Dog: ଧାର୍ମିକ କାର୍ଯ୍ୟ ପାଖରେ ଥାଏ କୁକୁର ‘କାଳୀ’, ଖାଏନି ଆମୀଷଯୁକ୍ତ ଖାଦ୍ୟ

ଦେବକୁଣ୍ଡ (ମୟୂରଭଂଜ): ମଣିଷ ନିଜର ଅତି ଆପଣାର ଲୋକଙ୍କୁ ଠକି ଦେଉଥିବା ଆମ ସମାଜରେ ଅନେକ ଘଟଣା ଘଟୁଛି। ସ୍ବାର୍ଥ ପାଇଁ ସମ୍ପର୍କ ବଳି ପଡୁଛି। ସାମାଜିକ ମୂଲ୍ୟବୋଧରେ ବିଶାଳ ବ୍ୟବଧାନ ରହୁଛି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିଲେ ମଧ୍ୟ ଏହାର ଚାଳିଚଳନରେ ବ୍ୟାପକ ବିଶୃଙ୍ଖଳା ଦେଖାଯାଉଛି। କିନ୍ତୁ ଏକ ପଶୁ ମଣିଷ ପାଖରୁ ପାଇଥିବା ସ୍ନେହ-ମମତା ଓ ଭଲ ପାଇବା ପାଇଁ ନିଜର ଜୀବନ ବଳିଦାନ କରିବ ଯଦିଓ ସମସ୍ତଙ୍କ ପାଇଁ ସହଜ ନୁହେଁ। କିନ୍ତୁ ଏଭଳି ଏକ ଘଟଣା ସତରେ ପରିଣତ ହୋଇଛି। ଏକ ମାଈ କୁକୁର ନିଜ ପିଲାକୁ ରକ୍ଷା କରିବା ପାଇଁ ଯେପରି ସବୁ ସୀମା ଅତିକ୍ରମ କରିପାରେ, ଠିକ୍‌ ସେହିପରି ନିଜ ଜୀବନ ବଳିଦାନ ଦେଇ ବଞ୍ଚାଇଛି ୩୦ କୁନିକୁନି ପିଲାଙ୍କ ଜୀବନ। ଏଭଳି ଏକ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଉଦଳା ବ୍ଲକ ରାଢୋ ପଞ୍ଚାୟତ ଡିହିରାକୁଳ ଗ୍ରାମରେ।

ଏହି ଖବର ଜଣାପଡିବା ପରେ ଗ୍ରାମବାସୀମାନେ ଦୁଃଖରେ ମର୍ମାହତ ହୋଇଥିଲେ ଏବଂ ରୀତିନୀତି ଅନୁସାରେ କୁକୁରର ଅନ୍ତିମ ସଂସ୍କାର କରିଥିଲେ। ମଣିଷର ମୃତ୍ୟୁ ପରେ ଯେପରି ଅନ୍ତେଷ୍ଟ୍ରିକ୍ରିୟା କରାଯାଏ ସେହିପରି ଭାବେ କୁକୁର କାଳୀର ମୃତଦେହକୁ ଏକ ଟ୍ରଲିରେ ଫୁଲମାଳ, ଧଳା ଲୁଗା ଢାଙ୍କି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଏକ ଗାତ ଖୋଳି ସେଠାରେ ତାକୁ ପୋତି ଦେଇଥିଲେ ଗ୍ରାମବାସୀ। ମୃତ  କାଳୀ ପୁରା ଗ୍ରାମବାସୀଙ୍କ ସହିତ ଓତଃପ୍ରତଃ ଭାବେ ଜଡିତ ଥିବାରୁ ଏଭଳି ଏକ ଦୁଃଖଦ ଘଟଣାରେ ସମସ୍ତେ ହତବାକ୍ୟ।

୩୦ ଛାତ୍ରଛାତ୍ରୀଙ୍କୁ ଏକ ବଡ ବିପଦରୁ ରକ୍ଷା କରିଥିବାରୁ ସବୁଦିନ ପାଇଁ କୁକୁର କାଳୀ ଗ୍ରାମବାସୀଙ୍କ ପାଇଁ ଅମର ରହିବ ବୋଲି କହିଛନ୍ତି ଗ୍ରାମବାସୀ। ଏହି ଅନ୍ତେଷ୍ଟିକ୍ରିୟା ଗ୍ରାମର ଯୁବକ ରମେଶ ଚନ୍ଦ୍ର ପୃଷ୍ଟିଙ୍କ ସଂଯୋଜନାରେ ହୋଇଥିବା ବେଳେ ଗ୍ରାମର ଭଗିରଥ ସାହୁ, ଦର୍ନାଦନ ପୃଷ୍ଟି, କମଳାକାନ୍ତ ହାତୀ, ସର୍ବେଶ୍ୱର ହାତୀ, ହିମାଂଶୁ ହାତୀ, କ୍ରିଷ୍ଣା ଦାସ, ବାଇଧର ସିଂ, ଗୁରୁଜୀ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଉକ୍ତ କାଳୀ ଗ୍ରାମରେ ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମରେ ମଣିଷ ଭଳି ଉପସ୍ଥିତ ରହି ଉପଭୋଗ କରେ। ସିଏ ଆମିଷ ଖାଏ ନାହିଁ ପ୍ରତ୍ୟେକ ଦିନ ଭାଗବତ ଟୁଙ୍ଗିକୁ ସନ୍ଧ୍ୟା ସମୟରେ ଯାଇ ଉପସ୍ଥିତ ରୁହେ।

ସୌଜନ୍ୟ ସମ୍ବାଦ