କୃଷ୍ଣପ୍ରସାଦ ଦାସ
କଟକ: ଓଡ଼ିଆ ସ୍ବାଭିମାନର ପ୍ରତୀକ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଋଣ ପରିଶୋଧ କରିବାକୁ ଯାଇ ଓଡ଼ିଆ ଜାତି ପ୍ରତିଦାନରେ ଦେଇଛି କ’ଣ? ମଧୁ ବାବୁଙ୍କ ୧୭୮ତମ ଜୟନ୍ତୀ ପାଳନ ଅବସରରେ ପ୍ରତ୍ୟେକ ସଚେତନ, ସ୍ବାଭିମାନୀ ଓଡ଼ିଆଙ୍କ ସାମନାରେ ଏହା ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜର ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶାକୁ ଫେରି ଆସିଥିଲେ। ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର। ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେଉ ଅଥବା ଓଡ଼ିଶାର ଅସ୍ମିତା ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ଉତ୍କଳ ଗୌରବ ଚଟାଣ ଭଳି ସାମନାରେ ରହି ସୁରକ୍ଷା କବଚ ପାଲଟିଥିଲେ।
ମଧୁ ବାବୁଙ୍କୁ ଓଡ଼ିଆ ଜାତିର ପିତା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ପିତୃଋଣ ପରିଶୋଧରେ ଏ ଓଡ଼ିଆ ଜାତି କେତେ ସମର୍ଥ ହୋଇପାରିଛି, ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ବ୍ୟଥିତ କଲା ଭଳି ପ୍ରସଙ୍ଗ ଭାବେ ସାମନାକୁ ଆସୁଛି। ଏ ଜାତି ଗୋଟିଏ ସମୟରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପାଳନକୁ ବି ଭୁଲି ଯାଇଥିଲା। ଉତ୍କଳ ଗୌରବଙ୍କ ୧୫୦ତମ ଜୟନ୍ତୀ ପରେ ଯାଇ ବିଧିବଦ୍ଧ ପ୍ରୟାସ ଏ ଦିଗରେ ଆରମ୍ଭ ହେଲା। ପରବର୍ତ୍ତୀ ସମୟରେ ସତେ ଯେମିତି ଜୟନ୍ତୀ ଓ ପୁଣ୍ୟତିଥି ପାଳନରେ ସୀମିତ ରହି ଯାଇଛି ଉତ୍କଳ ଗୌରବଙ୍କ ପ୍ରତି ଏ ଜାତିର ଋଣ ପରିଶୋଧ। ସତ୍ୟଭାମାପୁରରେ ଥିବା ଉତ୍କଳ ଗୌରବଙ୍କ ଜନ୍ମସ୍ଥାନ ଏବଂ ସେହି ପାଖରେ ରହିଥିବା ତାଙ୍କର ପ୍ରାରମ୍ଭିକ କର୍ମସ୍ଥାନକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ୨୦୨୩ରେ ପ୍ରୟାସ ହେଲା। ୩୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦରେ ଆରମ୍ଭ ହୋଇଥିବା ଏହି ଯୋଜନାର ବାସ୍ତବ ସ୍ଥିତି କିନ୍ତୁ ଅତ୍ୟନ୍ତ ଦୟନୀୟ। ଗଲା ୩ ବର୍ଷ ଭିତରେ ବିଶେଷ କିଛି ଅଗ୍ରଗତିର ପ୍ରମାଣ ନାହିଁ। କଟକ ସହରରେ ମଧୁ ବାବୁଙ୍କ କର୍ମ ସ୍ଥାନରେ ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ସଂଗ୍ରହାଳୟର ସ୍ଥିତି ବି ଅତ୍ୟନ୍ତ ଶୋଚନୀୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି କୌଣସି ପ୍ରୟାସ ସେଠାରେ ନାହିଁ। ବରଂ ସଂଗ୍ରହାଳୟର ଫାଟକକୁ ଅବରୋଧ କରି ଅନେକ ସମୟରେ ସେଠାରେ ଉଠା ଦୋକାନୀଙ୍କ ପସରା ମେଲୁଛି।
ପ୍ରଣୟନ ହେଉ ଅନ୍ତର୍ଜାତୀୟ ସମ୍ମାନ
ଉତ୍କଳ ଗୌରବଙ୍କୁ ସମ୍ମାନ ଜଣାଇବାକୁ ଯାଇ ତାଙ୍କ ନାମରେ ଆଇନ ବିଶ୍ବବିଦ୍ୟାଳୟ, କେତେକ ଶିକ୍ଷାନୁଷ୍ଠାନ ଓ ମହାନଦୀରେ ନିର୍ମିତ ଏକ ସେତୁର ନାମ ନାମିତ ହୋଇଛି। କଟକ ସହର ଓ ଓଡ଼ିଶା ହାଇକୋର୍ଟରେ ଲାଇବ୍ରେରି ଓ ପାର୍କ ନିର୍ମାଣ ହୋଇଛି। ସରକାରଙ୍କର ନିର୍ଦ୍ଦିଷ୍ଟ ଯୋଜନା ବି ନାମିତ ହୋଇଛି। କିନ୍ତୁ ଏତିକି କ’ଣ ଯଥେଷ୍ଟ? ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଲିଓ ଟଲଷ୍ଟଏଙ୍କ ସହ ତୁଳନା କରିଥିଲେ ଜାତିର ପିତା ମହତ୍ମା ଗାନ୍ଧୀ। ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ଗୋଟିଏ ରାତି ରହିବା ସହିତ ଓଡ଼ିଶାର ଏହି ଅବିଶ୍ବସନୀୟ ବ୍ୟକ୍ତିତ୍ବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମହତ୍ମା ଗାନ୍ଧୀ। ଅନେକ କିଂବଦନ୍ତି, ଅନେକ କାହାଣୀ, ଅନେକ ଉଦାହରଣର କେନ୍ଦ୍ର ଚରିତ୍ରରେ ରହି ଓଡ଼ିଶାର ଜନଜୀବନକୁ ପ୍ରଭାବିତ କରିଥିବା ଏବଂ ଏ ଓଡ଼ିଆ ଜାତିକୁ ନୂଆ ପରିଚୟ ଆଉ ଆଗକୁ ବଢିବାର ଦିଗଦର୍ଶନ ଦେବା ପାଇଁ ନିଜର ଅନେକ କିଛି ତ୍ୟାଗ କରିଥିବା ମଧୁ ବାବୁଙ୍କ ନାମକୁ ଅନ୍ତର୍ଜାତୀୟ ସ୍ତରରେ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଆ ପୁଅ କ’ଣ ପ୍ରକୃତରେ ନିଜର ଉତ୍ତରଦାୟିତ୍ବ ନିର୍ବାହ କରିପାରିଛି? ମଧୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବିକୁ ଏକ ଆନ୍ଦୋଳନର ରୂପ ଦେବା କ୍ଷେତ୍ରରେ ଏ ଓଡ଼ିଆ ଜାତି କୁଣ୍ଠିତ କାହିଁକି? ମଧୁ ବାବୁଙ୍କ ନାମରେ ଅନ୍ତର୍ଜାତୀୟ ସମ୍ମାନ ପ୍ରଣୟନ କରିବା କ୍ଷେତ୍ରରେ କ’ଣ ଓଡ଼ିଶା ସରକାରଙ୍କ ସାମର୍ଥ୍ୟ ଅଥବା ସମ୍ବଳର ଅଭାବ ରହିଛି? ମଧୁ ଜୟନ୍ତୀରେ ଏ ପ୍ରଶ୍ନର ଜବାବ ଦେବାକୁ ସଙ୍କଳ୍ପ ନେବାର ସମୟ ଆସିଛି।
ସୌଜନ୍ୟ ସମ୍ବାଦ

