Love with Aditya: ବ୍ରେକ୍‌ଅପ୍‌ ପରେ ଆଦିତ୍ୟଙ୍କ ସହ ପ୍ରେମ

ଅଭିନେତ୍ରୀ ତାରା ସୂତାରିୟା ଏବେ ଆଦିତ୍ୟ ରୟ କପୁରଙ୍କୁ ଗୋପନରେ ଡେଟ୍‌ କରୁଛନ୍ତି! ଏ ନେଇ ଏବେ ବଲିଉଡ୍‌ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଚର୍ଚ୍ଚା। ତେବେ ପୂର୍ବତନ ପ୍ରେମିକ ବୀର ପାହାଡ଼ିୟାଙ୍କ ସହିତ ତାଙ୍କର ବ୍ରେକ୍‌ଅପ୍‌ ହେବା ପରେ ତାରା ନୂଆ ସାଥୀ ରୂପେ ଆଦିତ୍ୟଙ୍କୁ ବାଛିଥିବାର ରୋଚକ ଖବର ନେଇ ସଂପୃକ୍ତ କେହି ହେଲେ ମୁହଁ ଖୋଲି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ତାରାଙ୍କ ବ୍ୟକ୍ତିଗତ ଜୀବନ ନେଇ ଏଭଳି ଚର୍ଚ୍ଚା ନୂଆ ନୁହେଁ। ଅତୀତରେ ବୀରଙ୍କ ସହିତ ତାଙ୍କ ସମ୍ପର୍କ ତିକ୍ତ ହେବା ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଗତ ବର୍ଷ ଗାୟକ ଏପି ଢିଲ୍ଲୋଁଙ୍କ ମୁମ୍ବାଇ କନ୍‌ସର୍ଟର ମଞ୍ଚକୁ ଚଢ଼ି ତାରା ତାଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିବା ବେଳେ ବୀର ଦର୍ଶକ ଗହଣରେ ଥାଇ ହତାଶ ଦିଶୁଥିବାର ଏକ ଭିଡିଓ ଆସିଥିଲା। ତେବେ ପରେ ଉଭୟ ବୀର ଓ ତାରା ସ୍ପଷ୍ଟ କରିଥିଲେ ଯେ ପ୍ରଶଂସକଙ୍କୁ ଭ୍ରମିତ କରିବା ପାଇଁ ଏହି ଭିଡିଓଟିକୁ ଏଡିଟ୍‌ କରାଯାଇଥିଲା। ତେବେ ତାହାର କିଛି ମାସ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କଥା ଜଣାପଡ଼ିଥିଲା।

ତାରା-ବୀର ସମ୍ପର୍କ କିଛି ମାସ ତିଷ୍ଠିଥିବା ବେଳେ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅଭିନେତା-ଉଦ୍ୟୋଗୀ ଆଦର ଜୈନଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ସହମତି ଭିତ୍ତିରେ ସେମାନେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବା ପରେ ଗତ ବର୍ଷ ତାରାଙ୍କ ବାନ୍ଧବୀ ଅଲେଖାଙ୍କୁ ଆଦର ବିବାହ କରିଥିଲେ। ଅପରପକ୍ଷେ ଆଦିତ୍ୟଙ୍କ ପ୍ରେମ ଜୀବନ ମଧ୍ୟ କମ୍ ଚର୍ଚ୍ଚିତ ନୁହେଁ। ଅଭିନେତ୍ରୀ ଶ୍ରଦ୍ଧା କପୁର, ମଡେଲ୍‌ ଦିବା ଧାଵନ ଓ ଜର୍ଜିନା ଡି’ସିଲ୍‌ଭାଙ୍କ ସହିତ ଅତୀତରେ ତାଙ୍କର ସମ୍ପର୍କ ଥିବା ଜଣାଶୁଣା କଥା। ତେବେ ତାଙ୍କର ସଦ୍ୟତମ ପ୍ରେମିକା ଥିଲେ ଅନନ୍ୟା ପାଣ୍ଡେ। ସେ ଯାହା ହେଉ, ନୂଆ ଯୋଡ଼ି ପାଲଟିଥିବା ତାରା ଓ ଆଦିତ୍ୟଙ୍କ କ୍ୟାରିଅର୍‌ ସେତେ ଭଲ ଚାଲୁ ନାହିଁ। ତାରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟକ୍ସିକ୍‌’ ମୁକ୍ତିଲାଭ କରିବା ପରେ ତାଙ୍କୁ ବହୁପ୍ରତୀକ୍ଷିତ ସଫଳତା ମିଳିବ ବୋଲି ସେ ଆଶା କରୁଛନ୍ତି।

 

 

 

ସୌଜନ୍ୟ ସମ୍ବାଦ