ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାର ନନ୍ଦାହାଣ୍ଡି ବ୍ଲକର ମରାଳି ଗାଁରେ ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତ ସ୍ୱାମୀ ସଲମୋନ ଟାକ୍ରିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ମାମଲାର ସୂଚନା ଦେଇ କହିଛନ୍ତି, ହତ୍ୟା ଘଟଣାରେ ପ୍ରେମିକା ସଲମାଙ୍କୁ ଆଣି ପଚରାଉଚରା କରାଯାଇଥିଲା, ତାଙ୍କୁ ପରେ ଛାଡ଼ିଦିଆଯାଇଛି।
ମାମଲାର ବିବରଣୀ ଅନୁସାରେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବେଥନିଆ ଗ୍ରାମର ସଞ୍ଜିତା ଖୁରାଙ୍କ ଝିଅ ପ୍ରୀତି ଖୁରା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ମରାଳି ଗ୍ରାମର ସଲମୋନ ଟାକ୍ରିଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସ୍ୱାମୀ ସଲାମନ ଟାକ୍ରି ନିଜର ପୂର୍ବ ପ୍ରେମିକା ସଲମାଙ୍କ ସହ ସମ୍ପର୍କ ରଖିଥିଲେ। ଏହା ପ୍ରୀତି ଜାଣିବା ପରେ ସଲମୋନଙ୍କ ସହ ନିୟମିତ ବିବାଦ ହେଉଥିଲା। ଏପରିକି, ପ୍ରୀତି ସ୍ୱାମୀଙ୍କୁ ଛାଡ଼ି ବାପା ଘରକୁ ଚାଲି ଯାଇଥିଲେ। ଚଳିତ ବର୍ଷ ଏହି ବିବାଦ ଥାନାକୁ ଯାଇଥିଲା। ମାର୍ଚ୍ଚ ମାସରେ ତେନ୍ତୁଳିଖୁଣ୍ଟି ଥାନାରେ ଆପୋଷ ବୁଝାମଣା ପରେ ପ୍ରୀତି ସ୍ବାମୀ ସଲମୋନଙ୍କ ଘରକୁ ଫେରିଥିଲେ। ଏବଂ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ, ସ୍ୱାମୀ ସଲମୋନ ପୂର୍ବ ଭଳି ତାଙ୍କ ପ୍ରେମିକା ସଲମାଙ୍କ ସହିତ ସମ୍ପର୍କ ରଖିଥିଲେ। ଗତକାଲି ପ୍ରୀତି ନିଜ ଝିଅକୁ ଧରଲେ ଘର ପାଇଁ ପିଇବା ପାଣି ଆଣିବା ପାଇଁ ଯିବେ ଭାବି ସ୍ୱାମୀଙ୍କୁ ଖୋଜିବା ବେଳେ ସ୍ୱାମୀ ଘରେ ନ ଥିଲେ। ଏଣେତେଣେ ଖୋଜିବା ପରେ ସ୍ବାମୀ ନିଜ ପ୍ରେମିକା ସଲମାଙ୍କ ସହିତ ଥିବା ଦେଖିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ। ଏଥିରେ ଉତ୍ତେଜିତ ହୋଇ ସଲମୋନ ଓ ତାଙ୍କ ପ୍ରେମିକା ସ୍ତ୍ରୀ ପ୍ରୀତିକୁ ଉଭୟ ମିଶି ମାରି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ତେନ୍ତୁଳିଖୁଣ୍ଟି ଥାନା ଏସଆଇ ବିନତୀ ତୀର୍କି କରିଥିଲେ। ପୁଲିସ ପ୍ରାଥମିକ ତଦନ୍ତରେ ପ୍ରୀତିଙ୍କୁ ଆତ୍ମହତ୍ୟା ନିମନ୍ତେ ସଲମୋନ ଉସୁକାଇଥିବା ସନ୍ଦେହ କରାଯାଉଛି। ବେକର ଚାରିପଟେ କଳାଦାଗ ନଥିବା ବେଳେ ଆତ୍ମହତ୍ୟାକଲେ ଯେଭଳି ଚିହ୍ନଥିବ ସେଭଳି ରହିଛି ବୋଲି କହିଛନ୍ତି ଏସ୍ଡିପିଓ। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ

