Rural Development: ନାରିଙ୍ଗିଝୋଲାକୁ ଆଦର୍ଶ ଗାଁ କରିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ବ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଏବଂ ଚାଲିଥିବା ପ୍ରକଳ୍ପ ଗୁଡିକର ସଠିକ୍ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏକ ସ୍ୱତନ୍ତ୍ର ପରିଦର୍ଶନ କରିଛନ୍ତି। ପ୍ରଶାସନର ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ଥିଲା ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଏବଂ ଲୋକଙ୍କର ସମସ୍ୟା ଗୁଡିକୁ ପ୍ରତ୍ୟକ୍ଷ ଭାବରେ ଶୁଣି ତାର ସମାଧାନ କରିବା।

ସେହିପରି ନାରିଙ୍ଗଝୋଲା ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବାକୁ ହେଲେ ସେଠାରେ ଥିବା ଗ୍ରାମୀଣ ହାଟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଜନମନ) ଯୋଜନାରେ ନିର୍ମିତ ହେଉଥିବା ୪୦ଟି ଗରିବ ପରିବାରଙ୍କ ଆବାସ ଗୃହ ନିର୍ମାଣକୁ ଠିକ୍ ସମୟରେ ସାରିବାକୁ ଯୋଜନା କରାଯାଇଛି। ରାବା ଗ୍ରାମର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସହ ନୀଲାପାରି ସ୍ଥିତ କୃଷି ଉତ୍ପାଦନ କ୍ଲଷ୍ଟର ପରିଦର୍ଶନ ବେଳେ ଜିଲ୍ଲାପାଳ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସଫଳତା ଓ ସମସ୍ୟା ବୁଝିଥିଲେ।ସେହିପରି ନାକାମାମୁଡି ଜଳ ଯୋଗାଣ ପ୍ରକଳ୍ପ ବୁଲି ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରିଥିଲେ। ସମସ୍ତ ଅଧିକାରୀଙ୍କୁ ଆଗାମୀ ୨ ମାସ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ସମାପ୍ତ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଦାଶରଥି ସରାବୁ, ପିଏ ଆଇଟିଡିଏ ହଳଧର ଶବରଙ୍କ ସମେତ ଜିଲ୍ଲାର ପ୍ରଶାସନିକ ପ୍ରମୁଖ ବ୍ୟକ୍ତି ବିଶେଷ ଓ ଯନ୍ତ୍ରୀମାନେ ସାମିଲ ଥିଲେ।

ସୌଜନ୍ୟ ସମ୍ବାଦ