Iran War Impacts: ଇରାନ ଯୁଦ୍ଧ ଯୋଗୁଁ ପାକିସ୍ତାନ ଅର୍ଥନୀତି ବ୍ୟାପକ ପ୍ରଭାବିତ

ଇସଲାମାବାଦ: ଇରାନ ଯୁଦ୍ଧର ବ୍ୟାପକ ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିଥିବାବେଳେ ପାକିସ୍ତାନ ପାଇଁ ଏହା ଶକ୍ତ ଧକ୍କା ପରି ହୋଇଛି। ପାକିସ୍ତାନ ଗତ ଦୁଇ ବର୍ଷରେ ଯେତିକି ଅଗ୍ରଗତି କରିଥିଲା, ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ତାହା ସର୍ବାଧିକ ପ୍ରଭାବିତ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବୁଧବାର କ୍ୟାବିନେଟ୍‌ ବୈଠକବେଳେ ଏହା ସ୍ବୀକାର କରିଛନ୍ତି। ପାକିସ୍ତାନରେ ତୈଳ ଆମଦାନୀ ବିଲ୍ ୩୦୦ ନିୟୁତ ଡଲାରରୁ ୮୦୦ ନିୟୁତ ଡଲାରରେ ପହଞ୍ଚିଛି। ପାକିସ୍ତାନ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ପେଟ୍ରୋଲିୟମ୍ ବ୍ୟବହାର ହ୍ରାସ ପାଇଥିବା ସେ ମଧ୍ୟ ଉଲ୍ଲେଖ କରିଛନ୍ତି। ‌ଶେହବାଜ କହିଛନ୍ତି, ଟାସ୍କଫୋର୍ସ ପ୍ରତିଦିନ ସ୍ଥିତି ଉପରେ ନିରୀକ୍ଷଣ କରୁଛି। ଚାଲେଞ୍ଜର ମୁକାବିଲା କରିବାକୁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ଆମେରିକା-ଇରାନ ଆଲୋଚନାରେ ହୋଇଥିବା ଅଗ୍ରଗତି ଓ ଉତ୍ତେଜନା କମ୍‌ କରିବା ପାଇଁ ପାକିସ୍ତାନର ପ୍ରୟାସ ବିଷୟରେ କ୍ୟାବିନେଟକୁ ଅବଗତ କରାଇ ଶେହବାଜ କହିଛନ୍ତି ଯେ, ଇସଲାମାବାଦ ଆଞ୍ଚଳିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତରିକ ପ୍ରୟାସ କରୁଛି। ଏପ୍ରିଲ ୧୧ ତାରିଖରେ ଇରାନ ଓ ଆମେରିକା ମଧ୍ୟରେ ଇସଲାମାବାଦରେ ୨୧ ଘଣ୍ଟା ଧରି ହୋଇଥିବା ଆଲୋଚନା ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ସଫଳତା ବୋଲି ଶେହବାଜ କହିଛନ୍ତି। ଶେହବାଜ କହିଛନ୍ତି, ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍‌ ମୁନିର୍‌, ଉପ ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇସାକ୍‌ ଦାର୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ପାକିସ୍ତାନ ଆମେରିକା-ଇରାନ ମଧ୍ୟରେ ଆଲୋଚନାରେ ସଫଳତା ପାଇଁ ଆନ୍ତରିକ ଓ ସମନ୍ବିତ ପ୍ରୟାସ କରିଥିଲା, ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି ବୋଲି ଶେହବାଜ କହିଛନ୍ତି। ସେ କହିଛନ୍ତି ଯୁଦ୍ଧ ଖୁବ୍‌ଶୀଘ୍ର ଶେଷ ହେବ ଓ ଆମେରିକା-ଇରାନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବ।

 

 

 

ସୌଜନ୍ୟ ସମ୍ବାଦ