ଜିଲ୍ଲାରାଜ୍ୟ

Rabi paddy procurement ବରଗଡ଼ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ

ଆସନ୍ତା ୧୫ରେ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନକିଣା
ଭୁବନେଶ୍ୱର: ରାଜ୍ୟରେ ରବି ଋତୁରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ବରଗଡ଼ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ୧୫ ତାରିଖରୁ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନକିଣା ହେବ। ସେହିଭଳି ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟଏବଂ ଇନ୍‌ପୁଟ ସବ୍‌ସିଡ଼ି ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବରଗଡ଼ରେ ସରକାରୀସ୍ତରରେ ଧାନ ବିକ୍ରୟ ପାଇଁ ପ୍ରାୟ ଏକ ଲକ୍ଷ ୫ ହଜାର ଚାଷୀ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୬ ହଜାର ୩୭୭ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରେ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନ ସଂଗ୍ରହ କରାଯିବ। ଚଳିତ ରବି ଋତୁରେ ବାଲେଶ୍ୱର ଜିଲ୍ଲାରେ ୩୮, ୧୧୩ ଚାଷୀ ପଞ୍ଜୀକରଣ କରିଥିବା ବେଳେକଟକ ଜିଲ୍ଲାରେ ୩୫୧୮ ଜଣ, ପୁରୀରେ ୨୨,୨୩୬ ଜଣ ଓ ସମ୍ବଲପୁର ଜିଲ୍ଲାରେ ୧୯,୧୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ସବୁ ଜିଲ୍ଲାର ଚାଷୀ ମାନଙ୍କୁ ଯାଞ୍ଚ ପ୍ରକ୍ରିୟା ପରେ ଆଜି ଟୋକନ ପ୍ରଦାନ କରାଯିବ ।
ସମବାୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ସୁବିଧା ପାଇଁ ଆବଶ୍ୟକୀୟ ନୋଡାଲ ଅଧିକାରୀ ଏବଂ ସୁପରଭାଇଜର ନିଯୁକ୍ତ କରାଯାଇଛି। ସବୁ ମଣ୍ଡିରେ ଚାଷୀମାନେ ଧାନ ବିକ୍ରୟ କରି ଯେପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଖରାରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ସେଡ୍‌, ପାନୀୟ ଜଳ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବାବେଳେ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିଭଳି ଅଦିନିଆ ବର୍ଷା ଓ ଖରାକୁ ଦୃଷ୍ଟିରେ ରଖି ଧାନର ସୁରକ୍ଷା ପାଇଁ ଆବଶ୍ୟକୀୟ ପଲିଥିନ୍‌ର ବ୍ୟବସ୍ଥା କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଯେପରି ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ନ ପଡ଼ନ୍ତି ସେଥି ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ରଖାଯାଉଛି । ଧାନକିଣା ପ୍ରକ୍ରିୟା ଦାୟିତ୍ୱରେ ଥିବା ଅଧିକାରୀମାନେ କର୍ତ୍ତବ୍ୟରେ ଅବହେଳା କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button