CAG: ଓଡ଼ିଶାର ଡିଜିଟାଲ୍ ଆର୍ଥିକ ଶାସନକୁ ସିଏଜିଙ୍କ ପ୍ରଶଂସା: ‘ୱାମିସ୍ ପ୍ଲାଟ୍ଫର୍ମ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍’

ଭୁବନେଶ୍ବର: ଓଡ଼ିଶାର ଡିଜିଟାଲ ଆର୍ଥିକ ଶାସନକୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) କେ ସଞ୍ଜୟ ମୂର୍ତ୍ତି ପ୍ରଶଂସା କରିଛନ୍ତି। ପ୍ରମୁଖ ଡିଜିଟାଲ୍ ଆକାଉଣ୍ଟିଂ ପ୍ଲାଟଫର୍ମ ଯଥା ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍ଏମ୍ଏସ୍), ୱାର୍କସ୍ ଆଣ୍ଡ୍ ଆକାଉଣ୍ଟ୍ସ ମ୍ୟାନେଜମେଣ୍ଟ୍ ଇନ୍ଫର୍ମେସନ୍ ସିଷ୍ଟମ୍ (ୱାମିସ୍) ଓ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ‘ଇଏଚ୍ଆର୍ଏମ୍ଏସ୍’ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଉଲ୍ଲେଖନୀ ପ୍ରଗତି ହାସଲ କରିଥିବା ସେ କହିଛନ୍ତି।ଲୋକସେବା ଭବନରେ ଅନୁଷ୍ଠିତ ଦ୍ବିବାର୍ଷିକ ଅଧିକ୍ଷଣ ଯନ୍ତ୍ରୀ ଓ ଡିଭିଜନାଲ ଲେଖା ଅଧିକାରୀମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ସିଏଜି ଶ୍ରୀ ମୂର୍ତ୍ତି ଡିଜିଟାଲ ଆର୍ଥିକ ପ୍ରଶାସନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କହିଛନ୍ତି। ସେ ୱାମିସ୍ ପ୍ଲାଟଫର୍ମକୁ ଅନ୍ୟ ରାଜ୍ୟମାନଙ୍କ ଅନୁକରଣ ପାଇଁ ଏକ ମଡେଲ୍ ବୋଲି କହିଛନ୍ତି। ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ) ସହଯୋଗରେ ଖୁବ୍ଶୀଘ୍ର ଦକ୍ଷତା ଗଠନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ଗ୍ରାମୀଣ ବିକାଶ ସଚିବ ଯାମିନି ଷଡ଼ଙ୍ଗୀ କହିଥିଲେ ଯେ ଆଇଏଫ୍ଏମ୍ଏସ୍, ଇଜିପିଏନ୍ଆଇସି, ସିଡିଏମ୍ଏସ୍ ଓ ଜିଆଇଏସ୍ ପ୍ଲାଟଫର୍ମ ସହ ୱାମିସ୍କୁ ସମନ୍ବିତ କରିବା ଦ୍ବାରା ପ୍ରକଳ୍ପ କାର୍ଯ୍ୟର ବାସ୍ତବ ସମୟ ନିରୀକ୍ଷଣ ହୋଇପାରୁଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ଆଗାମୀ ଆଇଏଫ୍ଏମ୍ଏସ୍ ୩.୦ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ନିରାପତ୍ତା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ବଢ଼ୁଥିବା ସାଇବର ନିରାପତ୍ତା ଆହ୍ବାନକୁ ଦୃଷ୍ଟିରେ ରଖି ସରକାରୀ ଆର୍ଥିକ ବ୍ୟବସ୍ଥାରେ ଦୃଢ଼ ଡିଜିଟଲ ସୁରକ୍ଷାର ଆବଶ୍ୟକତା ଥିବା କହିଥିଲେ।
ଭବିଷ୍ୟତରେ ସର୍ବଭାରତୀୟ ୱାମିସ୍ ସମ୍ମିଳନୀ ଆୟୋଜନ କରିବାକୁ ଓଡ଼ିଶା ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଥିଲା। ଏହି ଅବସରରେ ଡେପୁଟି ସିଏଜି (ପୂର୍ବାଞ୍ଚଳ) କିର୍ତ୍ତୀ ତିୱାରୀ, ବରିଷ୍ଠ ଡିଭିଜନାଲ ଲେଖା ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶିବ ପ୍ରସାଦ ପାଢ଼ୀ, ପ୍ରଧାନ ମହାଲେଖାକାର ଡି ସାହୁ, ଉପ ମହାଲେଖାକାର ଏନ ବାଲକ୍ରିଷ୍ଣା, ବରିଷ୍ଠ ଲେଖା ଅଧିକାରୀ ଆନନ୍ଦ ଭଟ୍ଟ, ବରିଷ୍ଠ ଉପ ମହାଲେଖାକାର ମନୋଜ ଏକ୍କା, ସମ୍ବିତ ମିଶ୍ର ଓ ବିକ୍ରମ କେଶରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




