତ୍ତନକୁ ସୂଚାଉ ଅଛି।
କୋରିଆନ୍ ଖାଦ୍ୟ ମଧ୍ୟରୁ କ୍ୟାଟ୍ ପୁଡିଙ୍ଗ୍ ଓ କ୍ୟାପେବାରର ଚାହିଦା ଅଧିକ । କ୍ୟାଟ୍ ପୁଡିଙ୍ଗ ଏକ ପ୍ରକାର ଜେଲି ମିଠା ଓ ଏହା ସାଧାରଣତଃ ବିଲେଇ ଆକୃତିର । ଏହାର ମୂଲ୍ୟ ୧୨୦ ଟଙ୍କାରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଗ୍ୟାଙ୍ଗ-ଜିଓଙ୍ଗ, ଡାକୋଚି, ଜାପଚାଏ, ଚିକେନ ୱନଟନ୍, ଗୋଚୁଜଙ୍ଗ ପିଜ୍ଜା ଇତ୍ୟାଦି ଲୋକଙ୍କ ପ୍ରିୟ ଖାଦ୍ୟ ହୋଇପାରିଛି । ଏନେଇ ଜାଗମରା ଫୁଡ୍ କୋର୍ଟର ଦି କୋରିଆନ୍ ହେଭେନ ଷ୍ଟଲର ମାଲିକ ଭିନିତ୍ କୁହନ୍ତି , ଆଜିକାଲି ଯୁବପିଢିଙ୍କୁ କୋରିଆନ୍ ଖାଦ୍ୟ ବହୁତ ପସନ୍ଦ ଆସୁଛି । ଲୋକମାନେ ଇଣ୍ଟରନେଟରୁ ରିଲ୍ସ ଦେଖି ଏଠାକୁ ଆସୁଛନ୍ତି । କୋରିଆର ଲୋକପ୍ରିୟ ଖାଦ୍ୟ କୋରିଆ ନ ଯାଇ ଭୁବନେଶ୍ୱରରେ ମିଳିଯାଉଥିବାରୁ ସେମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଯାଉଛି । ଏହା କେବଳ ଜାଗମରା ନୁହେଁ ବରଂ ଘାଟିକିଆ, ପଟିଆ ଆଦି ବିଭିନ୍ନ ସ୍ଥାନରେ ମଧ୍ୟ କୋରିଆନ ଫୁଡ ଷ୍ଟଲ ଖୋଲିଗଲାଣି।
କାହିଁକି ବଢ଼ୁଛି ଏହି ଟ୍ରେଣ୍ଡ୍
ବି.ଟି.ଏସ୍, ବ୍ଲାକ୍ ପିଙ୍କ୍ ପରି କୋରିଆନ୍ ସଙ୍ଗୀତ ଓ ଡ୍ରାମା ଦେଖି ଯୁବପିଢି କୋରିଆନ୍ ଲାଇଫ୍ ଷ୍ଟାଇଲ ଓ ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି । ବିଭିନ୍ନ ପ୍ରକାର ସୋସିଆଲ ମିଡିଆରେ ଫୁଡ୍ ବ୍ଲଗରମାନେ ଏହି ଖାଦ୍ୟକୁ ପ୍ରମୋଟ କରୁଛନ୍ତି, ଯାହା ଫଳରେ ଏହା ଅଧିକ ଭାଇରାଲ ହେଉଛି । ତିକ୍ତ, ମିଠା ଓ ମସଲା ଥିବା କୋରିଆନ୍ ଫୁଡ୍ ଯୁବପିଢିମାନଙ୍କ ପାଇଁ ଏକ ନୂଆ ଅନୁଭବ ଆଣୁଛି ।
ସୌଜନ୍ୟ Prameya News7

