ନୂଆଦିଲ୍ଲୀ: ଅଭିନେତା ବିଜୟଙ୍କ ନୂଆ ଦଳ ଟିଭିକେ ତାମିଲନାଡ଼ୁରେ ଏହାର ପ୍ରଥମ ନିର୍ବାଚନ ଲଢ଼େଇରେ ୨୩୪ ଆସନରୁ ପ୍ରାୟ ୯୮ରୁ ୧୨୦ ଆସନରେ ଜିତିବ ବୋଲି ଏନ୍ଡିଟିଭି-ଆକ୍ସିସ୍ ମାଇଁ ଇଣ୍ଡିଆ ଆକଳନ କରିଛି। ଯଦି ବୁଥ୍ ବାହୁଡ଼ା ମତ ସତ ପ୍ରମାଣିତ ହୁଏ ତେବେ ଚଳିତ ନିର୍ବାଚନରେ ଟିଭିକେ ଏକ ବଡ଼ ଶକ୍ତି ଭାବେ ଉଭା ହେବ ଏବଂ ଏହା ଶାସକ ଡିଏମ୍କେ ଏବଂ ଏହାର ମେଣ୍ଟ ସହଯୋଗୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବ। ୯୮ ଆସନରେ ଜିତିଲେ ମଧ୍ୟ ଟିଭିକେ ଦକ୍ଷିଣ ରାଜ୍ୟରେ ରାଜନୀତିର ଏକ ନୂଆ ଯୁଗ ଆରମ୍ଭ କରିବ।
ଅନ୍ୟପକ୍ଷେ ପିପୁଲ୍ସ ପଲ୍ସ ଆକଳନ ଅନୁଯାୟୀ ଡିଏମ୍କେ ଏବଂ ମେଣ୍ଟ ସହଯୋଗୀ ୧୨୫-୧୪୫ ଆସନରେ ଜିତିବେ ଏବଂ ଏଆଇଏଡିଏମ୍କେ ଏବଂ ମେଣ୍ଟ ସହଯୋଗୀ ୬୫-୮୦ ଆସନରେ ଜିତିବେ। ପିପୁଲ୍ସ ଇନସାଇଟ୍ ଡିଏମ୍କେ ଏବଂ ଏହାର ମେଣ୍ଟ ସହଯୋଗୀଙ୍କ ପାଇଁ ୧୨୦-୧୪୦ ଆସନ ଆକଳନ କରିଛି ଏବଂ ଏଆଇଏଡିଏମ୍କେ ଏବଂ ମେଣ୍ଟ ସହଯୋଗୀ ୬୦-୭୦ ଆସନରେ ଜିତିବେ ବୋଲି ଆକଳନ କରିଛି। ପ୍ରଜା ପୋଲ୍ ଅନୁଯାୟୀ ଡିଏମ୍କେ ଏବଂ ମେଣ୍ଟ ସହଯୋଗୀ ୧୪୮-୧୬୮ ଆସନରେ ଜିତିବେ ଏବଂ ଏଆଇଏଡିଏମ୍କେ ଏବଂ ଅନ୍ୟ ମେଣ୍ଟ ସହଯୋଗୀ ୬୧-୮୧ ଆସନରେ ଜିତିବେ। ପ୍ରଜା ପୋଲ୍ ବୁଥ୍ ବାହୁଡ଼ା ମତ ଅନୁଯାୟୀ ଟିଭିକେ ୧ରୁ ୯ ଆସନରେ ଜିତିବ। ପି ମାର୍କ ବିଜୟଙ୍କ ଟିଭିକେ ପାଇଁ ୧୬-୨୬ ଆସନ ଆକଳନ କରିଥିବାବେଳେ ମାଟ୍ରିଜ୍ ୧୦-୧୨ ଆସନ ଆକଳନ କରିଛି। କାମାକ୍ଷା ଆନାଲିଟିକ୍ସ ଟିଭିକେ ଏବଂ ସହଯୋଗୀଙ୍କ ପାଇଁ ୬୭-୮୧ ଆସନ ଆକଳନ କରିଛି।
ସୌଜନ୍ୟ ସମ୍ବାଦ

