AI Impact: ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ଜାରି; ବିଭିନ୍ନ କମ୍ପାନିରୁ ଛଟେଇ ହେବେ ୯୩ ହଜାର କର୍ମଚାରୀ!

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ପରେ ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ଜାରି ରହିଛି। ଚଳିତ ବର୍ଷର ପ୍ରଥମ ଚାରି ମାସରେ ୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ବିଭିନ୍ନ କମ୍ପାନି ଘୋଷଣା କରିଛନ୍ତି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ଚଳିତ ବର୍ଷ ୯୩,୨୯୪ ଛଟେଇ ଘୋଷଣା ହୋଇଛି। କଏନ୍‌ବେସ୍‌, କଗ୍ନିଜାଣ୍ଟ୍‌, ପେପାଲ୍‌ ଓ ଓରାକଲ୍‌ ଭଳି ସଂସ୍ଥା ଏହି ଛଟେଇ ଘୋଷଣା କରିଛନ୍ତି। କଏନ୍‌ବେସ୍‌ ଏହାର ୭୦୦ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି। ତାହା କମ୍ପାନିର ମୋଟ୍‌ ଶ୍ରମଶକ୍ତିର ୧୪ ପ୍ରତିଶତ। କ୍ରିପ୍ଟୋ ବଜାର ତଳମୁହାଁ ରହିଥିବାରୁ କମ୍ପାନି ଛଟେଇ ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।

ସେହିପରି, ଆସନ୍ତା ତିନି ବର୍ଷରେ ୪୫୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ବିଷୟରେ ପେପାଲ୍‌ର ସିଇଓ ଏନ୍‌ରିକ୍‌ ଲୋରେସ୍‌ ଘୋଷଣା କରିଛନ୍ତି। ତାହା କମ୍ପାନିର ମୋଟ୍‌ ଶ୍ରମଶକ୍ତିର ୨୦ ପ୍ରତିଶତ। ସବୁଠୁ ବଡ଼ ଛଟେଇ ଘୋଷଣା କରିଛି ଓରାକଲ୍। ଏହା ବିଶ୍ବବ୍ୟାପୀ ୩୦ ହଜାର କର୍ମଚାରୀଙ୍କୁ ବିଦା କରିବାର ବଡ଼ ଯୋଜନା ପ୍ରସ୍ତୁତ କରିିଛି। ଏଆଇ ପ୍ରକଳ୍ପରେ ବିପୁଳ ନିବେଶ କରୁଥିବାରୁ କମ୍ପାନି କର୍ମଚାରୀ ହ୍ରାସ କରି ପାଣ୍ଠି ସଞ୍ଚୟ କରିବାକୁ ଚାହୁଛି। ଏହା ବିଶ୍ବର ଅନ୍ୟତମ ସର୍ବବୃହତ୍‌ ଏଆଇ ଚୁକ୍ତି ହାସଲ କରିଛି।

କଗ୍ନିଜାଣ୍ଟ୍‌ ମଧ୍ୟ ୧୨-୧୫ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ରଖିଛି। ଏହା ଜରିଆରେ କମ୍ପାନି ୩୨୦ ନିୟୁତ ଡଲାର ପର୍ଯ୍ୟନ୍ତ ସଞ୍ଚୟ କରିପାରିବ। କଗ୍ନିଜାଣ୍ଟ୍‌ ପାଇଁ ୨,୫୦,୦୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ବେଳେ ‌ସେଥିରୁ ୨,୫୦,୦୦୦ ଭାରତରେ କାମ କରୁଛନ୍ତି। ତେଣୁ ଏଠାରେ କାମ କରୁଥିବା କର୍ମଚାରୀ ଛଟେଇ ଦ୍ବାରା ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ଗତ ଜାନୁଆରିରେ ଆମାଜନ ୧୬ ହଜାର କର୍ପୋରେଟ୍‌ ପଦ ଉଚ୍ଛେଦ କରିଥିଲା। ଡେଲ୍‌ ଟେକ୍ନୋଲୋଜିସ୍‌ ୧୧ ହଜାର, ମେଟା ୮୦୦୦, ବ୍ଲକ୍‌ ୪୦୦୦, ଆଟଲାସିଆନ୍‌ ୧୬୦୦ ଓ ସ୍ନାପ୍‌ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଗୁଗଲ, ଆମାଜନ, ମାଇକ୍ରୋସଫ୍ଟ ଓ ମେଟା ମିଳିତ ଭାବେ ଏଆଇ ପ୍ରକଳ୍ପରେ ୭୨୫ ବିଲିୟନ ଡଲାର ନିବେଶ କରିବାକୁ ଘୋଷଣା କରିଛନ୍ତି। ଏଆଇ ପ୍ରକଳ୍ପ ମାଧ୍ୟମରେ ୨,୭୫,୦୦୦ ନୂଆ ଚାକିରି ସୃଷ୍ଟି ହୋଇଛି। କିନ୍ତୁ ଛଟେଇ ହେଉଥିବା କର୍ମଚାରୀମାନଙ୍କ ପାଖରେ ସେହି ଦକ୍ଷତା ନ ଥିବାରୁ ସେମାନେ ଉକ୍ତ ପଦରେ ପ୍ରବେଶ କରିପାରିବେ ନାହିଁ।

 

 

 

ସୌଜନ୍ୟ ସମ୍ବାଦ