ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଗୁଜରାଟ ୦୦ ୱିକେଟ୍ରେ ବିଜୟୀ ହୋଇଛି। ୧୫୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୬.୪ ଓଭରରେ ୨ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଛି। ଗୁଜରାଟର ବ୍ୟାଟିଂରେ ବାମହାତୀ ବ୍ୟାଟର ସାଈ ସୁଦର୍ଶନ ନାୟକ ସାଜିଛନ୍ତି। ଚେନ୍ନାଇର ସମସ୍ତ ବୋଲରଙ୍କୁ ତାଙ୍କର ବ୍ୟାଟ୍ ବଳରେ ଜବାବ ଦେଇଛନ୍ତି। ସେ ୪୬ଟି ବଲ୍ର ସମ୍ମୁଖୀନ ହୋଇ ୪ଟି ଚୌକା ଏବଂ ୭ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୮୭ ରନ୍ ସଂଗ୍ରହ କରିଛନ୍ତି।
ଗୁଜରାଟର ଇନିଂସ ଆରମ୍ଭରୁ ଭଲ ଥିଲା। ଯୁବ ବ୍ୟାଟର ସାଈ ସୁଦର୍ଶନ ଏବଂ ଅଧିନାୟକ ଶୁବମନ ଗିଲ ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ଗିଲ୍ ବ୍ୟକ୍ତିଗତ ଭାବେ ୩୩ ରନ୍ର ଯୋଗଦାନ ଦେଇଥିଲେ। ସେ ଗୋଟିଏ ଚୌକା ଏବଂ ୩ଟି ଛକା ମାରିଥିଲେ।
ଏହି ମ୍ୟାଚ୍ରେ ଗୁଜରାଟ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆୟୋଜକ ଚେନ୍ନାଇ ବ୍ୟାଟିଂ କରିଥିଲା। ଦଳ ଋତୁରାଜ ଗାଏକ୍ବାର୍ଡଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା। ଇନିଂସ ଆରମ୍ଭରୁ ଚେନ୍ନାଇର ବ୍ୟାଟିଂ ମନ୍ଥର ଥିଲା। ଏହାର କାରଣ ଥିଲା ଦଳର ପ୍ରାରମ୍ଭିକ ବ୍ୟାଟର ମାନେ କ୍ରିଜ୍ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ଦଳ ୮.୨ ଓଭରରେ ସ୍କୋର ୩୭ ରନ୍ରେ ୪ ଜଣ ଖେଳାଳିଙ୍କୁ ହରାଇଥିଲା। ଚେନ୍ନାଇ ଦଳର ସ୍କୋର ୨୧ ରନ୍ରେ ସଂଜୁ ସାମସନ, ୨୫ ରନ୍ରେ ଉର୍ଭିଲ ପଟେଲ (୪ ରନ୍), ୨୬ ରନ୍ରେ ସର୍ଫରାଜ ଖାନ (ଶୂନ୍ୟ ରନ୍) ଏବଂ ୩୭ ରନ୍ରେ ଡେୱାର୍ଲ୍ଡ ବ୍ରେଭିସ୍ (୨ ରନ୍) ଆଉଟ ହୋଇଥିଲେ।
ଆଇପିଏଲ ଚଳିତ ସଂସ୍କରଣର ଅନ୍ୟତମ ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନ ମଧ୍ୟ ପଡ଼ିଆରେ ବେଶୀ ସମୟ ରହିପାରି ନଥିଲେ। ସେ ୧୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୧ ରନ୍ ସଂଗ୍ରହ କରିଥିଲେ ଏବଂ କାଗିସୋ ରାବଡ଼ାଙ୍କ ବଲ୍ ଜୋସ ବଟଲରଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।
ଚେନ୍ନାଇର ସମ୍ମାନଜନକ ସ୍କୋରରେ ଅଧିନାୟକ ଋତୁରାଜ ଗାଏକ୍ବାର୍ଡଙ୍କ ବଡ଼ ଯୋଗଦାନ ଥିଲା। ସେ ଅପରାଜିତ ରହି ବ୍ୟକ୍ତିଗତ ଭାବେ ୭୪ ରନ୍ ସଂଗ୍ରହ କରିଥିଲେ। ୬୦ଟି ବଲ୍ ଖେଳି ୬ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ସେହିପରି ମଧ୍ୟକ୍ରମର ବ୍ୟାଟର ଶିଭମ ଦୁବେ ୨୨ ରନ୍, କାର୍ତ୍ତିକ ଶର୍ମାଙ୍କର ୧୫ ରନ୍ ଏବଂ ଜେମି ଓଭରଟନ୍ ୧୮ ରନ୍ ଯୋଗଦାନ ଦେଇଥିଲେ।
ସୌଜନ୍ୟ ସମ୍ବାଦ

