Iran internet cable tax: ହର୍ମୁଜ୍ ପ୍ରଣାଳୀରେ ସମୁଦ୍ରତଳ ଇଣ୍ଟରନେଟ୍ କେବୁଲ ଉପରେ ଇରାନର ଟିକସ ଯୋଜନା, ବଢ଼ିଲା ଡିଜିଟାଲ୍ ଯୁଦ୍ଧ ଆଶଙ୍କା

ତେହେରାନ: ଇରାନ ସହିତ ଯୁଦ୍ଧ ଆଉ କେବଳ କ୍ଷେପଣାସ୍ତ୍ର, ଲଢୁଆ ବିମାନ ଏବଂ ଯୁଦ୍ଧଜାହାଜ ମଧ୍ୟରେ ନୁହେଁ, ବରଂ କ୍ଲାଉଡ୍ ଏବଂ ଇଣ୍ଟରନେଟ୍ କେବୁଲ୍‌ରେ ମଧ୍ୟ ହେବାକୁ ଯାଉଛି।ହରମୁଜ୍ ପ୍ରଣାଳୀରେ ଏକ ଦୋହରା ଅବରୋଧ କାର୍ଯ୍ୟକାରୀ ହେଉଛି। ଗୋଟିଏ ପଟେ ଇରାନ ନିଜ ସହମତି ବିନା ଜାହାଜଗୁଡ଼ିକୁ ଯିବାକୁ ନିଷେଧ କରୁଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବରୋଧ ଜାରି ରହିଛି। ଯାହାଦ୍ବାରା ଇରାନୀ ଜାହାଜଗୁଡ଼ିକୁ ଯିବାକୁ ବାରଣ କରାଯାଉଛି। ତେଲ ବିକ୍ରିରେ ସମସ୍ୟା ଯୋଗୁଁ ଇରାନ ବହୁ କ୍ଷତି ସହୁଛି। ଫଳରେ ଇରାନ ଜାହାଜଗୁଡ଼ିକ ଉପରେ ଟୋଲ୍ ଟିକସ ଆଦାୟ କରି କ୍ଷତିପୂରଣ ଭରଣା କରି ଆସୁଛି। ତେବେ ଏବେ ଇରାନ ସେହି ବାଟେ ସମୁଦ୍ରର ପାଣିତଳେ ଦେଇ ଯାଉଥିବା ଡିଜିଟାଲ୍ ତଥ୍ୟର ମାଧ୍ୟମ କେବୁଲ ଉପରେ ଟିକସ ଆଦାୟ କରିବାକୁ ପ୍ରସ୍ତୁତ ହେଉଛି।

ଇରାନ ହର୍ମୁଜ୍‌ରେ ଥିବା ଫାଇବର ଇଣ୍ଟରନେଟ୍ କେବୁଲଗୁଡ଼ିକ ଉପରେ ଏକ ଶୁଳ୍କ ଲାଗୁ କରିପାରେ। ଏହି ଅଞ୍ଚଳ ଦେଇ ଡାଟା ଟ୍ରାନ୍ସମିସନ୍ ପାଇଁ ଇରାନକୁ ଟିକସ ଦେବାକୁ ପଡିବ। ଯେଉଁ ଦେଶଗୁଡ଼ିକ ଏହି ଶୁଳ୍କ ଦେଇପାରିବେ ନାହିଁ ସେମାନଙ୍କର ଡାଟା ଟ୍ରାନ୍ସଫରକୁ ଇରାନ ଅବରୋଧ କରିବ। ଏହାକୁ ନେଇ ୟୁରୋପରୁ ଏସିଆ ପର୍ଯ୍ୟନ୍ତ ଦେଶଗୁଡ଼ିକର ଉତ୍ତେଜନା ବୃଦ୍ଧି କରିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି କେବୁଲଗୁଡ଼ିକ ମାଧ୍ୟମରେ ସୁଇଫ୍ଟ ବ୍ୟାଙ୍କିଂ ମେସେଜ୍, ଷ୍ଟକ୍ ମାର୍କେଟ ବାଣିଜ୍ୟ ତଥ୍ୟ ଏବଂ ଟଙ୍କା ସ୍ଥାନାନ୍ତର ତଥ୍ୟ ସ୍ଥାନାନ୍ତରିତ ହୁଏ। ପ୍ରତିଦିନ ପ୍ରାୟ ୧୦ ଟ୍ରିଲିୟନ ଡଲାର ମୂଲ୍ୟର ଆର୍ଥିକ ତଥ୍ୟ ଏହି କେବୁଲଗୁଡ଼ିକ ଦେଇ ଗତି କରିଥାଏ। ଇରାନ ଅନୁସାରେ ଏପରି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ଘଟୁଛି ଏବଂ ଇରାନକୁ ଏହା ବଦଳରେ ଶୁଳ୍କ ମିଳିବା ଉଚିତ। ଇରାନ ମଧ୍ୟ ନିଜର ଦାବିକୁ ସମର୍ଥନ କରିବା ପାଇଁ ଅନ୍ତର୍ଜାତୀୟ ଆଇନର ଉଦାହରଣ ଦେଉଛି।

ଇରାନ ଏବେ ଜାତିସଂଘର ସମୁଦ୍ର ଆଇନ ​​ଧାରା ୩୪ର ସାହାରା ନେଇଛି। ଏହି ଆଇନ ଅନୁଯାୟୀ, ଯେକୌଣସି ପ୍ରଣାଳୀ ଆନ୍ତର୍ଜାତୀୟ ନୌପରିବହନ ପାଇଁ ସମ୍ପୂର୍ଣ୍ଣ ଖୋଲା। ଏହାକୁ ବନ୍ଦ କରାଯାଇପାରିବ ନାହିଁ, ଅର୍ଥାତ୍ ଯେଉଁ ଦେଶ ଅଧୀନରେ ଏହି ପ୍ରଣାଳୀ ପଡ଼ିଥାଏ, ସେ ଦେଶ ଜାହାଜଗୁଡ଼ିକର ଗତିକୁ ଅବରୋଧ କରିପାରିବ ନାହିଁ। ଏହା ସ୍ପଷ୍ଟ କରେ ଯେ, ପ୍ରଣାଳୀର ଜଳକ୍ଷେତ୍ର, ସମୁଦ୍ରତଟ ଏବଂ ଆକାଶପଥ ସେହି ଦେଶ ଦ୍ୱାରା ନିୟନ୍ତ୍ରିତ ହେବ ଯାହାର ଉପକୂଳ ଏହା ନିକଟରେ ରହିଥିବ। ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଧାରା ୭୯ ଅନୁଯାୟୀ କୌଣସି ଦେଶର ଜଳସୀମାରେ କେବୁଲ ବିଛାଇବା ପାଇଁ ଅନୁମୋଦନ ଆବଶ୍ୟକ। ଇରାନ ଏବେ ଏହି ଆଇନକୁ ବ୍ୟବହାର କରିବାକୁ ଚାହୁଁଛି। ହର୍ମୁଜ୍‌ରେ ବିଛାଯାଇଥିବା କେବୁଲର ଏକ ବଡ଼ ଅଂଶ ଇରାନର କ୍ଷେତ୍ରୀୟ ଜଳସୀମା ଦେଇ ଯାଇଛି। ଯଦି କେବୁଲ କ୍ଷତିଗ୍ରସ୍ତ ହୁଏ, ତେବେ ଏହାକୁ ମରାମତି କରିବା ପାଇଁ ଇରାନର ଅନୁମତି ଆବଶ୍ୟକ ହେବ।
ଏଥିପାଇଁ ଇରାନ ଏକ ଦୁଇ ପର୍ଯ୍ୟାୟ ଯୋଜନା ପ୍ରସ୍ତୁତ କରିଛି,ଯାହା ଅନୁଯାୟୀ ମେଟା, ଆମାଜନ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନିଗୁଡ଼ିକୁ ଡାଟା ପଠାଇବା ପାଇଁ ଇରାନରୁ ଅନୁମତି ନେବାକୁ ପଡିବ ଏବଂ ବାର୍ଷିକ ଶୁଳ୍କ ଦେବାକୁ ପଡିବ। କେବୁଲଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି କେବଳ ଇରାନୀ କମ୍ପାନିଗୁଡ଼ିକୁ ପ୍ରଦାନ କରାଯିବ। ଏହା କେବଳ ଇରାନକୁ ଆର୍ଥିକ ସମ୍ବଳ ଯୋଗାଇବ ନାହିଁ ବରଂ କେବୁଲଗୁଡ଼ିକର ଭୌତିକ ସୁରକ୍ଷା ଏବଂ ତଥ୍ୟ ସ୍ଥାନାନ୍ତର ଉପରେ ଏହାର ତଦାରଖକୁ ମଧ୍ୟ ବୃଦ୍ଧି କରିବ। ଏହା ଦ୍ବାରା ଡିଜିଟାଲ୍ ଅର୍ଥନୀତି ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏହି ଧମକ ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ, ଯଦି ଇରାନକୁ ଟିକସ ଦେବାରେ କୌଣସି ଦେଶ ବିଫଳ ହୁଏ, ତେବେ ସମୁଦ୍ର ତଳେ ଥିବା ସମ୍ପୃକ୍ତ ଦେଶର ଯୋଗାଯୋଗ କେବୁଲଗୁଡ଼ିକୁ ଟାର୍ଗେଟ କରାଯିବ ଏବଂ କାଟି ଦିଆଯାଇପାରେ। ଯଦି ଇରାନକୁ ଡାଟା ସ୍ଥାନାନ୍ତର ପାଇଁ ଟିକସ ଦିଆ ନ ଯାଏ, ତେବେ ଇରାନ ଆରବ ବିଶ୍ୱରେ ଏକ ଡିଜିଟାଲ ବ୍ଲାକଆଉଟ୍ ଯୋଜନା କରିଛି। ହର୍ମୁଜ୍ ପ୍ରଣାଳୀରେ ପାଣି ତଳେ ଯୋଗାଯୋଗ କେବୁଲଗୁଡ଼ିକୁ କାଟି ଏହି ଯୋଜନା ସଫଳ କରିବ। ଇରାନ ଜାଣେ ଯେ ୟୁରୋପୀୟ କିମ୍ବା ଆରବ ଦେଶଗୁଡ଼ିକ କୌଣସି ମୂଲ୍ୟରେ ଏହି କେବୁଲଗୁଡ଼ିକୁ କ୍ଷତି ପହଞ୍ଚାଇବାକୁ ଦେବେ ନାହିଁ। ତେଣୁ, ଇରାନର ସର୍ତ୍ତଗୁଡ଼ିକୁ ଗ୍ରହଣ କରିବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ।

 

 

 

ସୌଜନ୍ୟ ସମ୍ବାଦ