ଶିବଶଙ୍କର ଓଝା
‘ଜୋର୍ ଯା’ର ମୁଲକ ତାର’ (୧୯୮୭), ‘କି ହେବ ଶୁଆ ପୋଷିଲେ’ (୧୯୯୧), ‘ପଞ୍ଜୁରୀ ଭିତରେ ଶାରୀ’ (୧୯୯୨) ଓ ‘ଉଦଣ୍ଡୀ ସୀତା’ (୧୯୯୩) ଭଳି ଲୋକପ୍ରିୟ ସିନେମା ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଥିବା ଜଣାଶୁଣା ପ୍ରଯୋଜକ ରବି ସ୍ବାଇଁ ନିକଟରେ ପରଲୋକ ଗମନ କରିଛନ୍ତି। ହାତଗଣତି ସିନେମା କରିଥିଲେ ହେଁ ରବି ସ୍ବାଇଁ ବହୁ ପ୍ରତିଭାସଂପନ୍ନ ନବାଗତଙ୍କୁ ସୁଯୋଗ ଦେଇଥିଲେ। ତାଙ୍କ ପ୍ରଯୋଜିତ ସିନେମାରୁ କ୍ୟାରିୟର ଆରମ୍ଭ କରି ସଫଳତା ହାସଲ କରିଥିବା ନିର୍ଦ୍ଦେଶକ ଓ କଳାକାରଙ୍କ ସଂଖ୍ୟା କିଛି କମ୍ ନୁହେଁ।
ରାଜୁ ମିଶ୍ର: ଓଲିଉଡ୍ର ଅଲ୍ରାଉଣ୍ଡର (ସିନେମାଟୋଗ୍ରାଫର୍, ସଂଗୀତକାର, ଚିତ୍ରନାଟ୍ୟକାର, ନିର୍ଦ୍ଦେଶକ) ରାଜୁ ମିଶ୍ର ୧୯୮୧ ମସିହାରେ ମୁକ୍ତିପ୍ରାପ୍ତ ‘ଉଲ୍କା’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ। ତେବେ ନିର୍ଦ୍ଦେଶକ ଭାବେ ତାଙ୍କୁ ସ୍ବୀକୃତି ଦେଇଥିଲା ରବି ସ୍ବାଇଁଙ୍କ ପ୍ରଯୋଜିତ ସୁପରଡୁପର ହିଟ୍ ସିନେମା ‘ଜୋର୍ ଯା’ର ମୁଲକ ତାର’। ଏହାପରେ ରାଜୁ ମିଶ୍ର ଆଉ ପଛକୁ ଫେରି ଚାହିଁ ନ ଥିଲେ।
ବସନ୍ତ ସାହୁ: ଶିଶିର ମିଶ୍ରଙ୍କ ‘ସୁନାସଂସାର’ରୁ ସହକାରୀ ଓ ପରେ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ବେଶ୍ କେତୋଟି ସିନେମାରେ କାମ କରିବା ପରେ ସ୍ବାଧୀନ ନିର୍ଦ୍ଦେଶକ ଭାବେ ସେ ବ୍ରେକ୍ ପାଇଥିଲେ ପ୍ରଯୋଜକ ରବି ସ୍ବାଇଁଙ୍କ ପ୍ରଯୋଜିତ ‘କି ହେବ ଶୁଆ ପୋଷିଲେ’ରେ। ଏହି ସିନେମା ବି ସୁପରହିଟ୍ ହୋଇଥିଲା। ଆଉ ତା’ ପରେ ବସନ୍ତ ସାହୁ କ୍ରମାଗତ ଭାବେ ସିନେମା ନିର୍ମାଣ କରିଥିଲେ ଓ ଜଣେ ସଫଳ ନିର୍ଦ୍ଦେଶକର ମାନ୍ୟତା ଲାଭ କରିଥିଲେ।
ଅବତାର ସିଂହ: ପ୍ରଶାନ୍ତ ନନ୍ଦ, ମହମ୍ମଦ ମହସୀନ ଓ ରବି କିନ୍ନାଗୀଙ୍କ ଭଳି ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କ ସହକାରୀ ଓ ସହଯୋଗୀ ଭାବେ ଅଭିଜ୍ଞତା ହାସଲ କରିବା ପରେ ଅବତାର ସିଂହ ‘ପଞ୍ଜୁରୀ ଭିତରେ ଶାରୀ’ରୁ ନିର୍ଦ୍ଦେଶକ ବନିଥିଲେ। ରବି ସ୍ବାଇଁଙ୍କ ପ୍ରଯୋଜିତ ଏହି ସିନେମା ପରେ ସେ ପୁଣି ତାଙ୍କ ପ୍ରଯୋଜିତ ଅନ୍ତିମ ଛବି ‘ଉଦଣ୍ଡୀ ସୀତା’ର ବି ନିର୍ଦ୍ଦେଶନା ଦେଇଥିଲେ।
ମଳୟ ମିଶ୍ର: ଓଲିଉଡ୍ର ଜଣାଶୁଣା ସଂଗୀତକାର-ଗୀତିକାର ମଳୟ ମିଶ୍ରଙ୍କ ସିନେଜୀବନ ବି ଆରମ୍ଭ ହୋଇଥିଲା ରବି ସ୍ବାଇଁଙ୍କ ପ୍ରଯୋଜିତ ଓଡ଼ିଆ ଛବି ‘ଉଦଣ୍ଡୀ ସୀତା’ରୁ। ସେ ଏହି ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ ଏହି ସିନେମାର ଗୋଟିଏ ଗୀତ (ଆଜି କାହିଁକି ତମେ ଭାରି ସୁନ୍ଦର ଦିଶୁଚ…)ର ବି ରଚନା ବି କରିଥିଲେ।
ଟି. ସୌରୀ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଟି. ସୌରୀଙ୍କ ସିନେ କ୍ୟାରିଅରର ଅୟମାରମ୍ଭ ହୋଇଥିଲା ରବି ସ୍ବାଇଁଙ୍କ ପ୍ରଯୋଜିତ ‘ଉଦଣ୍ଡୀ ସୀତା’ରୁ। ଏହାର ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…’ ଗୀତର ଗାୟକ ହେଉଛନ୍ତି ଟି. ସୌରୀ। ଏହି ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ହାସଲ କରିଥିଲେ। ତା’ ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।
ସଂଗ୍ରାମ ମିଶ୍ର: ଆଜିକାର ପ୍ରତିଷ୍ଠିତ ରେଡିଓ ବ୍ୟକ୍ତିତ୍ବ ଆର୍ଜେ ସଂଗ୍ରାମ ମଧ୍ୟ ଶିଶୁ କଳାକାର ଭାବେ ରବି ସ୍ବାଇଁଙ୍କ ପ୍ରଯୋଜିତ ‘ଉଦଣ୍ଡୀ ସୀତା’ରୁ ସିନେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ଜ୍ୟୋତିପ୍ରକାଶଙ୍କ ନିର୍ଦ୍ଦେଶିତ ‘ବାବୁ ପର୍ଶୁରାମ’ରେ ବି ନଜର ଆସିଥିଲେ।
ସୁରେଶ ପରିଡ଼ା: ପ୍ରଖ୍ୟାତ ସାମ୍ବାଦିକ ତଥା କବି ସୁରେଶ ପରିଡ଼ା ବି ସିନେମା ଗୀତ ଲେଖିବା ଆରମ୍ଭ କରିଥିଲେ ରବି ସ୍ବାଇଁଙ୍କ ପ୍ରଯୋଜିତ ‘କି ହେବ ଶୁଆ ପୋଷିଲେ’ରୁ। ଏହି ସିନେମାରେ ଥିବା କ୍ଲାଇମାକ୍ସ ଗୀତ ‘ଶୁଆ ପୋଷିଥିଲା କେତେ ସେନେହ ଦେଇ, ଗଲାବେଳେ ଚାରିକାନ୍ଧ ପାଇଲା ନାହିଁ…’ ସେ ରଚନା କରିଥିଲେ।
ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର: ‘କଳାମାଣିକ’, ‘ସୁଭଦ୍ରା’, ‘ମତେ ତ ଲଭ୍ ହେଲାରେ’, ‘ରଖିଲେ ଶିବ ମାରିବ କିଏ’, ‘ଏ ମନ ମାନେନା’ ଓ ‘ସମୟ ହାତରେ ଡୋରି’ ଆଦି ସିନେମାର ଗୀତିକାର ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ରଙ୍କ ପ୍ରଥମ ସିନେଗୀତ ବି ଥିଲା ରବି ସ୍ବାଇଁଙ୍କ ପ୍ରଯୋଜିତ ‘ଉଦଣ୍ଡୀ ସୀତା’ର ‘କଣ୍ଟ ନେଇଯା’ରେ ନେଇଯା’ ସିନେମାବାଲା…’ ଗୀତ।
ସୌଜନ୍ୟ ସମ୍ବାଦ

