Labour: ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ୩ ଶ୍ରମିକଙ୍କ ମୃତ୍ୟୁ

ହିନ୍ଦୋଳ: ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ଚାଲିଗଲା ୩ ଶ୍ରମିକଙ୍କ ଜୀବନ | ଅନୁଗୋଳ ଜିଲ୍ଲା ନିଶା ଥାନା ଅଧୀନରେ ଶ୍ରୀ ମେଟାଲିକ୍ସ୍ ସ୍ପଞ୍ଜ ଆଇରନ କମ୍ପାନୀରେ ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି | ଆଜି ଭୋର ରାତି ୩ଟା ସମୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ୩ ଜଣ ଶ୍ରମିକଙ୍କ ମୃତ ଶରୀର ପହଞ୍ଚିବା ପରେ ଏକଥା ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ନିଶା ଥାନା ଅଧୀନରେ ଶ୍ରୀ ମେଟାଲିକ୍ସ୍ ସ୍ପଞ୍ଜ ଆଇରନ କମ୍ପାନୀରେ ବିଳମ୍ବିତ ରାତିରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ ୩ ଜଣ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ ଓ ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା | ଏହି ଶ୍ରମିକମାନେ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପଲ୍ଲୀ ତିନିଗୁଡ଼ାର ଶ୍ରୀଧର ବୋରେନ୍ (୩୭ ବର୍ଷ) , ମଣ୍ଟୁ କୁମାର (୩୨ ବର୍ଷ) ଟାଙ୍ଗରପଲ୍ଲୀ ଓ ସୁନ୍ଦରଗଡ ସୁହାଖଳି, ରାଜଗାଙ୍ଗପୁରର ମଙ୍ଗଲମ୍ ମାଝୀ (୪୦ ବର୍ଷ)। ସେମାନଙ୍କୁ ଚିକିତ୍ସା ପାଇଁ କଟକ ନେବା ବାଟରେ ମୃତ୍ୟୁ ହୋଇଯିବାରୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

ଏ ପର୍ଯ୍ୟନ୍ତ ମୃତକଙ୍କ ପରିବାର ଲୋକ ପହଞ୍ଚି ନ ଥିବା ବେଳେ ସାଧାରଣରେ ଉତେଜନା ପ୍ରକାଶ ପାଇଛି। ବହୁ ସମୟ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ମୃତଦେହ ବ୍ୟବଛେଡ କରାଯାଇ ନାହିଁ।

ସୌଜନ୍ୟ ସମ୍ବାଦ