Tamil Nadu: ତାମିଲନାଡ଼ୁର ବିତ୍ତୀୟ ଗଣିତକୁ ବିଗାଡ଼ିପାରେ ମାଗଣା ଘୋଷଣା

ଚେନ୍ନାଇ: ତାମିଲନାଡ଼ୁରେ ବିଜୟ ହାସଲ କରିଥିବା ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ)ର ନିର୍ବାଚନୀ ଇସ୍ତାହାରରେ ଉଭୟ ବିକାଶମୂଳକ ପ୍ରକଳ୍ପ ଏବଂ ମହିଳା, ଯୁବଗୋଷ୍ଠୀ ଓ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ରହିଛି। ଟିଭିକେ ଇସ୍ତାହରରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ସ୍କୁଲ୍ ଡ୍ରପ୍ଆଉଟ୍ ରୋକିବାପାଇଁ ପ୍ରତି ପିଲାଙ୍କ ମା’ ଓ ଅଭିଭାବକଙ୍କୁ ବାର୍ଷିକ ୧୫ ହଜାର ଟଙ୍କା, ଗ୍ରାଜୁଏଟ୍ ଓ ଡିପ୍ଲୋମାଧାରୀଙ୍କ ପାଇଁ ବେକାରୀ ସହାୟତା, ସମବାୟ ଫସଲ ପାଇଁ ଋଣଛାଡ଼ ଏବଂ ବୁଣାକାର ପରିବାର ଆକାଉଣ୍ଟକୁ ବାର୍ଷିକ ୩୦ ହଜାର ଟଙ୍କା ପଠାଇବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ଏଥିସହ ଆର୍ଥିକ ଦୁର୍ବଳ ପରିବାରର ଝିଅ ବାହାଘରରେ ବିଜୟ ୮ ଗ୍ରାମ୍ ସୁନା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦଳ ଯଦି ଏହିସବୁ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରେ ତେବେ କରୋନା ମହାମାରୀ ପରଠାରୁ ବିତ୍ତୀୟ ସ୍ଥିତି ଭଲଥିବା ତାମିଲନାଡ଼ୁରେ ଏହା ଆଗକୁ ବିଗିଡ଼ି ଯାଇପାରେ।
ସଂଶୋଧିତ ଆକଳନରୁ ଜଣାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବିତ୍ତୀୟ ନିଅଣ୍ଟରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି। ୨୦୨୬-୨୭ ବଜେଟ୍ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୩ ପ୍ରତିଶତ ରହିବ ବୋଲି ଯଦିଓ ଆକଳନ କରାଯାଇଛି କିନ୍ତୁ ତାହା ଅସମ୍ଭବ ମନେ ହେଉଛି। ସେହିଭଳି ରାଜସ୍ବ ନିଅଣ୍ଟରେ ମଧ୍ୟ ବୃଦ୍ଧି ଧାରା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ଜିଡିପିର ୧.୪୭ ପ୍ରତିଶତ ଥିବାବେଳେ ୨୦୨୫-୨୬ରେ ଏହା ୧.୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ମାଗଣା ଯୋଜନା ତାମିଲନାଡ଼ୁର ବିତ୍ତୀୟ ଗଣିତକୁ ବିଗାଡ଼ିପାରେ।
ସୌଜନ୍ୟ ସମ୍ବାଦ




