
ପୁଣେ: ଜଣେ ଟେବୁଲ ଟେନିସ୍ ଖେଳାଳି ହୃଦଘାତରେ ପ୍ରାଣ ହରାଇଛନ୍ତି। ପୁଣେରେ ଚାଲିଥିବା ଜାତୀୟ ମାଷ୍ଟର୍ସ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଅବସରରେ ତାମିଲନାଡୁର ଆଇଏମ ଲୁଇସ ରାଜ ହଠାତ ତଳେ ପଡ଼ିଯିବା ପରେ ତାଙ୍କୁ ହସପିଟାଲ୍ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୁଇସ ରାଜ ୬୫+ ବୟସ ବର୍ଗରେ ଖେଳୁଥିବାବେଳେ ତୃତୀୟ ରାଉଣ୍ଡ୍ ମୁକାବିଲା ବେଳେ ଏହି ଦୁଃଖଦ ଘଟଣାଟି ଘଟିଥିଲା। ମୃତ୍ୟୁ ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ଭିଭି ରମଣାଙ୍କ ବିପକ୍ଷ ଏକକ ମୁକାବିଲାର ପ୍ରଥମ ଦୁଇ ଗେମ୍ ଜିତିବା ସହ ତୃତୀୟଟିରେ ୫-୪ରେ ଆଗୁଆ ଥିଲେ। ମଧ୍ୟାହ୍ନ ୧୨.୧୫ରେ ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିଲେ। ଫଳରେ ଯେଉଁ ଖେଳକୁ ସେ ଏତେ ଭଲ ପାଉଥିଲେ ସେହି ପରିସରରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ରାଜଙ୍କ ପରଲୋକ ଖବରକୁ ନେଇ ଭାରତୀୟ ଟେବୁଲ୍ ଟେନିସ୍ ସଂଘ ଦୁଃଖ ପ୍ରକାଶ କରିଛି। ରାଜଙ୍କ ଦେହାନ୍ତ କାରଣରୁ ପ୍ରତିଯୋଗିତା ପରିସରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀରକୁ ଚେନ୍ନାଇ ପଠାଯାଉଥିବାବେଳେ ସେଠାରେ ବ୍ୟବଛେଦ କରାଯିବ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




