ଲାହୋର: ପ୍ରଥମ ଥର ପାଇଁ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କ ନେତୃତ୍ବାଧୀନ ଏକ ଦଳ ପିଏସ୍ଏଲ୍ ଚାମ୍ପିଅନ ହୋଇଛି। ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ହାଇଦ୍ରାବାଦ କିଙ୍ଗସମ୍ୟାନକୁ ୫ ଓ୍ବିକେଟ୍ରେ ପରାସ୍ତ କରିଛି ବାବରଙ୍କ ନେତୃତ୍ବାଧୀନ ପେଶାଓ୍ବର ଜାଲମୀ। ଏହି ମ୍ୟାଚ୍ରେ ବାବର ଖାତା ଖୋଲିପାରିନଥିଲେ ବି ତାଙ୍କ ଦଳ ବିଜୟୀ ହୋଇଥିଲା।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଥିବା ପେଶାଓ୍ବର ୧୮ ଓଭରରେ ୧୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହି ଲକ୍ଷ୍ୟକୁ ପେଶାଓ୍ବର ଆରନ୍ ହାର୍ଡିଙ୍କ ଅର୍ଦ୍ଧଶତକ ଓ ଅବ୍ଦୁଲ ସମଦଙ୍କ ୪୮ ରନ୍ ବଳରେ ୧୫.୨ ଓଭରରେ ୫ ଓ୍ବିକେଟ୍ ହରାଇ ହାସଲ କରିନେଇଥିଲା।
ପିଏସ୍ଏଲ୍ ଚାମ୍ପିଅନ
ତେବେ ବ୍ୟକ୍ତିଗତ ଭାବେ ବାବର ଏକ ପିଏସଏଲ୍ କୀର୍ତ୍ତିମାନରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ମାତ୍ର ୧ ରନ୍ କରିଥିଲେ ସେ ଗୋଟିଏ ପିଏସଏଲ୍ ଋତୁରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଥାନ୍ତେ। ଫକର୍ ଜମାନ ୨୦୨୨ରେ ଲାହୋର୍ କଲନ୍ଦର୍ ପାଇଁ ଖେଳି ୫୮୮ ରନ୍ କରିଥିଲେ। ବାବର ମଧ୍ୟ ଚଳିତ ଋତୁରେ ୫୮୮ ରନ୍ କରିଛନ୍ତି।
ସୌଜନ୍ୟ ସମ୍ବାଦ

