Job: ୪୦% ଚୁକ୍ତିଭିତ୍ତିକ କର୍ମଚାରୀ ଛଟେଇ କରିବ ‘ସେଲ୍‌’

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଏହାର ୪୦ ପ୍ରତିଶତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କରିବା ‌‌ଯୋଜନା ପ୍ରସ୍ତୁତ କରିଛି। ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ‌ଯୋଜନା କାର୍ଯ୍ୟକାରୀ ହେବ। କମ୍ପାନିର ଏକ ଆଭ୍ୟନ୍ତରୀଣ ଚିଠିରୁ ଜଣାଯାଇଛି ଯେ ଶ୍ରମଶକ୍ତି ହ୍ରାସ କରିବା ନେଇ କେନ୍ଦ୍ର ଇସ୍ପାତ ସଚିବଙ୍କ ସହ କମ୍ପାନି କର୍ତ୍ତୃପକ୍ଷ ଆଲୋଚନା କରିଥିଲେ।

ଓଡ଼ିଶାରେ ଥିବା ରାଉରକେଲା ଇସ୍ପାତ କାରଖାନା ମଧ୍ୟ ସେଲ୍‌ ଅଧୀନରେ ପରିଚାଳିତ ହେଉଛି। ସେଲ୍‌ର ଛଟେଇ ଯୋଜନାକୁ ଭାରତୀୟ ଇସ୍ପାତ ମଜଦୁର ସଂଘ (ବିଆଇଏମ୍‌ଏସ୍‌) ବିରୋଧ କରିଛି। ଏ ସମ୍ପର୍କରେ ସେଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ସଂଘ ଜଣାଇଛି ଯେ ଶ୍ରମିକ ସଂଘ ସହ କୌଣସି ଆଲୋଚନା ନ କରି ଏହି ନିଷ୍ପତ୍ତି ନିଆଯାଇଛି। ନିଜ ଜୀବନଜୀବିକା ପାଇଁ ହଜାର ହଜାର ଶ୍ରମିକ ସେଲ୍‌ର କାରଖାନାଗୁଡ଼ିକ ଉପରେ ନିର୍ଭରଶୀଳ ରହିଛନ୍ତି।

ଏଭଳି ଖବର ସେମାନଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି ବୋଲି ସଂଘ ଜଣାଇଛି। ଶ୍ରମଶକ୍ତିରେ ୪୦ ପ୍ରତିଶତ ହ୍ରାସ କରିବା ପରେ ଯେଉଁ କର୍ମଚାରୀମାନେ ରହିଯିବେ ସେମାନଙ୍କ ଉପରେ ପ୍ରବଳ କାମ ଚାପ ରହିବ। ତାହା କାରଖାନା ଭିତରେ ସୁରକ୍ଷା ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି ସଂଘ ଜଣାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତୀୟ ମଜଦୁର ସଂଘର ମହାସଚିବ ସୁରେନ୍ଦ୍ର କୁମାର ପାଣ୍ଡେ ସେଲ୍‌ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ