Mamata Banerjee: ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରୁ ୨୨ ମନ୍ତ୍ରୀ ନିଜ ଆସନ ହରାଇଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିଥିବା ଟିଏମ୍ସିର ୩୫ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ସେମାନଙ୍କ ନିଜ ଆସନ ହରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ହାରି ଯାଇଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳର ୬୩ ପ୍ରତିଶତ ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏହା ଜନତାଙ୍କ ରାଜ୍ୟକୁ ଶାସନ କରୁଥିବା ନେତୃତ୍ବର ସିଧାସଳଖ ପ୍ରତ୍ୟାଖ୍ୟାନ।
ମମତାଙ୍କ ମନ୍ତ୍ରିମଣ୍ଡଳର ୬୩ ପ୍ରତିଶତ ନିଜ ଆସନ ହରାଇଛନ୍ତି
ଭୋଟରମାନେ କେବଳ ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି ତାହା ନୁହେଁ ବରଂ ସେମାନେ ଟିଏମ୍ସିର ନେତୃବୃନ୍ଦଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ, ଶିଳ୍ପ, ଆବାସ, ଶକ୍ତି, ଶିକ୍ଷା, ପରିବହନ ଓ ପଛୁଆ ଶ୍ରେଣୀ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀମାନେ ନିଜ ଆସନ ହରାଇ ଦେଇଛନ୍ତି। ପଶ୍ଚିମବଙ୍ଗ ଲୋକଙ୍କ ଦ୍ବାରା ଏହା ଟିଏମ୍ସି ଶାସନ ମଡେଲ୍ର ପ୍ରତ୍ୟାଖ୍ୟାନ। ଆସନ ହରାଇଥିବା ୨୨ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ – ଭବାନୀପୁର, ଅରୂପ ବିଶ୍ବାସ (ଆବାସ, ଶକ୍ତି ମନ୍ତ୍ରୀ) – ଟୋଲିଗଞ୍ଜ, ବ୍ରାତ୍ୟ ବସୁ (ଉଚ୍ଚଶିକ୍ଷା, ଗଣଶିକ୍ଷା) – ଦମ୍ଦମ୍, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ (ପରିବେଶ, ଅର୍ଥ, ପ୍ରୋଗ୍ରାମ୍ ମନିଟରିଂ) – ଦମ୍ଦମ୍ ଉତ୍ତର, ଶଶୀ ପାଞ୍ଜା (ଶିଳ୍ପ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ) – ଶ୍ୟାମପୁକୁର। ସେହିପରି ଅଗ୍ନି ଓ ଇମର୍ଜେନ୍ସି ସେବା ବିଭାଗ ମନ୍ତ୍ରୀ ସୁଜିତ ବସୁ ବିଧାନନଗର ଆସନ ହରାଇଥିବାବେଳେ ପ୍ରଯୁକ୍ତି, ଶିକ୍ଷା, ତାଲିମ ଓ ଦକ୍ଷତାବିକାଶ ମନ୍ତ୍ରୀ ଇନ୍ଦ୍ରନୀଲ ସେନ ଚନ୍ଦନନଗର ଆସନ ହରାଇଛନ୍ତି। କୃଷି ମାର୍କେଟିଂ ମନ୍ତ୍ରୀ ବେଚାରାମ ମାନ୍ନା ସିଙ୍ଗୁର ଆସନ ହରାଇଛନ୍ତି ଏବଂ ପଶୁସମ୍ବଳ ବିକାଶ ବିଭାଗ ମନ୍ତ୍ରୀ ସ୍ବପନ ଦେବନାଥ ପୂର୍ବସ୍ଥଳି ଦକ୍ଷିଣ ଆସନ ହରାଇଛନ୍ତି।
ସୌଜନ୍ୟ ସମ୍ବାଦ




