ଦେଶ ବିଦେଶ

US Warns Iran: ଆକ୍ରମଣ କଲେ ମାନଚିତ୍ରରୁ ହଜିଯିବ ଇରାନ, ଆମେରିକା ପକ୍ଷରୁ ସର୍ବନାଶର ଧମକ

ତେହେରାନ/ୱାଶିଂଟନ: ମଧ୍ୟପ୍ରାଚ୍ୟର ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଛାୟାଯୁଦ୍ଧ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ଦୀର୍ଘ ଦିନର ଅସ୍ତ୍ରବିରତି ପରେ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଗଚି ଆମେରିକା ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଚେତାବନୀ ଦେଇ କହିଛନ୍ତି ଯେ, କୌଣସି ବି ରାଜନୈତିକ ସମସ୍ୟାର ସମାଧାନ ସାମରିକ ଶକ୍ତି ପ୍ରୟୋଗ ଦ୍ୱାରା ସମ୍ଭବ ନୁହେଁ। ହର୍ମୁଜ ପ୍ରଣାଳୀରେ ସାମରିକ ହସ୍ତକ୍ଷେପ କରି ଆମେରିକା ଏକ ବଡ଼ ବିପଦ ବା ”କାଦୁଅ” ମଧ୍ୟକୁ ଟାଣି ହୋଇ ନଯିବା ଉଚିତ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ପାକିସ୍ତାନର ମଧ୍ୟସ୍ଥତାରେ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ ଆମେରିକାର ଏଭଳି ଆଭିମୁଖ୍ୟ ଶାନ୍ତି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରୁଛି ବୋଲି ତେହେରାନ ପକ୍ଷରୁ ଅଭିଯୋଗ ହୋଇଛି। ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ”ପ୍ରୋଜେକ୍ଟ ଫ୍ରିଡମ୍” ଯୋଜନାକୁ ଇରାନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯିବା ସହ ଏହାକୁ ଏକ ”ଡେଡଲକ୍” ବା ଅଚଳାବସ୍ଥା ବୋଲି ଅଭିହିତ କରାଯାଇଛି।ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ। ପ୍ରୋଜେକ୍ଟ ଫ୍ରିଡମ୍ ଅଧୀନରେ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେରିକା ସାମରିକ ଅଭିଯାନ ଆରମ୍ଭ କରିଥିବା ବେଳେ ଇରାନ ଏଥିରେ ବାଧା ସୃଷ୍ଟି କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ନିକଟରେ ଏକ ଦକ୍ଷିଣ କୋରିଆ ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଥିବା ଦର୍ଶାଇ ସେ ଦକ୍ଷିଣ କୋରିଆକୁ ମଧ୍ୟ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ଆମେରିକୀୟ ସେନା ପକ୍ଷରୁ ଇରାନର ସାତଟି କ୍ଷୁଦ୍ର ଶକ୍ତିଶାଳୀ ନୌକାକୁ ଧ୍ୱଂସ କରିଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଆମେରିକା ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିଶ୍ୱବ୍ୟାପୀ ଥିବା ସାମରିକ ବେସଗୁଡ଼ିକର ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ମଙ୍ଗଳବାର ସକାଳେ ହେବାକୁ ଥିବା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଓ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଡାନ କେନଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button