ଦେଶ ବିଦେଶ

Cabinet Approves: କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି: ଆଖୁର କ୍ବିଣ୍ଟାଲ ପିଛା ଉଚିତ୍‌ ମୂଲ୍ୟ ହେଲା ୩୬୫ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଆଖୁର କ୍ବିଣ୍ଟାଲ ପିଛା ୩୬୫ ଟଙ୍କା ଉଚିତ ଓ ଲାଭଦାୟକ ମୂଲ୍ୟକୁ ଅନୁମୋଦନ ପ୍ରଦାନ କରାଯାଇଛି। ୨୦୨୫-୨୬ର ମୂଲ୍ୟ ତୁଳନାରେ ଏହା ୨.୮୧ ପ୍ରତିଶତ ଅଧିକ। ଏହା ଦ୍ବାରା ୫ କୋଟି ଆଖୁ ଚାଷୀ ଏବଂ ଚିନି କଳ ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ଥିବା ୫ ଲକ୍ଷ ଶ୍ରମିକ ଲାଭବାନ ହେବେ। ଏଥର ୧୦.୨୫ ପ୍ରତିଶତର ମୂଳ ପୁନରୁଦ୍ଧାର ହାର ଧାର୍ଯ୍ୟ କରାଯାଇଛି। ଏହାଠାରୁ ପ୍ରତି ୦.୧% ଅଧିକ ପୁନରୁଦ୍ଧାର ପାଇଁ କ୍ବିଣ୍ଟାଲ ପିଛା ୩ ଟଙ୍କା ୫୬ ପଇସାର ପ୍ରିମିୟମ ପ୍ରଦାନ କରାଯିବ।

୨୦୧୫-୧୬ରେ ଆଖୁର ଉଚିତ୍‌ ଓ ଲାଭଦାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩୦ ଟଙ୍କା ଥିଲା। ୨୦୨୨-୨୩ରେ ତାହା ୩୦୫ ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୩-୨୪ରେ ତାହା ୩୧୫ ଟଙ୍କା ଓ ୨୦୨୪-୨୫ରେ ୩୫୫ ଟଙ୍କା ହୋଇଥିଲା। କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି) ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ପରାମର୍ଶ ପରେ ଉଚିତ୍‌ ଓ ଲାଭଦାୟକ ମୂଲ୍ୟ ନିର୍ଣ୍ଣୟ କରାଯାଉଛି। ୨୦୨୪-୨୫ର ୧,୦୨,୬୮୭ କୋଟି ଟଙ୍କାର ଆଖୁ ବକେୟା ମଧ୍ୟରୁ ଚଳିତ ବର୍ଷ ଏପ୍ରିଲ୍ ୨୦ ସୁଦ୍ଧା ୧,୦୨,୨୦୯ କୋଟି ଟଙ୍କାର ବକେୟା ପ୍ରଦାନ କରାଯାଇଛି। ସେହିପରି ୨୦୨୫-୨୬ର ୧,୧୨,୭୪୦ କୋଟି ଟଙ୍କା ବକେୟା ମଧ୍ୟରୁ ୯୯,୯୬୧ କୋଟି ଟଙ୍କାର ବକେୟା ପ୍ରଦାନ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More
Back to top button