Robber Bride: ମହାରାଷ୍ଟ୍ରରେ ”ଲୁଟେରା ବଧୂ”ର କାରନାମା: ୮ ଜଣଙ୍କୁ ବିବାହ କରି ଲୁଟିଲେ କୋଟିଏ

ବିଡ୍ (ମହାରାଷ୍ଟ୍ର): ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ‘ଲୁଟେରା ବଧୂ’ ଗୋଟିଏ ପରେ ଗୋଟିଏ ବିବାହ କରି ଲୋକଙ୍କୁ ଚୂନା ଲଗାଇବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗ୍ରାମାଞ୍ଚଳର ଅବିବାହିତ ଯୁବକଙ୍କୁ ଟାର୍ଗେଟ୍ କରି ନକଲି ବିବାହ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରୁ ଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା କିଛି ଦଲାଲଙ୍କ ସହାୟତାରେ ଜଣକ ପରେ ଜଣେ ପ୍ରାୟ ୮ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କ ଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ଅଳଙ୍କାର ନେଇ ଫେରାର୍ ହୋଇଯାଇଛନ୍ତି। ଜଣେ ସ୍ଥାନୀୟ ଯୁବକ ଏହି ପ୍ରତାରଣାର ଶିକାର ହୋଇ ଜିଲ୍ଲା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ସଂଗଠିତ ରାକେଟ ସମ୍ପର୍କରେ ସୂଚନା ମିଳିଛି।

୮ ଜଣଙ୍କୁ ବିବାହ କରି କୋଟିଏ ଲୁଟିବା ପରେ ଚମ୍ପଟ

ପୀଡ଼ିତ ଯୋଗେଶ ସିନ୍ଦେଙ୍କ ଅଭିଯୋଗ ଅନୁଯାୟୀ, କିଛି ମଧ୍ୟସ୍ଥି ବା ଦଲାଲ୍ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ମହିଳା ସହ ପରିଚୟ କରାଇଥିଲେ। ଏହି ପ୍ରକ୍ରିୟା ମଧ୍ୟରେ ଦଲାଲମାନେ ତାଙ୍କଠାରୁ ଅଳଙ୍କାର ଓ ଟଙ୍କା ଆଦାୟ କରିଥିଲେ। ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହେବାର ମାତ୍ର କିଛି ଦିନ ମଧ୍ୟରେ ନବବଧୂ ଜଣକ ସମସ୍ତ ଗହଣା ଓ ଟଙ୍କା ଧରି ଦଲାଲମାନଙ୍କ ସହ ଚମ୍ପଟ ମାରିଥିଲେ। ପରେ ଖୋଜାଖୋଜି କରିବା ସମୟରେ ଯୋଗେଶ ଜାଣିବାକୁ ପାଇଥିଲେ ଯେ, ଏହି ମହିଳା ଜଣକ ପୂର୍ବରୁ ଅବିକଳ ଏହି ଶୈଳୀରେ ଅନ୍ୟ ଆଠ ଜଣ ଯୁବକଙ୍କୁ ବିବାହ କରି ପ୍ରତାରିତ କରିଛନ୍ତି। ଏହି ଘଟଣାରେ ଗଭୀର ମାନସିକ ଆଘାତ ପାଇଥିବା ଯୋଗେଶ ବିଡ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି)ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ସହ ଚାକଲମ୍ଵା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ବିଶେଷକରି ଯେଉଁ ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ବିବାହ କରିବା ପାଇଁ କନ୍ୟା ମିଳିବାରେ ସମସ୍ୟା ହୋଇଥାଏ, ସେହିଭଳି ଅଞ୍ଚଳକୁ ଏହି ଗ୍ୟାଙ୍ଗ ନିଜର ଶିକାର ବନାଉଥିବା ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ପୋଲିସ ଏହି ନେଟଵର୍କର ସଦସ୍ଯଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

ସୌଜନ୍ୟ ସମ୍ବାଦ