War: ଇରାନରେ ସଂରକ୍ଷଣ ପାଇଁ ସ୍ଥାନର ଅଭାବ; ସମୁଦ୍ରରେ ଭାସୁଛି ତୈଳ

ତେହେରାନ: ବିଶ୍ବର ପ୍ରମୁଖ ତୈଳ ମାର୍ଗ ହର୍ମୁଜ ପ୍ରଣାଳୀକୁ ଆମେରିକାର ଅବରୋଧ କରିବା ଯୋଗୁଁ ଏହାର ଗମ୍ଭୀର ପ୍ରଭାବ ଇରାନ ଉପରେ ପଡ଼ିଛି। ଇରାନ ଦୈନିକ ତିନି ନିୟୁତରୁ ଅଧିକ ବ୍ୟାରେଲ ତୈଳ ଉତ୍ପାଦନ କରୁଥିବାବେଳେ ରପ୍ତାନି ବନ୍ଦ ଥିବାରୁ ସ୍ଥାନର ଘୋର୍‌ ଅଭାବ ଦେଖାଯାଇଛି। ଏସବୁ ତୈଳକୁ ଇରାନ ସମୁଦ୍ରରେ ଭସେଇ ଦେଉଥିବା ଅନୁମାନ କରାଯାଉଛି। ଖାର୍ଗ ଦ୍ୱୀପରେ ଇରାନର ମୁଖ୍ୟ ତୈଳ ରପ୍ତାନି ଟର୍ମିନାଲ ନିକଟରେ ସମୁଦ୍ର ପୃଷ୍ଠରେ ବଡ଼ କଳା ପ୍ୟାଚ୍‌ ପଡ଼ିଥିବା ସାଟେଲାଇଟ୍ ଚିତ୍ରଗୁଡ଼ିକ କଏଦ କରିଛି। ଏହି ଚିତ୍ରକୁ ଦେଖି ପ୍ରଶ୍ନ ଉଠୁଛି ଯେ, ତୈଳ ସଂରକ୍ଷଣ ନେଇ ସ୍ଥାନର ଅଭାବ ଯୋଗୁ ତେହେରାନ କ’ଣ ଅଶୋଧିତ ତୈଳକୁ ପାଣିରେ ଛାଡ଼ି ଦେଉଛି କି? ଯଦି ଏପରି ହୋଇଥାଏ ତାହାହେଲେ ଏହା ଅତ୍ୟନ୍ତ ଗମ୍ଭୀର ପରିବେଶ ଜନିତ ସଙ୍କଟ ସୃଷ୍ଟି କରିପାରେ।

ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧ ଯୋଗୁ ଇରାନର ତୈଳ ବିକ୍ରି ହୋଇ ପାରୁନାହିଁ। ସୂଚନାଯୋଗ୍ୟ, ଆମେରିକା ଏପ୍ରିଲ ମଧ୍ୟଭାଗରେ ହର୍ମୁଜ ପ୍ରଣାଳୀ ଅବରୋଧ ଆରମ୍ଭ କରିଥିଲା। ଆମେରିକାର ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ବିଭିନ୍ନ ଦେଶର ଟ୍ୟାଙ୍କର ପାରସ୍ୟ ଉପସାଗର ଛାଡ଼ି ଯାଇ ପାରୁନାହାନ୍ତି। ଇରାନ ପ୍ରତିଦିନ ଉତ୍ପାଦିତ ହେଉଥିବା ତୈଳକୁ ଏହାର ଅଫସୋର୍‌ ଟ୍ୟାଙ୍କର ଓ ଭାସମାନ ତୈଳ ଟ୍ୟାଙ୍କରରେ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେସବୁ ଶୀଘ୍ର ଭର୍ତ୍ତି ହୋଇଯାଇଥିଲା। ଯେହେତୁ ତେହେରାନ ଉତ୍ପାଦନ ବନ୍ଦ କରିପାରିବ ନାହିଁ, କାରଣ ଏହା କରିବା ଦ୍ୱାରା ଭୂତଳ ତୈଳ ଭଣ୍ଡାରକୁ ଗମ୍ଭୀର ଓ ତଥା ସ୍ଥାୟୀ କ୍ଷତି ହେବାର ଆଶଙ୍କା ରହିଛି, ତେଣୁ ଏହା ସମୁଦ୍ରରେ ତେଲ ଫିଙ୍ଗି ଦେଉଥିବା ପରି ମନେ ହେଉଛି।

ତେଲ ଅଭିଭ୍‌ର ‘ୱାଇନେଟ୍’ ଓ ଆମେରିକାର ସିଏନ୍‌ଏନ୍‌ ସାଟେଲାଇଟ ତଥ୍ୟରୁ ପ୍ରକାଶ କରିଛନ୍ତି ଯେ, ଇରାନର ବିପୁଳ ତୈଳ ଉତ୍ପାଦନ ତୁଳନାରେ ଅସ୍ଥାୟୀ ସଂରକ୍ଷଣ ବ୍ୟବସ୍ଥା ଯଥେଷ୍ଟ ହୋଇନାହିଁ। ୟୁରୋପୀୟ ମହାକାଶ ଏଜେନ୍ସି ସେଣ୍ଟିନେଲ୍ ଚିତ୍ରଗୁଡ଼ିକ ଗତ କିଛି ସପ୍ତାହ ମଧ୍ୟରେ ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଅନେକ ସ୍ଥାନରେ ତେଲ ଭାସୁଥିବା ଅନୁମାନ କରାଯାଉଛି। ମାର୍ଚ୍ଚ ୫ ତାରିଖରେ କୁଏତ୍‌ ଉପକୂଳ, ଏପ୍ରିଲ ୧୦ରେ ଲାଭାନ୍‌ ଦ୍ବୀପ ଆଖପାଖ, ଏପ୍ରିଲ ୨୨ରେ କେଶ୍ମ ଦ୍ବୀପ ଓ ମେ ୬ ତାରିଖରେ ଖାର୍ଗ ଦ୍ବୀପ ନିକଟରେ ତୈଳ ଭାସୁଥିବା ଦେଖିବାକୁ ମିଳିଛି। ଖାର୍ଗ ନିକଟରେ ୧୨୦ ବର୍ଗ କିଲୋମିଟର ଅଞ୍ଚଳରେ ତୈଳ ଭାସୁଥିବା ଦେଖିବାକୁ ମିଳିଛି, ଯାହାକି ଏକ ବଡ଼ ସହରର ଆକାରରେ ହେବ।

 

ତେବେ କେବଳ ସାଟେଲାଇଟ୍‌ ଚିତ୍ରରୁ ଏହା ତୈଳ କି ଅନ୍ୟ କିଛି ତାହା ଜଣାପଡ଼ିବ ନାହିଁ। ଏହା ଶୈବାଳ, ସୂର୍ଯାଲୋକର ଚମକ କିମ୍ବା ଅନ୍ୟ କିଛି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ନିକଟରେ ତୈଳ ଭିତ୍ତିଭୂମି ଓ ଟ୍ୟାଙ୍କର ମାର୍ଗ ଥିବାବେଳେ ଏହାକୁ ବର୍ତ୍ତମାନର ପରିସ୍ଥିତି ସହିତ ଯୋଡ଼ି ଦେଖିଲେ ସଂରକ୍ଷଣ ଅଭାବର ପ୍ରଭାବ ଭାବେ ଗ୍ରହଣ କରାଯାଇପାରେ। ଏହି ଚିକ୍କଣ ଭାସମାନ ଜିନିଷର ପରିବେଶ ଓ ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ପ୍ରକୃତରେ ତୈଳ ଭାସୁଥିଲେ ଏହା ସମୁଦ୍ରରେ ଥିବା ମତ୍ସ୍ୟ ବଂଶ, ସାମୁଦ୍ରିକ ପକ୍ଷୀ ଓ ଅନ୍ୟ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରଯାଉଛି।

ଦକ୍ଷିଣ ଓମାନର ଧୋଫାର ଅଞ୍ଚଳର ବେଳାଭୂମିରେ ବହୁ ସଂଖ୍ୟକ ମୃତ ଚିଙ୍ଗୁଡ଼ି ଭାସୁଥିବାର ଦେଖାଯିବା ପରେ ବୈଜ୍ଞାନିକ ଏହାକୁ ପ୍ରବଳ ସ୍ରୋତ କିମ୍ବା ଅମ୍ଳଜାନର ଅଭାବ ସହିତ ଜଡ଼ିତ ବୋଲି କହିଥି‌ଲେ। ଆମେରିକା ଗୁଇନ୍ଦା ସମୀକ୍ଷା ଅନୁଯାୟୀ, ଇରାନ ଏହାର ଅଧିକାଂଶ କ୍ଷେପଣାସ୍ତ୍ର କ୍ଷମତା ବଜାୟ ରଖି ଆଉ କିଛି ମାସ ଅବରୋଧକୁ ସହ୍ୟ କରିପାରିବ। ଅନ୍ୟପକ୍ଷରେ ୱାସିଂଟନ ପୋଷ୍ଟ କହିଛି ଯେ, ଇରାନର ୧୩ ଟ୍ୟାଙ୍କର ଇଣ୍ଡୋନେସିଆର ରିଆଓ ଦୀପପୁଞ୍ଜ ନିକଟରେ ଜାହାଜରୁ ଜାହାଜକୁ ତୈଳ ସ୍ଥାନାନ୍ତରଣ କରିଥିବା ମାରିଟାଇମ ଟ୍ରାକିଂ ଓ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ଏହାଦ୍ବାରା ଅବରୋଧ ସତ୍ତ୍ବେ ଇରାନ ୨୨ ନିୟୁତ ବ୍ୟାରେଲ ତୈଳ ବିକ୍ରି କରି ୨ ବିଲିଅନ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିପାରିଛି ବୋଲି କୁହାଯାଇପାରିବ। ଏସବୁ ସତ୍ତ୍ବେ ଇରାନ କିଛି ବଳକା ତୈଳ ସମୁଦ୍ରରେ ଭସାଇ ଦେଇଥାଇପାରେ କିମ୍ବା ଦୁର୍ଘଟଣାବଶତଃ ଏସବୁ ଭାସୁ ଥାଇ ପାରେ ବୋଲି କୁହାଯାଇଛି।

 

 

ସୌଜନ୍ୟ ସମ୍ବାଦ