Cricket Journey Of Raghu: ରଘୁଙ୍କ ‘ରାଧେ ରାଧେ’ ଓ ‘ଜଗନ୍ନାଥ’ ବିଶ୍ବାସ, ୧୫ ବର୍ଷର ସଂଘର୍ଷମୟ କ୍ରିକେଟ୍‌ ଯାତ୍ରା

ଭୁବନେଶ୍ବର: ବୟସ ୩୩, ମୁଣ୍ଡରେ ଜଟ, ମୁହଁରେ ଦାଢ଼ି ରଖିଥିବା ଏହି ଲେଗ୍‌ ସ୍ପିନର ଜଣଙ୍କ କିଏ? ଏହି ଚର୍ଚ୍ଚା ଏବେ ଆଇପିଏଲ୍‌ ପ୍ରଶଂସକଙ୍କ ମନ ଭିତରେ ଘୁରିବୁଲୁଛି। ଆଇପିଏଲ୍‌ ଇତିହାସରେ ସମ୍ପୂର୍ଣ୍ଣ ନୂଆ ହେଲେ ବି ନିଜ ଖେଳ, ଶାନ୍ତ ସ୍ବଭାବ, ଶୃଙ୍ଖଳିତ ବ୍ୟବହାର, ଆଧ୍ୟାତ୍ମିକ ବିଶ୍ବାସ ପାଇଁ ସେ ତୁରନ୍ତ ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଏହି ଖେଳାଳି ଜଣଙ୍କ କ୍ରିକେଟ୍ ଜୀବନ କାହାଣୀ ବି ଅନେକ ଉତ୍କଣ୍ଠାରେ ଭରା। ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଗତ ଋତୁଠାରୁ ଥିଲେ ମଧ୍ୟ ଚଳିତ ବର୍ଷ ସେ ଗତ ଦୁଇ ମ୍ୟାଚ ଖେଳିବା ପରେ ସମସ୍ତଙ୍କ ନଜରକୁ ଆସିଛନ୍ତି। ୧୫ ବର୍ଷର ସଂଘ‌ର୍ଷ, ବିଶ୍ବାସ, ସାଧାନା ଓ ଧୈର୍ଯ୍ୟର ପରିଣତିକୁ ପ୍ରତିଫଳିତ କରିଥିବା ଏହି ଖେଳାଳି ଜଣଙ୍କ ହେଲେ ରଘୁ ଶର୍ମା।‌ସୋମବାର ରାତିରେ ରଘୁ ଯେତେବେଳେ ଏଲ୍‌ଏସ୍‌ଜିର ଅକ୍ଷତ ରଘୁବଂଶୀଙ୍କୁ ନିଜ ପ୍ରଥମ ଆଇପିଏଲ୍‌ ଶିକାର କଲେ ସମସ୍ତଙ୍କ ବିଶ୍ବାସ ଜିତିଯାଇଥିଲେ। ପ୍ରଶଂସକମାନେ ରଘୁ ରଘୁ ଚିତ୍କାର କରିବା ସହ ତିଳକ ବର୍ମା ବି ସାବାସୀ ଜଣାଉଥିଲେ ବାଉଣ୍ଡରି ନିକଟରୁ। ମୁମ୍ବାଇ ଏହି ମ୍ୟାଚ୍‌ରୁ ବିଜୟଧାରାକୁ ‌ଫେରିଛି। ମୁମ୍ବାରର ପୂର୍ବ ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦିକ ପାଣ୍ଡ୍ୟା ଓଭର ପିଛା ୧୦+ ରନ୍‌ ବ୍ୟୟ କରୁଥିବାବେଳେ ପଦାର୍ପଣରେ ରଘୁ ତାଙ୍କ ୪ ଓଭରରେ ମାତ୍ର ୨୪ ରନ୍‌ ଦେଇ ୱିକେଟଶୂନ୍ୟ ରହିଥିଲେ। ସୋମବାର କିନ୍ତୁ ରଘୁବଂଶୀଙ୍କ ୱିକେଟ୍‌ ଦଖଲ ପରେ ସେ ପକେଟରୁ ଏକ ହାତଲେଖା ବାର୍ତା କାଢ଼ି ଦେଖାଇବା ପରେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି।

ଏଥିରେ ଲେଖାଥିଲା ‘ରାଧେ ରାଧେ। ଗୁରୁଦେବଙ୍କ ଆଶୀର୍ବାଦରୁ ଆଜି ୧୫ ବର୍ଷ ଯନ୍ତ୍ରଣାପୂର୍ଣ୍ଣ ଯାତ୍ରାର ଅନ୍ତ ଘଟିଲା। ଏଭଳି ସୁଯୋଗ ଦେଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଧନ୍ୟବାଦ। ଚିର କୃତଜ୍ଞ ରହିବି.. ଜୟ ଶ୍ରୀରାମ’। ରଘୁଙ୍କ ସ୍ବପ୍ନ ସାକାର ପଛରେ ଯେ ସଂଘର୍ଷ, ବିପର୍ଯ୍ୟୟ, ସାଧନା, ବିଶ୍ବାସ ଭରି ରହିଥିଲା ଏଥିରୁ ଅନୁମେୟ ଯେ କେତେ କ୍ଷତାକ୍ତ‌ ହୋଇ ସେ ଆଗକୁ ବଢ଼ିଛନ୍ତି।ରଘୁଙ୍କ ପରିବାରରେ ଡାକ୍ତର, ଇଂଜିନିୟରିଂ ପଢ଼ିବାର ପରମ୍ପରା ଓ ସଫଳତା ଥିଲେ ବି ସେ କ୍ରିକେଟ୍‌କୁ ବାଛିଥିଲେ। ନିଜେ ବି ଇଂଜିନିୟରିଂ ପଢ଼ିଥିଲେ।

ବିଫଳତାକୁବି ଉପଭୋଗ କରନ୍ତି ରଘୁ

୨୦୧୧ ଦିନିକିଆ ବିଶ୍ବକପ୍‌ରେ ଭାରତ ଟ୍ରଫି ତୋଳି ଧରିବାର ମୁହୂର୍ତ ତାଙ୍କୁ କ୍ରିକେଟ୍‌ ପ୍ରତି ଆକର୍ଷିତ କରିଥିଲା। କିନ୍ତୁ ୧୮ ବର୍ଷ ବୟସରେ ସାଧାରଣତଃ କ୍ରିକେଟ୍‌ ଖେଳ ଆରମ୍ଭ କରିବା କଷ୍ଟକର ହୋଇଥାଏ। ଜଣେ ଦ୍ରୁତ ବୋଲର ଭାବେ ସେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଶରୀର ଓଜନ ୧୦୨ କିଲୋଗ୍ରାମ ଥିବାରୁ ଆହତ ସମସ୍ୟା ବାରମ୍ବାର ବାଟ ଓଗାଳିଥିଲା। ୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ମଦନ ଲାଲ ତାଙ୍କୁ ଲେଗ୍‌ସ୍ପିନ୍‌କୁ ସୁଇଚ୍‌ କରିବାର ପରାମର୍ଶ ଦେବା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ୍‌ ହୋଇଥିଲା। ନିଜ ବୋଲିଂରେ ଉନ୍ନତି ଆଣିବାକୁ ସଙ୍କଳ୍ପବଦ୍ଧ ରଘୁ ୟୁଟ୍ୟୁବ୍‌ରେ ସେନ୍‌ ୱର୍ଣ୍ଣଙ୍କ ଟ୍ୟୁଟୋରିଆଲ୍‌ର ଅନୁସରଣ କରିବା ସହ ନେଟ୍‌ସରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅହରହ ଚେଷ୍ଟା କରିଥିଲେ। ୨୦୧୬ରେ ରଘୁଙ୍କୁ ନେବାକୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରଭଜନ ସିଂହ ପରାମର୍ଶ ଦେଇଥିଲେ। କିନ୍ତୁ ଟ୍ରାଏଲ୍ସରେ ସେ ବିଫଳ ହୋଇଥିଲେ। ୨୦୧୭ରେ ରଘୁ ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ। ନିଜ ଦ୍ବିତୀୟ ମ୍ୟାଚ୍‌ରେ ସେ ଗୋଆ ବିପକ୍ଷରେ ୭ ୱିକେଟ୍‌ ମଧ୍ୟ ନେଇଥିଲେ। ଫିଟନେସ୍‌ ସମସ୍ୟା କିନ୍ତୁ ପୁଣି ତାଙ୍କ ପ୍ରତିବଂଧକ ସାଜିଥିଲା। ୨୦୨୦-୨୧ରେ ରଘୁ ପୁଡୁଚେରୀ ପାଇଁ ଲିଷ୍ଟ୍‌ ‘ଏ’ ଓ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ଗୋଟିଏ ବର୍ଷ ପରେ ଶ୍ରୀଲଙ୍କାର ଗାଲେ କ୍ରିକେଟ୍‌ କ୍ଲବ୍‌ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ମାତ୍ର ୬ ମ୍ୟାଚ୍‌ରୁ ୪୬ ୱିକେଟ୍‌ ନେଇଥିଲେ। ପରବର୍ତୀ ବର୍ଷ କିନ୍ତୁ ଶ୍ରୀଲଙ୍କା କ୍ରିକେଟ୍‌ ଏକ ନୂଆ ନିୟମ କରିବାରୁ ସେ ଆଉ ଖେଳିପାରିନଥିଲେ। ଅନ୍ୟୂନ ୫ଟି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ସର୍ତ ରହିଥିଲା। ରଘୁ କିନ୍ତୁ ସେତେବେଳକୁ ୪ଟି ମ୍ୟାଚ୍‌ ଖେଳିଥିବାରୁ ଦୁର୍ଭାଗ୍ୟଜନକ ଭାବେ ସିଂହଳ ଯାତ୍ରା ଅଧାରେ ଅଟକିଯାଇଥିଲା। ଇଂଇଣ୍ଡ ଗସ୍ତ କରି ସେ ଦକ୍ଷିଣ ଆଫ୍ରିକା ସ୍ପିନର୍‌ ଇମ୍ରାନ ତାହିରଙ୍କଠାରୁ ବି ଦିଗଦର୍ଶନ ନେଇଥିଲେ। ନିଜ ସାମର୍ଥ୍ୟରେ ଗୁଗ୍‌ଲି ବୋଲିଂ କଳାକୁ ଯୋଡ଼ି ପାରିଥିଲେ। ୨୦୨୩-୨୪ରେ ଭାରତ ଫେରିବା ପରେ ୟୋ ୟୋ ଟେଷ୍ଟ୍‌ରେ ବିଫଳ ହେବାରୁ ପଞ୍ଜାବ ପାଇଁ ଖେଳିପାରିନଥିଲେ। ୱାସିମ ଜାଫରଙ୍କ ଅନୁରୋଧ କ୍ରମେ ଆସିଥିବା ରଘୁ ୨୦୨୪-୨୫ ଫିଟ୍‌ନେସ୍‌ ଟେଷ୍ଟ୍‌ରେ ସଫଳ ହୋଇ ବିଜୟ ହଜାର ଟ୍ରଫିରେ ୧୪ ୱିକେଟ୍‌ ଦଖଲ କରି ପଞ୍ଜାବକୁ କ୍ବାର୍ଟରଫାଇନାଲ୍‌ ପହଞ୍ଚାଇଥିଲେ। ପୂର୍ବରୁ ସେ ୨୦୧୯ରୁ ୨୦-୧୧ ପର୍ଯ୍ୟନ୍ତ କ୍ରିକେଟ୍‌ ଏକାଡେମୀ ଅଫ ପଠାନ୍ସରେ ବୋଲିଂ ପ୍ରଶିକ୍ଷକ ଭାବେ ବି କାମ କରିଥିଲେ।

ଈଶ୍ବର ବିଶ୍ବାସ ଓ ସାଧନା ଦେଇଛି ସଫଳତା

ମାତ୍ର ୨ଟି ଆଇପିଏଲ୍‌ ମ୍ୟାଚ୍‌ ପରେ ରଘୁଙ୍କୁ ସଫଳ କ୍ରିକେଟ୍‌ର କୁହାଯାଇପାରିବ ନାହିଁ। ତାଙ୍କ ବୋଲିଂ କିନ୍ତୁ ପ୍ରଭାବିତ କରିଛି ଅନେକଙ୍କୁ। ତାଙ୍କ ବୋଲିଂରେ ୱର୍ଣ୍ଣଙ୍କ ନିୟନ୍ତ୍ରିତ କ୍ଷେପଣ ଏବଂ ଇମ୍ରାନ ତାହିରଙ୍କ ବିବିଧତା ଓ ଗୁଗ୍‌ଲିର ପ୍ରଭାବ ବି ରହିଛି। ୨୦୧୪ ମସିହାରେ ସଂଘର୍ଷ କରୁଥିବାବେଳେ ରଘୁ ବୃନ୍ଦାବନ ଗସ୍ତ କରିବା ପରେ ବୈଷ୍ଣବ ବିଶ୍ବାସୀ ହୋଇଥିଲେ। କେବଳ ସେତିକି ନୁହେଁ ରଘୁ ପୂର୍ବରୁ କହି ସାରିଛନ୍ତି ‘‌‌ହୃଦୟ ଭାଙ୍ଗିଗଲେ, ମନରେ ଅସ୍ଥିରତା ରହିଲେ ମୁଁ ଈଶ୍ବରଙ୍କ ନିକଟକୁ ଚାଲିଯାଏ। ସବୁକିଛି ଛାଡ଼ି ପୁରୀ ଜଗନ୍ନାଥ ମନ୍ଦିରକୁ ଯାଏ। ସେଠାରେ ମୁଁ ମୋ ମାନସିକ ଶାନ୍ତି ଫେରିପାଏ’। ରଘୁଙ୍କ ଏଭଳି ବିଶ୍ବାସ ଓ ସାଧନା ତାଙ୍କୁ ଏତେ ଉଚ୍ଚରେ ରଖିଛି ଯେ କୌଣସି ସଫଳତା ଅସାଧ୍ୟ ନୁହେଁ ବୋଲି ପ୍ରମାଣିତ କରିଛନ୍ତି।

‘‘ମୁଁ ଅନୁଭବ କରେ ଈଶ୍ବର ସବୁ ଦେଖୁଛନ୍ତି। ତୁମେ ଯଦି ଶୃଙ୍ଖଳାର ସହ କଠିନ ପରିଶ୍ରମ କରୁଥିବ, ନିଶ୍ଚିତ ଏହାର ପୁରସ୍କାର ପାଇବ। ମାନସିକ ଅବସାଦ ପାଇଁ ଅଧିକାଂଶ ପିଲା ଖେଳ ଛାଡ଼ିଦିଅନ୍ତି। କିନ୍ତୁ ଅଧ୍ୟାତ୍ମିକ ବିଶ୍ବାସ ପାଇଁ ମୋ ଜୀବନରେ ଅବସାଦ କେବେ ପ୍ରବେଶ କରିପାରିନାହିଁ। ଏପରିକି ବିଫଳତାକୁ ବି ମୁଁ ଉପଭୋଗ କରିଥାଏ’’: ରଘୁ ଶର୍ମା

ସୌଜନ୍ୟ ସମ୍ବାଦ